ନଦୀରେ ଗଳିପଡିଲା ଚଳନ୍ତା ଟ୍ରେନ ଇଞ୍ଜିନ

ବର୍ତ୍ତିଲା କୋଚ୍, ସମସ୍ତ ଯାତ୍ରୀ ସୁରକ୍ଷିତ, ବନ୍ଧମୁଣ୍ଡାରୁ ଗଲା ରେଳ ଇଞ୍ଜିନ ଓ ରିଲିଫ ଟ୍ରେନ୍

ରାଉରକେଲା: ଆଜି ରାତି ପ୍ରାୟ ସାଢ଼େ ୮ଟାରେ ରାଉରକେଲା-ହଟିଆ ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି l ନୂଆଗାଁ ବ୍ଲକ ଠାରୁ ମାତ୍ର ୨୦ କି.ମି. ଦୂର ଝାଡ଼ଖଣ୍ଡର କନାରାଓଁ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ବଗି ଅଲଗା ହୋଇ ନଦୀରେ ଗଳି ପଡିଛି। ଟ୍ରେନ୍‌ ସମସ୍ତ କୋଚ୍‌ ସୁରକ୍ଷିତ ରହିଛି। କୋଚରେ କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି। ଟ୍ରେନ୍‌ରେ ରାଉରକେଲା ପ୍ରାୟ ୭୦ରୁ ଅଧିକ ଯାତ୍ରୀ ରହିଥିଲେ। ଟ୍ରେନ୍‌ ରାଉରକେଲାରେ ରାତି ପ୍ରାୟ ସାଢ଼େ ୧୨ଟା ସୁଦ୍ଧା ପହଞ୍ଚିବ ବୋଲି କୁହାଯାଉଛି।

ସେପଟେ ନଦୀରୁ ରେଳ ଇଞ୍ଜିନକୁ ଉଠାଇବ ସହ ଯାତ୍ରୀମାନଙ୍କୁ ରାଉରକେଲା ଆଣିବାକୁ ବନ୍ଧମୁଣ୍ଡା ଷ୍ଟେସନରୁ ଉଦ୍ଧାରକାରୀ ଟ୍ରେନ୍‌, ଇଞ୍ଜିନ ଓ କ୍ରେନ୍ କନାରାଓଁ ଷ୍ଟେସନ ଅଭିମୁଖେ ବାହାରିଥିବା ଏଆର୍‌ଏମ୍‌ ସୂଚନା ଦେଇଛନ୍ତି। କେଉଁ ପରିସ୍ଥିତିରେ ପାସେଞ୍ଜର ଟ୍ରେନର ବଗିରୁ ଇଞ୍ଜିନ୍‌ ଅଲଗା ହୋଇ ନଦୀରେ ଗଳିପଡିଲା ରେଲୱେ ଟେକ୍ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତା’ର ତଦନ୍ତ କରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ରାଉରକେଲା-ହଟିଆ ପାସେଞ୍ଜର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ହଟିଆ ଷ୍ଟେସନ ଛାଡିଥିଲା। ରାତି ପ୍ରାୟ ସାଢ଼େ ୮ଟାରେ ଝାଡ଼ଖଣ୍ଡର କନାରାଓଁ ଷ୍ଟେସନରେ ଅଟକିଥିଲା। ସେଠା‌ରେ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍‌ ରାଉରକେଲା ଅଭିମୁଖେ ବାହାରିଥିଲା। କନାରାଓଁ ଷ୍ଟେସନ ଛାଡିବାର ମାତ୍ର କେଇ ମିନିଟ୍‌ ପରେ ନଦୀ ପାରି ହେଉଥିବାବେଳେ ଚଳନ୍ତା ଟ୍ରେନ୍‌ରୁ ହଠାତ୍‌ ଇଞ୍ଜିନ୍‌ ଅଲଗା ହୋଇ ଯାଇଥିଲା। ଲାଇନଚ୍ୟୁତ୍‌ ହୋଇ ନଦୀରେ ଗଳି ପଡିଥିଲା। ଇଞ୍ଜିନ୍ ନଦୀରେ ଗଳି ପଡିଥିବା ଦେଖି ବଗିରେ ବସିଥିବା ଯାତ୍ରୀମାନେ ଚିତ୍କାର କରିଥିଲେ। ଷ୍ଟେସନ କାର୍ଯ୍ୟରତ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କୁ ଟ୍ରେନ୍‌ରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର