ରାଉରକେଲା: ଓଡ଼ିଶାର ସର୍ବପୁରାତନ ରାଷ୍ଟ୍ରାୟତ୍ତ ଶିଳ୍ପସଂସ୍ଥା ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ଲୁହା ମହାକାଶ ଅଭିଯାନଠାରୁ ଆରମ୍ଭ କରି ଭାରତୀୟ ସ୍ଥଳସେନା, ନୌସେନା, ବାୟୁସେନାରେ ଆବଶ୍ୟକ ଯୁଦ୍ଧ ଜାହାଜ, ଟ୍ୟାଙ୍କ୍‌, ବୃହତ ସେତୁ, ବିଶାଳକାୟ ମୂର୍ତ୍ତି ଆଦି ବିଭିନ୍ନ ପ୍ରକଳ୍ପରେ ବ୍ୟବହୃତ ହେଉଛି। ଗଗନଯାନ, ଚନ୍ଦ୍ରୟାନ-୨, ଚନ୍ଦ୍ରୟାନ-୩, ଅଗ୍ନି ମିସାଇଲ୍‌, ନୌସେନା ପାଇଁ ଯୁଦ୍ଧ ଜାହାଜ, ଆଇଏନ୍‌ଏସ୍‌ ବିକ୍ରାନ୍ତ, ବିନ୍ଧ୍ୟଗିରି, ଆଇଏନ୍‌ଏସ୍‌ କମୋର୍ତ୍ତା, ଆଇଏନଏସ ଉଦୟଗିରି, ଆଇଏନଏସ୍‌ ସୁରଟ, ଯୁଦ୍ଧ ଟ୍ୟାଙ୍କ୍‌ ‘ଅର୍ଜୁନ’, ବିଭିନ୍ନ ବୁଲେଟ୍‌ପ୍ରୁଫ୍‌ ଯାନବାହନ, ବିଶ୍ବର ସର୍ବାଧିକ ଉଚ୍ଚତା ବିଶିଷ୍ଟ ‘ଚେନାବ୍‌ ରେଳ ବ୍ରିଜ୍‌’, ଅଟଳ ସେତୁ, ଗୁଜୁରାଟରେ ନିର୍ମିତ ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଆଦିରେ ଏଠାକାର ଇସ୍ପାତ ଲାଗିଛି। ଭାରତର ପ୍ରତିରକ୍ଷା ସ୍ୱଦେଶୀକରଣକୁ ମଜବୁତ କରିବା କ୍ଷେତ୍ରରେ ଆର୍‌ଏସ୍‌ପି ଆଉ ଏକ ପାଦ ଆଗେଇଛି। ଏବେ ଭାରତୀୟ ନୌସେନାର ସ୍ୱଦେଶୀ ପି-୧୭ ଏ ପ୍ରକଳ୍ପ ଅଧୀନସ୍ଥ ସପ୍ତମ ଯୁଦ୍ଧ ଜାହାଜ ନିର୍ମାଣ ନିମନ୍ତେ ଆବଶ୍ୟକ ୪ ହଜାର ଟନ୍‌ ସ୍ବତନ୍ତ୍ର ‘ମାରାଜିଂ ଗ୍ରେଡ୍‌’ ଷ୍ଟିଲ୍‌ ପ୍ଲେଟ୍ ଯୋଗାଇଛି ସେଲ୍। ସେଲ୍‌ ଅଧୀନସ୍ଥ ଆର୍‌ଏସ୍‌ପି ଓ ବୋକାରୋ ଇସ୍ପାତ କାରଖାନାରୁ ଏହି ଇସ୍ପାତ ପଠାଯାଇଛି।
Advertisment
ନୌସେନାର ପି-୧୭ଏ ପ୍ରକଳ୍ପ ଅଧିନରେ ଯୁଦ୍ଧ ଜାହାଜର ବିକାଶରେ ଆର୍‌ଏସ୍‌ପି ଏକ ପ୍ରମୁଖ ଅଂଶୀଦାର ଭାବେ ଉଭାହୋଇଛି। ଏହି ଯୁଦ୍ଧ ଜାହାଜକୁ ଇସ୍ପାତ ଯୋଗାଇବା ବ୍ୟତୀତ ସେଲ୍‌ ଅନେକ ପ୍ରମୁଖ ଭୂମିକା ତୁଲାଇଛି। ମେସର୍ସ ମାଜଗାନ ଡକ୍‌ ଲିମିଟେଡ ନିର୍ମିତ ଚତୁର୍ଥ ଯୁଦ୍ଧ ଜାହାଜକୁ ସେପ୍ଟେମ୍ବର ୧ ତାରିଖରେ ଉପରାଷ୍ଟ୍ରପତି ଜଗଦୀପ ଧନକର ଲୋକାର୍ପଣ କରିବେ। ପୂର୍ବରୁ ପି-୧୭ଏ ପ୍ରକଳ୍ପରେ ମାଜାଗନ୍ ଡକ୍ ଲିମିଟେଡ୍ ୨୦୧୯ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ୩ଟି ଓ  ମେସର୍ସ ଜିଆର୍‌ଏସଇ ୨୦୨୦ ଡିସେମ୍ବରରୁ ୨୦୨୩ ଅଗଷ୍ଟ ମଧ୍ୟରେ ୩ଟି ଯୁଦ୍ଧଜାହାଜ ନିର୍ମାଣ କରିଥିଲେ। ଏହି ଜାହାଜଗୁଡ଼ିକରେ ସେଲ୍‌ର ବିଭିନ୍ନ କାରଖାନାରୁ ପାଖାପାଖି ୨୮ ହଜାର ଟନ୍ ଇସ୍ପାତ ବ୍ୟବହୃତ ହୋଇଛି।