ବିକ୍ରି ହେବ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି

ଲକ୍ଷେ ଟଙ୍କା ଅମାନତ ଜମା କଲେ ଶିଳ୍ପପତି, ୫ କୋଟି ୨୭ଲକ୍ଷରେ ବିକ୍ରି ପାଇଁ କମିଟିର ନିଷ୍ପତ୍ତି

ରାଉରକେଲା : ବକେୟା ଦରମା ଓ ଅନ୍ୟାନ୍ୟ ବିବାଦରେ ଛନ୍ଦି ହୋଇଥିବା ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆର୍‌ଆଇଟି) ବିକ୍ରି ହେବ। ଏଭଳି ନିଷ୍ପତ୍ତି ନେଇଛନ୍ତି ରାଉରକେଲା ଟେକ୍ନିକାଲ ଏଜୁକେଶନ ସୋସାଇଟିର ଅର୍ଥ କମିଟି। ଶିକ୍ଷାନୁଷ୍ଠାନକୁ ପ୍ରାୟ ୫ କୋଟି ୨୭ ଲକ୍ଷ ଟଙ୍କାରେ ବିକି ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆର୍‌ଆଇଟି ପରିଚାଳନା କମିଟି ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଉଦିତନଗର ଗଫୁର କଲୋନିର ଦାଦି ରିଏଲକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶକ ରାହୁଲ ବର୍ମନ ଶିକ୍ଷାନୁଷ୍ଠାନକୁ କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଟୋକନ୍‌ ମନି (ଅମାନତ) ବାବଦରେ ୧ ଲକ୍ଷ ଟଙ୍କା ଅର୍ଥ କମିଟି ଆଗରେ ଜମା କରିଛନ୍ତି। ଶ୍ରୀ ବର୍ମନ ଆଜି ଏ ସଂକ୍ରାନ୍ତରେ ଆର୍‌ଆଇଟି ପରିଚାଳନା କମିଟିର ସମ୍ପାଦକ/ସମ୍ପାଦକଙ୍କୁ ଚିଠି ଲେଖିଛନ୍ତି।

ସେ କଲୁଙ୍ଗାସ୍ଥିତ ଆର୍‌ଆଇଟିକୁ କିଣିବାକୁ ରାଜି ଅଛନ୍ତି। ଆବଶ୍ୟକୀୟ କାଗଜପତ୍ର ଇଡ୍‌କୋ ନିକଟରେ ଦାଖଲ ଅନୁମତି ପାଇଁ ଦାଖଲ କରି ସାରିଛନ୍ତି । ଇଡ଼୍‌କୋ ପକ୍ଷରୁ ଲିଜ୍‌ ଆକାରରେ କିଣିବାକୁ ଅନୁମତି ମିଳିବାର ୭ ଦିନ ମଧ୍ୟରେ ଅବା ଏହା ପୂର୍ବରୁ ଅର୍ଥ କମିଟି ପକ୍ଷରୁ ଧାର୍ଯ୍ୟ ୫ କୋଟି ୨୭ ଲକ୍ଷ ଟଙ୍କା ଜମା କରି ଦେବେ ବୋଲି ଶ୍ରୀ ବର୍ମନ ତାଙ୍କ ଚିଠିରେ ଦର୍ଶାଇଛନ୍ତି। ଅନୁରୂପ ଭାବେ ରାଉରକେଲା ଟେକ୍ନିକାଲ ଏଜକୁକେଶନ୍‌ ସୋସାଇଟିର ପକ୍ଷରୁ ଗତ ୬ ମାର୍ଚ୍ଚରୁ ଶିକ୍ଷାନୁଷ୍ଠାନକୁ ଲିଜ୍‌ ଅନୁମତି ପାଇଁ ଇଡ଼୍‌କୋ ନିକଟରେ ଆବେଦନ କରାଯାଇଛି। ଗତ ଦୁଇ ଦିନ ତଳେ ପରୀକ୍ଷାକୁ ନେଇ ଆର୍‌ଆଇଟିରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆର୍‌ଆଇଟିର କିଛି କର୍ମଚାରୀ ଓ ଛାତ୍ରମାନେ ସମ୍ପାଦକ ପ୍ରଭାତ ମହାପାତ୍ର, ସଭାପତି ରମେନ୍ଦ୍ର କୁମାର ପୂଜାରୀଙ୍କ ସିଟି ଅଫିସ୍‌ରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। କିଛି କର୍ମଚାରୀ ତାଙ୍କୁ ମାଡ ମରାଯାଇଥିବା ନେଇ ଉଭୟ ସଭପାତି ଶ୍ରୀ ପୂଜାରୀ ଓ ସମ୍ପାଦକ ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। କାମରେ ଯୋଗ ନ ଦେଇ ଅଧ୍ୟାପକ ଓ କର୍ମଚାରୀଙ୍କୁ ଏଭଳି ବିଶୃଙ୍ଖଳା ଆଚରଣକୁ ଉଭୟ ସଭାପତି, ସମ୍ପାଦକ ନା ପସନ୍ଦ କରିଛନ୍ତି।

ସଠିକ୍‌ ଭା‌ବେ ପରୀକ୍ଷା ପରିଚାଳନା ପାଇଁ ସଭାପତି ଶ୍ରୀ ପୂଜାରୀ ଅଧ୍ୟାପକ, କର୍ମଚାରୀଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଛନ୍ତି। ବିଶୃ୍ଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ପୂଜାରୀ ରାଉରକେଲା ଏସ୍‌ପି, ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏସବୁ ବାଦ ବିବାଦ ଭିତରେ ପଶ୍ଚିମ ଓଡ଼ିଶାର ଏକଦା ସୁନାମ ଅର୍ଜନ କରିଥିବା ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ତାଲା ଝୁଲିବାକୁ ଯାଉଛି। ଇଡ୍‌କୋ ପକ୍ଷରୁ ସବୁଜ ସଙ୍ଗେତ ମିଳିବା ପରେ ଶିକ୍ଷାନୁଷ୍ଠାନ ସବୁଦିନ ପାଇଁ ବନ୍ଦ ହୋଇଯିବ। ସେହି ସ୍ଥାନରେ ଶିକ୍ଷାନୁଷ୍ଠାନ ପରିବର୍ତ୍ତେ ଗଢ଼ି ଉଠିବ କାରଖାନା। ସେପଟେ ୩୭ ବର୍ଷର ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ଚଲାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦଷ୍ଟିରେ ରଖି ରାଜ୍ୟର ତୃତୀୟ ବୈଷୟିକ ଡିପ୍ଲୋମା କଲେଜ ଭାବେ ୧୯୮୪ରେ କଲୁଙ୍ଗାରେ ଆର୍‌ଆଇଟି ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଡିପ୍ଲୋମାର ତିନିଟି ବିଭାଗ ସିଭିଲ, ଇଲେକ୍ଟ୍ରିକାଲ, ମେକାନିକାଲ୍‌‌ ଖୋଲାଯାଇଥିଲା। ଚାହିଦା ବଢ଼ିବାରୁ ପରବର୍ତ୍ତୀ ସମୟରେ ଆଉ ତିନିଟି ବିଭାଗ କମ୍ପୁଟର, ମେଟ୍ରୋଲୋଜି, ଇଲେକ୍ଟ୍ରୋନିକ୍ସ ଖୋଲିଲା। ୨୦୦୦ରେ ଏମ୍‌ସିଏ, ଏମ୍‌ବି ଖୋଲିଥିଲା। ପାଖାପାଖି ୨୦୧୦ ବେଳକୁ ଆଇଟିଆଇ ଓ ପରେ ଆବାସିକ ଯୁକ୍ତ ଦୁଇ କଲେଜ ଖୋଲିଲା। ସେତେବେଳେ ଛାତ୍ରଛାତ୍ରୀଙ୍କ ପାଖାପାଖି ୧୨୦୦ରୁ ଅଧିକ ଥିଲେ। କର୍ମଚାରୀଙ୍କ ସଂଖ୍ୟା ଥିଲା ପ୍ରାୟ ୧୫୦ରୁ ଅଧିକ। କର୍ମଚାରୀଙ୍କ ମାସିକ ଦରମା ବାବଦରେ ପ୍ରାୟ ୨୫ରୁ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। କ୍ୟାମ୍ପସରେ ବହୁ ପ୍ରତିଷ୍ଠିତ କମ୍ପାନୀ ଆସୁଥିଲେ। କ୍ୟାମ୍ପସ ଜରିଆରେ ପ୍ରତିବର୍ଷ ବହୁ ଛାତ୍ରଛାତ୍ରୀ ନିଯୁକ୍ତି ପାଉଥିଲେ। ଗତ ୨୦୧୬ରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବା, ପରିଚାଳନାଗତ ତ୍ରୁଟି ଯୋଗୁଁ କଲେଜର ସ୍ଥିତି ବିଗିଡିବାକୁ ଲାଗିଥିଲା। ସ୍ଥିତି ସୁଧାରିବାକୁ ଗତ କିଛି ମାସ ପୂର୍ବରୁ କଲେଜ ଅଧୀନରେ ଥିବା ଗୋବିରାର ପ୍ରାୟ ୭ ଏକର ଜମି ବିକ୍ରି ବାବଦରେ ୩ କୋଟି ୨୫ ଲକ୍ଷ, କଲେଜ ହଷ୍ଟେଲ ବିକ୍ରି ବାବଦରେ ୧ କୋଟି ୫୦ ଲକ୍ଷ ଏମିତି ମୋଟ ୪ କୋଟି ୭୫ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିଲା। ୨୦୨୦ ଜୁଲାଇରୁ ଆଜି ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଜମି ଓ ହଷ୍ଟେଲ ବିକ୍ରିରୁ ମିଳିଥିବା ଟଙ୍କାକୁ ବକେୟା ଦରମା ବାବଦରେ ଦିଆଯାଇଛି।

ସମ୍ବନ୍ଧିତ ଖବର