ରାଉରକେଲା: ନିକଟରେ ଚନ୍ଦ୍ରଯାନର ସଫଳତା ଯୋଗୁଁ ସାରା ବିଶ୍ବର ପ୍ରଶଂସା ସାଉଁଟିଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ନିଜର ଅନ୍ୟତମ ମହତ୍ବାକାଂକ୍ଷୀ ପ୍ରକଳ୍ପ ଗଗନଯାନ ଉପରେ ଜୋରସୋରରେ କାମ ଜାରି ରଖିଛି। ବୈଜ୍ଞାନିକଙ୍କୁ ନେଇ ମହାକାଶକୁ ଯିବାକୁ ଥିବା ଗଗନଯାନ କିନ୍ତୁ ଉତ୍କ୍ଷେପଣ ପୂର୍ବରୁ ଇସ୍ପାତ୍ ସହର ରାଉରକେଲା ସହ ସଂପର୍କ ଯୋଡ଼ି ସାରିଛି। କାରଣ, ଗଗନଯାନରେ ଖଞ୍ଜାଯାଇଛି ରାଉରକେଲା ଲୁହା କାରଖାନାର ଇସ୍ପାତ୍। ଖୋଦ୍ ଇସ୍ରୋର ଅଧ୍ୟକ୍ଷ ଏସ୍. ସୋମନାଥ ଏହି ସୂଚନା ଦେଇଛନ୍ତି।
ସଂସଦ ଟିଭିରେ ପ୍ରସାରିତ ଲୋକସଭା ସାଂସଦ ଶଶୀ ଥରୁରଙ୍କ ସହ ସାକ୍ଷାତ ଓ ଆଲୋଚନାବେଳେ ଇସ୍ରୋ ମୁଖ୍ୟ କହିଛନ୍ତି, କେବଳ ବାଙ୍ଗାଲୁରୁସ୍ଥ ଇସ୍ରୋର ମୁଖ୍ୟ କାର୍ଯ୍ୟାଳୟରେ ଗଗନଯାନ ଗଢ଼ା ଯାଇ ନାହିଁ। ବରଂ ଏଥିରେ ଲାଗିଥିବା ବିଭିନ୍ନ ଅଂଶ ଦେଶର ଭିନ୍ନଭିନ୍ନ ସ୍ଥାନରେ ଥିବା କଳକାରଖାନାରେ ତିଆରି କରି ଅଣାଯାଇଛି। ଗଗନଯାନ ରକେଟ୍ ପାଇଁ ମିଦାନି ହାଇଦ୍ରାବାଦରୁ କିଛି ସାମଗ୍ରୀ ଆସିଛି, ଆର୍ଏସ୍ପି ରାଉରକେଲାକୁ କିଛି ସାମଗ୍ରୀ ପଠାଯାଇ ସେଠାରେ ରୋଲ୍ କରାଯାଇଛି, କିଛି କଞ୍ଚାମାଲ ମୁମ୍ବାଇ ପଠାଯାଇ ଗୋଦରେଜ୍ରେ ଉପକରଣ ତିଆରି ହୋଇଛି, ବାଙ୍ଗାଲୋରରେ କିଛି କାମ କରି ପୁଣି ଆଉ କିଛି କାମ ପାଇଁ ମହେନ୍ଦ୍ରଗିରି ପଠାଯାଇଛି। ଯଦି ରାଉରକେଲା ଭଳି କାରଖାନା ଆମ ଦେଶରେ ଉପଲବ୍ଧ ଅଛି, ତାହେଲେ ଯାନର ନିର୍ମାଣ ପାଇଁ ତାର ବ୍ୟବହାର କଲେ କ୍ଷତି କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ପ୍ରକଳ୍ପର ସାମଗ୍ରିକ ବିକାଶର ଏକ ଅଂଶବିଶେଷ ବୋଲି ଥରୁରଙ୍କ ପ୍ରଶ୍ନର ଉତ୍ତରରେ ସୋମନାଥ କହିଛନ୍ତି।
ବିଭିନ୍ନ ସମୟରେ ଇସ୍ରୋର ମହାକାଶ ଅଭିଯାନରେ ଏଠାକାର ସ୍ବତନ୍ତ୍ର ମାନର ଇସ୍ପାତ ‘ମାରାଜିଂ’ ଗ୍ରେଡ୍ ବ୍ୟବହୃତ ହୋଇଛି। ଗଗନଯାନ ସମେତ ଚନ୍ଦ୍ରୟାନ-୨, ଚନ୍ଦ୍ରୟାନ-୩, ଅଗ୍ନି ମିସାଇଲ୍ରେ ମଧ୍ୟ ଏଠାକାର ଇସ୍ପାତ ବ୍ୟବହୃତ ହୋଇଥିଲା। ଏଠାରେ ଉତ୍ପାଦିତ ସର୍ବୋତ୍କୃଷ୍ଟ ମାନର ଇସ୍ପାତ ମୁଖ୍ୟତଃ ରକେଟ୍ର ବାହ୍ୟ ଆବରଣରେ ଲାଗିଥାଏ। ଗଗନଯାନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ୨୦୨୦-୨୧ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ସ୍ବତନ୍ତ୍ର ମାନର ଇସ୍ପାତ ପଠାଯାଇଥିଲା। ଇସ୍ରୋର ନିର୍ଦ୍ଦେଶକ୍ରମେ ପ୍ଲେଟ୍ ମିଲ୍ କାରଖାନାରେ ସ୍ବତନ୍ତ୍ର ପ୍ଲେଟ୍ ନିର୍ମାଣକରି ପ୍ରଥମେ ବାଲେଶ୍ବରରେ ଥିବା ଡିଆର୍ଡିଓ କେନ୍ଦ୍ରରେ ମାନ ପରୀକ୍ଷଣ କରାଯାଇଥିଲା। ସେଠାରେ ସ୍ବୀକୃତି ମିଳିବାପରେ ଏହାକୁ ବାଙ୍ଗାଲୋର ପଠାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/5g4j65j465gjgjgjgjgjd.jpg)