ରାଉରକେଲା : ମଧୁସୂଦନପାଲୀର ଗରିବ ମହିଳା ସୁଷମା ଶ୍ରୀବାସ୍ତବ। ଡାକ୍ତରଙ୍କ ପାଖରେ ସ୍ବାସ୍ଥ୍ୟ ପରୀକ୍ଷା କଲେ। ଡାକ୍ତର ତାଙ୍କୁ ଅଲଟ୍ରା ସାଉଣ୍ଡ କରି ଆସ ବୋଲି କହିଥିଲେ। ସୁଷମା ଡାକ୍ତରଖାନା ପ୍ରେସ୍କ୍ରିପ୍ସନ୍ ଧରି ଅଲଟ୍ରା ସାଉଣ୍ଡ ବିଭାଗକୁ ଗଲେ। ଦାୟିତ୍ବରେ ଥିବା କର୍ମଚାରୀ ଅଲଟ୍ରା ସାଉଣ୍ଡ କେବଳ ଗର୍ଭବତୀ ମହିଳାଙ୍କ ପାଇଁ। ବାହାର କରି ଦିଅ ବୋଲି ସୁଷମାଙ୍କୁ କହିଥିଲେ। ଅଲଟ୍ରାସାଉଣ୍ଡ କରିବାକୁ ପାଖରେ ଅର୍ଥ ନଥିବାରୁ ଘରକୁ ଫେରି ଆସିଥିଲେ। ସେମିତି ଆଉ ଜଣେ ରୋଗୀ ହେଲେ ରେଲୱେ କଲୋନି ନୀଳକଣ୍ଠଶ୍ବର ମନ୍ଦିର ପାଖ ବସ୍ତିର ଅମ୍ଭିକା ଦାସ। ଅଲଟ୍ରା ସାଉଣ୍ଡ କରିବାକୁ ଯାଇଥିଲେ। ତାଙ୍କୁ ମଧ୍ୟ ବିଭାଗୀୟ ଅଧିକାରୀ ସେହି ସମାନ କଥା କହିଥିଲେ। ସୁଷମା, ଅମ୍ବିକା ନୁହେଁ ଦୈନିକ ଏମିତି ୮ରୁ ୧୦ ରୋଗୀ ବାହାରେ ଅଲଟ୍ରା ସାଉଣ୍ଡ କରିବାକୁ ବାଧ୍ୟ ହେଉଛନ୍ତି। ପାଖରେ ଟଙ୍କା ନଥିଲେ ହେଁ ଉଧାରି କରି ଅଲଟ୍ରାସାଉଣ୍ଡ କରାଉଛନ୍ତି।
ଅନୁରୂପ ଭାବେ ଡିଜିଟାଲ ଏକ୍ସ-ରେ ରହିଛି। ଚଳାଇବାକୁ ଟେକ୍ନିସିଆନ୍ ନାହାନ୍ତି। ଦୀର୍ଘ ଦିନ ଧରି ଡିଜିଟାଲ ଏକ୍ସ-ରେ ମେସିନ୍ ସେମିତି ପଡିଛି। ଫଳରେ ପୁରୁଣାକାଳିଆ ମେସିନ୍ରେ ଚାଲିଛି ଏକ୍ସ-ରେ। କେବେ ଟେକ୍ନିସିଆନ୍ ଆସିବେ ? ଡିଜିଟିଲା ଏକ୍ସ-ରେ କାର୍ଯ୍ୟକ୍ଷମ ହେବ କେହି କିଛି କହି ପାରୁ ନାହାନ୍ତି। ସେମିତି ଆର୍ଜିଏଚ୍ ମର୍ଗ ହାଉସ। ରହିଛି ୧୦ଟି ଏସି ଚାମ୍ବର। କାମ କରୁଛି ମାତ୍ର ୪ରୁ ୫ଟି। ଅବଶିଷ୍ଟ ୫ଟି କାମରେ ଆସୁନି। ଏସବୁ ଚାମ୍ବର ରଖାଯାଉଥିବା ଶବ ପଚି ସଢ଼ି ସମଗ୍ର ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଛି। ଏସି କାମ କରୁ ନଥିବା ୫ଟି ଚାମ୍ବରକୁ ଅନେକ ଥର ମରାମତି କରାଯାଇଛି। କିନ୍ତୁ ସ୍ଥିତି ଯେମିତିକୁ ସେମିତି।
ବିଭିନ୍ନ ଯୋଜନାରେ ଆର୍ଜିଏଚ୍ର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଛି। ମର୍ଗ ହାଉସ୍ ଏସି ଚାମ୍ବର ସ୍ଥାୟୀ ସମାଧାନ କରିବାକୁ ଯେମିତି ଡାକ୍ତରଖାନା କର୍ତ୍ତୃପକ୍ଷ ଭୁଲି ଯାଇଛନ୍ତି। ସରକାରଙ୍କ ତରଫରୁ ମିଳିଥିବା ମହାପ୍ରୟାଣ ଗାଡି ଡାକ୍ତରଖାନା ରକ୍ତ ଭଣ୍ଡାର ଆଗରେ ପଡିଛି। ଗାଡିର ଡ୍ରାଇଭର ବସିଛନ୍ତି। ବିଡମ୍ବନା, ଏହା ରୋଗୀଙ୍କ କୌଣସି କାମରେ ଆସୁନି। ଜିଲ୍ଲା ଖଜିଣ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠିରୁ ଆମ୍ବୁଲାନ୍ସ ମିଳିବା ପରେ ମହାପ୍ରୟାଣ ଗାଡି ଯେମିତି ଅଲୋଡା ହୋଇଯାଇଛି। ଏହି ଚାରିଟି ବ୍ୟବସ୍ଥା ନୁହେଁ, ଏମିତି ଆହୁରି ଅନେକ ବ୍ୟବସ୍ଥା ଡାକ୍ତରଖାନାରେ ରହିଛି। ମାତ୍ର ରୋଗୀଙ୍କ କୌଣସି କାମରେ ଆସୁନି। ମାସ ମାସ ଧରି ଏଭଳି ସମସ୍ୟା ଲାଗି ରହିଥିଲେ ହେଁ ସ୍ଥାୟୀ ପ୍ରତିକାର କରାଯାଉ ନାହିଁ। । ନିକଟରେ ଆର୍ଜିଏଚ୍କୁ ୪୦୦ ଶଯ୍ୟା ଡାକ୍ତରଖାନା ଘୋଷଣା କରାଯାଇଥିଲା। ଯାହା କେବଳ କାଗଜପତ୍ରରେ ସୀମିତ ରହିଛି। ଅଦ୍ୟାବଧି ଏ ଦିଗରେ କିଛି ପଦକ୍ଷେପ ନିଆଯାଇ ନାହିଁ। ରୋଗୀଙ୍କ ବୃ୍ହତ ସ୍ବାର୍ଥ ଦୃଷ୍ଟିରୁ ଉଭୟ ବିଜେପି ଓ କଂଗ୍ରେସ ସ୍ବର ଉଠାଇବା ପରିବର୍ତ୍ତେ ଚୁପ୍ ବସିଛନ୍ତି। ଶାସକ ଦଳ ବିଜେଡି ମଧ୍ୟ ମୁହଁ ଖୋଲୁ ନାହିଁ। ଫଳସ୍ବରୂପ ରୋଗୀମାନଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
/sambad/media/post_attachments/wp-content/uploads/2021/07/RGH.jpg)
ଆଇସିୟୁ, ଏମ୍ଆର୍ଆଇ ସୁବିଧା ଆଜି ଯାଏ ହେଉନି। ପୃଥକ ଦୁର୍ଘଟଣା ବିଭାଗ (ସେପାରେଟ୍ କାଜୁଆଲିଟି ବିଭାଗ) ନାହିଁ। ସ୍ବତନ୍ତ୍ର ଶବ ବ୍ୟବଚ୍ଛେଦ ସେବା ସୁବିଧା ପାଇଁ ପାନପୋଷ ଏସ୍ଡିଏମ୍ଓ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡୁଛି। ଫରେନ୍ସିକ୍ ବିଭାଗର ଆବଶ୍ୟକତା ରହିଛି। ଶିଶୁ ବିଭାଗର ଆଇସିୟୁ ବ୍ୟବସ୍ଥା ହେବ ହେବ ବୋଲି ହେଉ ନାହିଁ। ରେଡିଓଲୋଜିଷ୍ଟ ନଥିବାରୁ ଅଲଟ୍ରା ସାଉଣ୍ଡ ସେବା ଠିକ୍ ଭାବେ ମିଳୁ ନାହିଁ। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରମାନେ ଯେନତେନ ପ୍ରକାରେ ଚଳାଉଛନ୍ତି। ଅଡିଓଲୋଜିଷ୍ଟ, ନ୍ୟୁରୋଲୋଜିଷ୍ଟ, ସାଇକ୍ରେଟିକ୍ସ ବିଶେଷଜ୍ଞ ନାହାନ୍ତି। ଜଳପୋଡା ବିଭାଗ ଅଛି। କିନ୍ତୁ ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି। ହସ୍ପିଟାଲର ସବୁଠୁ ଗୁରୁତ୍ବ ବିଭାଗ ଏମ୍ଆର୍ଡି (ମେଡିକାଲ୍ ରେକର୍ଡ ଡିପାର୍ଟମେଣ୍ଟ) ପ୍ରତ୍ୟେକ ବିଭାଗର କାଗଜପତ୍ରଗୁଡ଼ିକ ଠିକ୍ ଭାବେ ଦେଖାରେଖା କରାଯାଇପାରୁ ନାହିଁ। ଡାକ୍ତର ଓ କର୍ମଚାରୀଙ୍କ ପାଇଁ ରହିଛି ମାତ୍ର ୧୬ଟି ସରକାରୀ କ୍ବାର୍ଟର୍ସ। ୫୫ ଡାକ୍ତରଙ୍କୁ ମାତ୍ର ୬ଟି, ୨୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ୧୦ଟି କ୍ବାର୍ଟର୍ସ ରହିଛି। ଉଲ୍ଲେଖଯୋଗ୍ୟ, ଆର୍ଜିଏଚ୍ ଉପରେ ରାଉରକେଲା ସମେତ ଜିଲ୍ଲାର ଅଧିକାଂଶ ଉପାନ୍ତ ବ୍ଲକ, ଝାଡ଼ଖଣ୍ଡ ଓ ଛତିଶଗଡର ରୋଗୀ ନିର୍ଭରଶୀଳ। ପ୍ରତ୍ୟେକ ଦିନ ବର୍ହିବିଭାଗରେ ୮୦୦ରୁ ୧୦୦୦ ଚିକିତ୍ସିତ ହେଉଛନ୍ତି। ଅର୍ନ୍ତବିଭାଗରେ ୩୦୦ରୁ ୪୦୦ ରୋଗୀ ଭର୍ତ୍ତି ହେଉଛନ୍ତି। ଶଯ୍ୟା ସଂଖ୍ୟା ୧୨୮ରୁ ବଢ଼ି ୨୭୬କୁ ବୃଦ୍ଧି ପାଇଛି। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ଯେତିକି ଗୁରୁତ୍ବ ଦିଆଯାଉଛି, ଆର୍ଜିଏଚ୍କୁ ସେତିକି ଗୁରୁତ୍ବ ଦିଆଯାଉ ନଥିବାରୁ ଏଭଳି ସ୍ଥିତି ଉପୁଜୁଛି।