ରାଉରକେଲା: ଆସନ୍ତା ୧୩ ତାରିଖରୁ ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ବକପ୍‌ ଆରମ୍ଭ ହେବ। ଏହି ଷ୍ଟାଡିୟମରେ ୧୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ; ମୋଟ୍‌ ୨୦ଟି ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ ଦେଖିବାକୁ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା, ରାଜ୍ୟ ଓ ବିଦେଶରୁ ହକିପ୍ରେମୀଙ୍କ ସମାଗମ ଛୁଟିବ ସହରକୁ। ଏଣୁ ମ୍ୟାଚ୍‌ ବ୍ୟତିତ ହକିପ୍ରେମୀଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସେକ୍ଟର-୧୩ ମେଲଣ ପଡ଼ିଆରେ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ‘ରାଉରକେଲା ଫେଷ୍ଟ୍‌’ ଆୟୋଜନ କରାଯିବ। ଅପରାହ୍ନ ୪ଟାରୁ ଏହି ରାଉରକେଲା ଫେଷ୍ଟ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ। ତେବେ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ‘ଷ୍ଟାରୀ ନାଇଟ୍‌’ରେ ବଲିଉଡ୍‌ର ନାମୀଦାମୀ କଳାକାର, କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ, ନୃତ୍ୟ ଦଳ, ରାପର୍‌ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହାର ମଜା ନେବାକୁ ହେଲେ ଦର୍ଶକଙ୍କୁ ଟିକେଟ୍‌ କିଣିବାକୁ ହେବ। ଟିକେଟ୍‌ ଦର ଯଥାକ୍ରମେ-୭୫୦, ୫୦୦ ଓ ୧୦୦ ଟଙ୍କା ରଖାଯାଇଛି।

Advertisment

publive-image

ଏହି ‘ରାଉରକେଲା ଫେଷ୍ଟ୍‌’ରେ ମନୋରଞ୍ଜନ ପାଇଁ ବିଭିନ୍ନ କ୍ରୀଡ଼ା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏତଦ୍‌ବ୍ୟତୀତ ‘କାହାଣୀ କଥନ’, ‘ରାତ୍ରିକାଳୀନ ବଜାର’, ସମେତ ଖାଦ୍ୟମେଳା ଷ୍ଟଲ୍‌ ମଧ୍ୟ ଉପଲବ୍ଧ ହେବ। ସବୁବର୍ଗର ବ୍ୟକ୍ତିଙ୍କ ପାଇଁ ଏଠାରେ ବ୍ୟବସ୍ଥା କରାଯାଇଛି। ଏସବୁ କାର୍ଯ୍ୟକ୍ରମ ଅପରାହ୍ନ ୪ଟାରୁ ୭ଟା ପର୍ଯ୍ୟନ୍ତ ଚାଲିବ। ସନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ‘ଷ୍ଟାରୀ ନାଇଟ୍‌’ ମୁଖ୍ୟ ଆକର୍ଷଣ ପାଲଟିବ। ୯ ଦିନ ଧରି ଚାଲିବାକୁ ଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସନ୍ଧ୍ୟାରେ, ପ୍ରତିଷ୍ଠିତ ଅଭିନେତ୍ରୀ ଦିଶା ପଟାନୀ, ସୁପ୍ରସିଦ୍ଧ ଗାୟକ ସୁଖବିନ୍ଦର ସିଂହ, ବିଶ୍ବପ୍ରସିଦ୍ଧ ନୃତ୍ୟ ଦଳ ‘ବ୍ଲାକ୍‌ ସ୍ବାନ୍‌’, ଓ ରାପର୍‌ ବିଗ୍‌ ଡିଲ୍‌ଙ୍କ କାର୍ଯ୍ୟକ୍ରମ ରହିଛି।

ଏତଦ୍‌ବ୍ୟତୀତ ବିଭିନ୍ନ କଳାକାର, ଯଥା- ‘ବେନୀ ଦୟାଲ’, ‘ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌’, ‘ଅନନ୍ୟା ନନ୍ଦ’, ‘ଲିସା ମିଶ୍ର’, ‘ଋତୁରାଜ ମହାନ୍ତି’, ‘ସ୍ନିତୀ ମିଶ୍ର’, ‘କବୀର କାଫେ’, ‘ଇଣ୍ଡିଆନ ଓସେନ୍‌’, ‘ହରିହର ଦାସ’, ‘ନାଭ୍ୟା ଜାଇତି’, ‘ଥାଇକୁଡ୍ଡୁମ ବ୍ରିଜ୍‌’, ‘ଡିଜେ ପ୍ରବୀନ ନାୟର’, ‘କୈଳାସ ଖେର୍‌’, ବାଳୁକା ଶିଳ୍ପୀ ମାନସ କୁମାର ସାହୁ, ଓଡ଼ିଶୀ ନୃତ୍ୟାଙ୍ଗନା ନିତ୍ୟା ମଣ୍ଡଳ, ଅମିତ ତ୍ରିବେଦୀ, ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ, ସଲିମ୍‌ ସୁଲୈମାନଙ୍କ କଯୋଡ଼ି, ମୟୁରଭଞ୍ଜ ଛଉ ଡ୍ୟାନ୍ସ’ ଆଦି ପରିବେଷିତ ହେବ। ଜାନୁଆରୀ ୨୨ ତାରିଖ ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରସିଦ୍ଧ ବଲିଉଡ୍‌ ଗାୟକ ସୋନୁ ନିଗମ ଓ ନୀତି ମୋହନଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି।