ରାଉରକେଲା : ଇସ୍ପାତ ସହରର ଛାତି ଉପରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ସାରା ରାତି ଗଣଦୁଷ୍କର୍ମ କରିବା ଘଟଣାକୁ ନେଇ ଆଲୋଡ଼ନ ଖେଳି ଯାଇଛି। ଅଭିଯୋଗ ହେବା ପରେ ଛେଣ୍ଡ ଥାନା ପୁଲିସ ଜୋରଦାର ତଦନ୍ତ ଚଳାଇଥିଲେ ବି ଏଯାଏ ଅଭିଯୁକ୍ତମାନଙ୍କ ନିକଟରେ ପହଞ୍ଚି ପାରିନାହିଁ। ଅପରାଧକୁ ଇତିମଧ୍ୟରେ ୩୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିଲେ ହେଁ ପୁଲିସର ହାତ ଖାଲି ରହିଛି।
ଅଭିଯୋଗ ଅନୁଯାୟୀ ମଙ୍ଗଳବାର ରାତିରେ ରାଉରକେଲାଠାରୁ ପ୍ରାୟ ୬୦ କିମି ଦୂର ଗୁରୁଣ୍ଡିଆ ଅଞ୍ଚଳର ଏହି ଯୁବତୀ ଜଣକ ତାଙ୍କର ଜଣେ ସଂପର୍କୀୟଙ୍କ ସହ ବାଇକ୍ରେ ଆସୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେମାନେ ବାଇକ୍ରୁ ଛିଟିକି ଯାଇ ରାସ୍ତାକଡ଼ରେ ପଡ଼ିଥିବାବେଳେ ଏକ ବଲେରୋରେ ଆସୁଥିବା ଦୁଇ ଜଣ ଯୁବକ ଜୋରଜବରଦସ୍ତ ଯୁବତୀଙ୍କୁ ଟେକି ଆଣିଥିଲେ ଏବଂ ରାଉରକେଲାରେ ପହଞ୍ଚି ସେମାନଙ୍କର ଅନ୍ୟ ଜଣେ ସାଥୀଙ୍କ ସହିତ ରାତିସାରା ମଙ୍କି କ୍ୟାପ୍ ପିନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ।
ଏଭଳି ଏକ ଗଣଦୁଷ୍କର୍ମ ଅଭିଯୋଗ ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଆଜି ପୁଲିସ ସାଇଣ୍ଟିଫିକ୍ ଟିମ୍ ସହିତ ଘଟଣାସ୍ଥଳ, ସେକ୍ଟର ୧୩ ଓମଫେଡ୍ ପଡ଼ିଆ ନିକଟକୁ ଯାଇ ଅନୁସନ୍ଧାନ ଆରମ୍ଭ କରିଛି। କେଉଁଠି ଓ କେଉଁ ପରିସ୍ଥିତିରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା, ତା’ର ତଦନ୍ତ ଆରମ୍ଭ ହୋଇଛି। ସେଠାରୁ ପୁଲିସ କିଛି ଜିନିଷ ମଧ୍ୟ ଜବତ କରିଛି । ସେହିପରି ଗତକାଲି ରାତିରେ ପୁଲିସ ପୀଡ଼ିତା ଯୁବତୀଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ନେଇ ଡାକ୍ତରୀ ମାଇନା କରାଇଛି ଏବଂ ଡାକ୍ତରୀ ମାଇନା ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି। ଆଉ ଆଜି ପୁଲିସ ସିଆର୍ପିସିର ଧାରା ୧୬୧ ଅନୁଯାୟୀ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ଆସନ୍ତାକାଲି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଯୁବତୀଙ୍କ ବୟାନ ରେକର୍ଡ କରାଯିବ।
ପୁଲିସ ସମ୍ମୁଖରେ ଯୁବତୀ ଜଣକ ଯେଉଁ ବୟାନ ଦେଇଛନ୍ତି, ସେଥିରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଦୁଷ୍କର୍ମକାରୀଙ୍କୁ ସେ ଚିହ୍ନି ନାହାନ୍ତି। ତଥାପି ଅଭିଯୁକ୍ତମାନଙ୍କ ଶରୀର ଗଠନ ଓ ସେମାନେ କେଉଁ ଭାଷାରେ କଥା ହେଉଥିଲେ ସେ ସମ୍ପର୍କରେ ଯୁବତୀ ଜଣକ ପୁଲିସକୁ ତଥ୍ୟ ଦେଇଛନ୍ତି। ପୁଲିସ ସେହି ତଥ୍ୟ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଆରମ୍ଭ କରିଛି।
ପୁଲିସର ଆଉ ଏକ ଟିମ୍ ସରକାରୀ ହସ୍ପିଟାଲ ମେଲ୍ ୱାର୍ଡ ବେଡ୍ ନମ୍ବର-୨୭ରେ ଚିକିତ୍ସିତ ହେଉଥିବା ଯୁବତୀଙ୍କ ସମ୍ପର୍କୀୟ ଯୁବକଙ୍କୁ ଯାଇ ପଚରାଉଚରା ମଧ୍ୟ କରିଛନ୍ତି। କିନ୍ତୁ ସେ ଅସୁସ୍ଥ ଥିବାରୁ ପୁଲିସକୁ ଘଟଣା ସମ୍ପର୍କରେ ଏତେଟା ସୂଚନା ଦେଇ ପାରିନାହାନ୍ତି। ଅଭିଯୋଗର ସତ୍ୟାସତ୍ୟ ଜାଣିବାକୁ ପୁଲିସର ଏକ ଟିମ୍ ଦୁର୍ଘଟଣାସ୍ଥଳ ଗରୁଣ୍ଡିଆ ନିକଟସ୍ଥ ତାମଡ଼ାକୁ ଯାଇଛି। ସେଠାରେ ଦୁର୍ଘଟଣା ଘଟିଥିଲା କି ନାହିଁ ତା’ର ମଧ୍ୟ ପୁଲିସ ଅନୁସନ୍ଧାନ କରୁଛି।
ଅନ୍ୟପକ୍ଷରେ ପାନପୋଷ ବିଜେପି ମହିଳା ମୋର୍ଚା ପକ୍ଷରୁ ଅବିଳମ୍ବେ ଅଭିଯୁକ୍ତମାନଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ରାଉରକେଲା ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସେହିପରି ଯେଉଁ ସ୍ଥାନରେ ଦୁର୍ଷ୍କମ ଘଟିଲା ସେହି ସ୍ଥାନ ଏବେ ଅସମାଜିକ ଯୁବକଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଥିବା ଦର୍ଶାଇ ସେଠାରେ ପୁଲିସ ପାଟ୍ରୋଲିଂ ଜୋରଦାର କରିବାକୁ ଦାବି କରାଯାଇଛି। ରାଉରକେଲା ଭଳି ସହରରେ ଏଭଳି ଅଭାବନୀୟ ଘଟଣାକୁ କଡ଼ା ନିନ୍ଦା କରିବା ସହିତ ପୁଲିସର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି ମହିଳା ମୋର୍ଚା। ଏ ନେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଏହା ଏକ ଗଣଦୁଷ୍କର୍ମ ଘଟଣା ହୋଇଥିବାରୁ ପୁଲିସ ତଦନ୍ତ ଉପରେ ଫୋକସ୍ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପ୍ରାଥମିକତା ଦେଉଛି। ଖୁବ୍ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ।
କିଛି ଅସମାହିତ ପ୍ରଶ୍ନ: ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ସାଧାରଣରେ ଅନେକ ସନ୍ଦେହ ମଧ୍ୟ ଉପୁଜୁଛି। ପ୍ରଥମତଃ ପୀଡ଼ିତା ଯୁବତୀ ଓ ତାଙ୍କ ସମ୍ପର୍କୀୟ ଯୁବକ ଏତେ ରାତିରେ କୁଆଡ଼େ ଯାଉଥିଲେ? ଦୁହେଁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଉଥିଲେ ମଧ୍ୟ ଯୁବତୀଙ୍କର କୌଣସି ସାମାନ୍ୟତମ କ୍ଷତ ହୋଇନାହିଁ କେମିତି? ଦୁଷ୍କର୍ମକାରୀମାନେ ଯୁବତୀଙ୍କୁ ବୋଲେରୋରେ ଅପହରଣ କରି ଆଣିଥିବାବେଳେ ତାଙ୍କ ସମ୍ପର୍କୀୟ ଯୁବକ ଜଣକ ରାଉରକେଲାରେ ପହଞ୍ଚିଲେ କେମିତି ? ଅଭିଯୁକ୍ତମାନେ ରାଉରକେଲା ଆସିବା ବାଟରେ କେଉଁ ନିଛାଟିଆ ସ୍ଥାନରେ ଦୁଷ୍କର୍ମ ନ କରି ଗୁରୁଣ୍ଡିଆରୁ ରାଉରକେଲା ପର୍ଯ୍ୟନ୍ତ କାହିଁକି ନେଇଆସିଲେ? ସେହିପରି ଦୁଷ୍କର୍ମକାରୀମାନେ ବାହାରେ ଦୁଷ୍କର୍ମ କରି ରାଉରକେଲା ଆଣି ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି କି?
ଏଭଳି ଅନେକ ପ୍ରଶ୍ନ ଏବେ ରାଉରକେଲାବାସୀଙ୍କ ମନରେ ଉଙ୍କି ମାରୁଛି। ତେଣୁ ତଦନ୍ତକାରୀ ପୁଲିସ ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।