କଟକ: ରାଉରକେଲାରେ ୨୦୦୮ ପରେ ଆଉ ପୌର ନିର୍ବାଚନ ହୋଇନାହିଁ। ଆସନ୍ତା ବର୍ଷ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ନିର୍ବାଚନ ନେଇ ପ୍ରାଥମିକ ସ୍ତରରେ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଏ ନେଇ ଗତ ଅକ୍ଟୋବର ୨୫ରେ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ରାଉରକେଲାରେ ପୌର ନିର୍ବାଚନ ପ୍ରସଙ୍ଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ୨୦୧୩ରେ ରାଉ‌ରକେଲା ମ୍ୟୁନିସିପାଲିଟିର ନିର୍ବାର୍ଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କିନ୍ତୁ ବିଭିନ୍ନ କାରଣ ନେଇ ଏହାପରେ ରାଉରକେଲାରେ ପୌର ନିର୍ବାଚନ ହୋଇ ନଥିଲା। ଆସନ୍ତାବର୍ଷ ମଧ୍ୟ ସମାନ ଅବସ୍ଥା ଲାଗି ରହିବ। ରାଉରକେଲାରେ ପୌର ନିର୍ବାଚନ ପ୍ରସଙ୍ଗରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ି ରାଉରକେଲା ମ୍ୟୁନିସିପାଲିଟିର ପୂର୍ବତନ ନଗରପାଳ ନିହାର ରାୟ ହୋଇ‌େକାର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

Advertisment

ଆଜି ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ରାୟଙ୍କ ଆବେଦନର ଶୁଣାଣି କରି ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନଙ୍କୁ ନୋଟିସ୍ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ପ୍ରସଙ୍ଗରେ ପକ୍ଷ ରଖିବାକୁ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ରାଉରକେଲା ମ୍ୟୁନିସିପାଲିଟି ପାଇଁ ୨୦୦୮ରେ ଶେଷ ଥର ନିର୍ବାଚନ ହୋଇଥିଲା। ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ୨୦୧୩ରେ ଶେଷ ହୋଇଥିଲା। ଅନ୍ୟପକ୍ଷରେ ୨୦୧୪, ନଭେମ୍ବର ୧୪ରେ ସରକାର ରାଉରକେଲା ମ୍ୟୁନିସିପାଲିଟିକୁ ପୌର ନିଗମରେ ପରିଣତ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ପୌର ନିଗମ ପାଇଁ ତିନି ଲକ୍ଷ ଜନସଂଖ୍ୟା ନିୟମ ରହିଥିବା ବେଳେ ଏହି ମାନଦଣ୍ଡ ପୂରଣ ପାଇଁ ରାଉରକେଲା ସହରର ନିକଟରେ ଥିବା କେତେକ ପଞ୍ଚାୟତକୁ ପୌର ନିଗମ ଅଞ୍ଚଳରେ ସାମିଲ କରାଯାଇଥିଲା।

ଅନ୍ୟପକ୍ଷରେ ଏପରି ପଦକ୍ଷେପକୁ ବିରୋଧ କରି କେତେକ ପଞ୍ଚାୟତ ଅଞ୍ଚଳ ବାସିନ୍ଦା ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ୨୦୧୫, ମାର୍ଚ୍ଚ ୨୬ରେ ହାଇକୋର୍ଟ ମାମଲାର ଶୁଣାଣି କରି ୨୦୧୪, ନଭେମ୍ବର ୧୪ର ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ଆଳରେ ରାଉ‌ରକେଲାରେ ପୌର ନିର୍ବାଚନ ଅନୁଷ୍ଠିତ ହେଉ ନାହିଁ। ୨୦୨୧, ଅକ୍ଟୋବର ୨୫ରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରି ୧୦୫ଟି ମ୍ୟୁନିସିପାଲିଟି/ଏନଏସିରେ ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ କଟକ, ଭୁବନେଶ୍ବର ଓ ବ୍ରହ୍ମପୁର ପୌର ନିଗମରେ ମଧ୍ୟ ନିର୍ବାଚନ ପ୍ରସଙ୍ଗକୁ ନେଇ ଅକ୍ଟୋବର ୨୫ରେ ସରକାର ଏକ ପୃଥକ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଏହି ଦୁଇ ବିଜ୍ଞପ୍ତିରେ ରାଉରକେଲା କଥା ଉଲ୍ଲେଖ ନାହିଁ। ହାଇକୋର୍ଟ ରାଉରକେଲା ପୌର ନିଗମ ସମ୍ପର୍କିତ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ୨୦୧୫ରେ ଜାରି କରିଥିଲେ, ପୌର ନିର୍ବାଚନ ଉପରେ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପୂର୍ବଭଳି ରାଉରକେଲା ମ୍ୟୁନିସିପା‌ଲିଟିରେ ନିର୍ବାଚନ କରାଯିବାରେ କୌଣସି ଆଇନଗତ ବାଧା ନାହିଁ। ଏଭଳି ସ୍ଥିତିରେ ତୁରନ୍ତ ରାଉରକେଲା ମ୍ୟୁନିସିପାଲିଟିରେ ନିର୍ବାଚନ କରାଯାଉ। ଦୀର୍ଘବର୍ଷ ହେବ ରାଉରକେଲାରେ ପୌର ନିର୍ବାଚନ ନ ହେବା ଘଟଣା ସମ୍ବିଧାନର ଧାରା ୨୪୨(ୟୁ)ର ଉଲ୍ଲଂଘନ କରୁଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପାର୍ଥ ସାରଥି ନାୟକ ମାମଲା ପରିଚାଳନା କରୁଛନ୍ତି।