ରାଉରକେଲା : ରାଜ୍ୟ ସରକାର ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍) ଓ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସମାନ ମାନ୍ୟତା ଦେଇଛନ୍ତି। କିନ୍ତୁ, ସବୁକ୍ଷେତ୍ରରେ ଆର୍ଜିଏଚ୍ ପଛରେ ପଡ଼ିଯାଇଛି। ଉନ୍ନତମାନର ଚିକିତ୍ସା ସେବାତ ଦୂରର କଥା, ବର୍ଷ ବର୍ଷ ଧରି ଡାକ୍ତର ଓ ବେଡ୍ ଭଳି ସର୍ବନିମ୍ନ ଆବଶ୍ୟକତା ମଧ୍ୟ ପୂରଣ ହେଉନାହିଁ। ଫଳରେ, ରାଉରକେଲା ସହର ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ଏବଂ ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ଆସୁଥିବା ଶହଶହ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତିଦିନ ପ୍ରାୟ ୧ ହଜାର ରୋଗୀ ଚିକିତ୍ସା ପାଇଁ ଆର୍ଜିଏଚ୍କୁ ଆସୁଛନ୍ତି। ସେମାନଙ୍କ ଭିତରେ ରହିଛନ୍ତି ଅନେକ ଗୁରୁତର ରୋଗୀ। କିନ୍ତୁ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଏଠାରେ ଆବଶ୍ୟକ ସଂଖ୍ୟାରେ ଡାକ୍ତର ନାହାନ୍ତି। ଜଳାପୋଡ଼ା (ବର୍ଣ୍ଣ) ବିଭାଗ ସମେତ ଅନେକ ବିଭାଗ ଖାଲିପଡ଼ିଛି। ସେପଟେ ଅଡିଓଲୋଜିଷ୍ଟ, ରେଡ଼ିଓଲୋଜିଷ୍ଟ, ସାଇକିଟ୍ରିକ୍ସ ବିଶେଷଜ୍ଞ ମଧ୍ୟ ନାହାନ୍ତି। ସାଧାରଣ ଇଏନ୍ଟି ବିଭାଗରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ଡାକ୍ତର ନାହାନ୍ତି। ଗୁରୁତ୍ବପୂର୍ଣ୍ଣ ଶିଶୁ ବିଭାଗରେ ମଧ୍ୟ ସମାନ ସ୍ଥିତି। ୨୮୦ ଶଯ୍ୟା ବିଶିଷ୍ଟ ଆର୍ଜିଏଚ୍ ବିଭିନ୍ନ ବିଭାଗରେ ମୋଟ୍ ୭୦ ଡାକ୍ତର ରହିବା କଥା। କିନ୍ତୁ ବର୍ତ୍ତମାନ ଅଛନ୍ତି ମାତ୍ର ୫୧ଜଣ। ଅର୍ଥାତ୍, ୧୯ଟି ଡାକ୍ତର ପଦବି ଖାଲି ପଡ଼ିଛି। ଏଡ଼େ ବଡ଼ ଡାକ୍ତରଖାନାରେ ଅଲଟ୍ରାସାଉଣ୍ଡ ପାଇଁ ମଧ୍ୟ ରୋଗୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଆର୍ଜିଏଚ୍ରେ କେବଳ ଗର୍ଭବତୀମାନଙ୍କ ପାଇଁ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ରହିଛି। ପୁରୁଷ ଲୋକଙ୍କ ବ୍ୟବସ୍ଥା ନଥିବାରୁ ରୋଗୀ ବାହାକୁ ଯିବାଲାଗି ବାଧ୍ୟ ହେଉଛନ୍ତି। ବେଡ଼୍ ସମସ୍ୟା ଏଠାରେ ଅତି ସାଂଘାତିକ। ଆର୍ଜିଏଚ୍ରେ ରୋଗୀଙ୍କ ପାଇଁ ୨୮୦ ଟି ବେଡ଼୍ ରହିଛି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ହସ୍ପିଟାଲ ପକ୍ଷରୁ ନିଜସ୍ବ ଉଦ୍ୟମରେ କିଛି ଅଧିକ ବେଡ୍ର ବ୍ୟବସ୍ଥା କରାଯାଇଛି। କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ପରି।
ସୂଚନା ଅନୁସାରେ, ବେଡ଼୍ ବୃଦ୍ଧି କରିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ସମସ୍ୟାର ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପାଇଁ ଆର୍ଜିଏଚ୍କୁ ୫-ଟି ଟିମ୍ ଆସିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ୟାକୁ ଅନୁଭବ କରି ୨୦୧୯ରେ ଏହାକୁ ୪୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରାଯିବ ବୋଲି ଘୋଷଣା କରିଥିଲେ। ଏନେଇ ରାଉରକେଲାବାସୀ ତାଙ୍କୁ କୃତଜ୍ଞତା ଜଣାଇଥିଲେ। କିନ୍ତୁ ୨ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଫଳରେ ଅନେକ ଦୁର୍ଘଟଣାଗ୍ରସ୍ଥ ଓ ଗୁରୁତ୍ବର ରୋଗୀ ବେଡ଼୍ ଅଭାବରୁ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି।
ଅନେକ ମତ ଦିଅନ୍ତି ଯେ ଆର୍ଜିଏଚ୍ ସ୍ଥିତିରେ ଉନ୍ନତି ନଆସିବାର ଗୋଟିଏ ମୁଖ୍ୟ କାରଣ ହେଉଛି ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ। କେବଳ ଶାସକ ଦଳ ନୁହେଁ, ବିରୋଧୀ ଦଳଗୁଡ଼ିକର ନେତାମାନେ ମଧ୍ୟ ଏ ଦିଗରେ କେବେ ଆନ୍ତରିକ ଭାବେ ଉଦ୍ୟମ କରି ନାହାନ୍ତି।