ରାଉରକେଲାରେ ବିଷାକ୍ତ ଗ୍ୟାସ ଲିକରେ ୪ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଆରଏସପିର ୨ ଡିଜିଏମ୍‌ ପାହ୍ୟା ଅଧିକାରୀ ନିଲମ୍ବିତ

ନିୟମାନୁଯାୟୀ କ୍ଷତିପୂରଣ ରାଶି ସହ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ଦିଆଯିବ

ରାଉରକେଲା / ଭୁ‌ବନେଶ୍ବର : ରାଉରକେଲା ଇସ୍ପାତ କାରଖାନାରେ (ଆରଏସପି) ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟଣାରେ କାରଖାନାର ୨ ଡିଜିଏମ୍‌ ପାହ୍ୟା ଅଧିକାରୀ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ପାଇଁ ଇଏମ୍‌ଡି ବିଭାଗର ଗୋପବନ୍ଧୁ ବାରିକ୍ ଓ ସିସିଡି ମେକାନିକାଲ ବିଭାଗର ନବେନ୍ଦୁ ଦାଶଙ୍କୁ କାରଖାନା କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ଆରଏସପି ସିଇଓ ଦୀପକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ମୃତକ ପରିବାରକୁ ନିୟମାନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ ସହ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ଦିଆଯିବ।  ସେହିଭଳି ମୃତକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ଠିକା ସଂସ୍ଥା  ଷ୍ଟାର କନଷ୍ଟ୍ରକ୍ସନ ପକ୍ଷରୁ ପ୍ରତ୍ୟେକ ମୃତକ ପରିବାରକୁ ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । ବିଭିନ୍ନ ଶ୍ରମିକ ସଙ୍ଗଠନର ପ୍ରତିନିଧି, ଠିକା ସଂସ୍ଥା ଓ ଆରଏସପି କର୍ତ୍ତୃପକ୍ଷଙ୍କ ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶୋକ ଓ ସମବେଦନା ଜଣାଇଛନ୍ତି।‌  ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ଶ୍ରମିକମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି, ‘‘ରାଉରକେଲା ଇସ୍ପାତ୍ କାରଖାନାରେ ଦୁର୍ଘଟଣାରେ କର୍ମଚାରୀଙ୍କ ମୃତ୍ୟୁ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । ’’ ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି।  ଟୁଇଟ୍‌ କରି ସେ ଲେଖିଛନ୍ତି, ‘‘ରାଉରକେଲା ଇସ୍ପାତ କାରଖାନାରେ ଦୁର୍ଘଟଣା ଯୋଗୁଁ କର୍ମଚାରୀଙ୍କ ମୃତ୍ୟୁ ହେବା ଖବର ଗଣମାଧ୍ୟମରୁ ଶୁଣି ମୁଁ ଅତ୍ଯନ୍ତ ଦୁଃଖିତ ଏବଂ ମର୍ମାହତ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ପ୍ରଭୂ ଜଗନ୍ନାଥଙ୍କ ପାଖେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।’’

ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି) କୋଲ କେମିକାଲ ବିଭାଗରେ ମରାମତି କାମ ଚାଲିଥିବା ବେଳେ ଅଘଟଣା ଘଟିଥିଲା। ମରାମତି ସମୟରେ ଗ୍ୟାସ ଲିକ ହେବାରୁ ଘଟଣାସ୍ଥଳରେ କାମ କରୁଥିବା ଶ୍ରମିକମାନେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଏମାନଙ୍କ ମଧ୍ୟରୁ ବ୍ରହ୍ମାନନ୍ଦ ପଣ୍ଡା (୫୧), ଅଭିମନ୍ୟୁ ସାହା (୩୩), ରବୀନ୍ଦ୍ର ସାହୁ (୫୯) ଏବଂ ଗଣେଶ ଚନ୍ଦ୍ର ପହିଲ୍ (୫୫)ଙ୍କ ମୃତ୍ୟୁ ହୋଇଥିଲା । ରିପୋର୍ଟ ଲେଖାଯିବା ବେଳକୁ ଆହୁରି ୨ ଜଣ ଶ୍ରମିକଙ୍କ ଚିକିସିା ଜାରି ରହିଛି।

ସମ୍ବନ୍ଧିତ ଖବର