ରାଉରକେଲା: ବହୁ ବାଦବିବାଦ ପରେ ଶେଷ ହୋଇଛି ପଶ୍ଚିମ ଓଡ଼ିଶାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ଦ୍ବିତୀୟ ସେତୁ। କିନ୍ତୁ ଏଯାଏ ସରିଲାନି କୋଏଲ ନଦୀ ଉପରେ ନିର୍ମାଣଧୀନ ରାଉରକେଲା- ଯମୁନାନାକି ସେତୁ। ୨ ବର୍ଷ ମଧ୍ୟରେ ଶେଷ ହେବାକୁ ସମୟ ଧାର୍ଯ୍ୟ ‌ହୋଇଥିଲାବେଳେ ୩ ବର୍ଷ ବିତିଗଲାଣି। ସରିଛି ମାତ୍ର ୩୫% କାମ। ଅର୍ଥାତ୍‌ ବର୍ଷକୁ ଠିକାସଂସ୍ଥା ପକ୍ଷରୁ ହେଉଛି ମାତ୍ର ୧୨% କାମ। ଯଦି ଏଭଳି ନିର୍ମାଣ କାମ ଜାରି ରହେ, ସେତୁ ଶେଷ ହେବାକୁ ଆହୁରି ୪ ବର୍ଷରୁ ଅଧିକ ସମୟ ଲାଗିବ। କେବେ ସରିବ ବିଭାଗୀୟ ଅଧିକାରୀ ନିର୍ଦ୍ଦିଷ୍ଟ ଉତ୍ତର ଦେଇପାରୁ ନାହାନ୍ତି। କେବଳ ‘ଖୁବ୍‌ ଶୀଘ୍ର ଶେଷ ହେବ’ କହି ନିଜର କାମ ସାରି ଦେଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି।

Advertisment

ଅନ୍ୟପଟେ ସେତୁ ନିର୍ମାଣ ପାଇଁ ଦୀର୍ଘ ୫ ବର୍ଷ ଧରି ଲଢ଼େଇ ଜାରି ରଖିଥିବା କୁଆରମୁଣ୍ଡା ନାଗରିକ କମିଟି ପକ୍ଷରୁ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚେତାବନୀ ଦିଆଯାଇଛି। କମିଟିର ଆବାହକ ରାଜେଶ କେର୍କେଟା, ବୀରମିତ୍ରପୁର ପୌରପାଳିକାର ଅଧ୍ୟକ୍ଷ ସନ୍ଦୀପ ମିଶ୍ର, ବିଜେପିର ଯୁବ ସଭାପତି ବୁଲୁ ଚାନ୍ଦ ପ୍ରମୁଖ ଠିକା ସଂସ୍ଥାର ଅବହେଳାକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି। ଠିକାସଂସ୍ଥା ଉପରେ ସେମିତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଆଜି ନିର୍ମାଣଧୀନ ସେତୁର ଏଭଳି ସ୍ଥିତି ଉପୁଜିଛି। ବର୍ଷ ବର୍ଷ ଧରି କଚ୍ଛପ ଗତିରେ ନିର୍ମାଣ କାର୍ଯ୍ୟ ଚାଲୁଛି। ବର୍ଷା ଆସିଲେ ନିର୍ମାଣ କାର୍ଯ୍ୟ ବନ୍ଦ ରହୁଛି। ଏଥିପ୍ରତି ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ କାହିଁକି ନଜର ପଡୁନି ବୋଲି ରାଜେଶ କେର୍କେଟା ପ୍ରଶ୍ନ କରିଛନ୍ତି। ପଶ୍ଚିମ ଓଡ଼ିଶା ବିଭିନ୍ନ ଅଞ୍ଚଳକୁ ଯାତାୟତ ପାଇଁ ବ୍ରାହ୍ମଣ ସେତୁ ଉପରେ ଦୁଇ ଦୁଇଟି ସେତୁ ନିର୍ମାଣ ହୋଇଛି। ​ତେବେ ଯାତାୟତ, ସ୍ବାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଜଟିଳ ସମସ୍ୟାର ସମାଧାନ ପାଇଁ କୋଏଲନଦୀ ଉପରେ ମଧ୍ୟ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ୨୦୧୭ରେ କୁଆରମୁଣ୍ଡା ନାଗରିକ କମିଟି ସମେତ ଅନ୍ୟାନ୍ୟ ସଙ୍ଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା।

ତତ୍କାଳୀନ ସୁନ୍ଦରଗଡ଼ ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କୁ ଭେଟି ରାଉରକେଲା-ଜମୁନାନାକୀ ( ପ୍ରାୟ ୭୦୦ ମିଟର) କୋଏଲ ନଦୀ ଉପରେ ସେତୁ ନିର୍ମାଣ କରିବାକୁ ଦାବି ଜଣାଇଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ସମସ୍ୟାକୁ ଉପଲବ୍ଧ କରି ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ସବୁଜ ସଙ୍କେତ  ଦେଇଥିଲେ।  ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ସେତୁ ନିର୍ମାଣ କରାଯିବ ବୋଲି କହିଥିଲେ। ପରେ, ଅର୍ଥାତ୍‌ ୨୦୧୯ରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଡିଏମ୍‌ଏଫ୍‌ ପାଣ୍ଠିରୁ  ପ୍ରାୟ ୩୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏବେ ଆହୁରି ୪ କୋଟି ଟଙ୍କା ମଞ୍ଜୁର ହୋଇଥିବା କୁହାଯାଉଛି। ଅର୍ଥାତ୍‌ ସେତୁ ନିର୍ମାଣରେ ପ୍ରାୟ ୩୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ୨ ବର୍ଷ ମଧ୍ୟରେ, ଅର୍ଥାତ୍‌ ୨୦୨୧ ସୁଦ୍ଧା ସେତୁ ନିର୍ମାଣ କରିବାକୁ  ନିର୍ମାଣକାରୀ ଠିକାସଂସ୍ଥାକୁ କୁହାଯାଇଥିଲା।

ଇତି ମଧ୍ୟରେ ସୁନ୍ଦରଗଡ଼ରେ ୩ ଜଣ ଜିଲ୍ଲାପାଳ କାର୍ଯ୍ୟରେ ଯୋଗଦେଇ ଅନ୍ୟତ୍ର ବଦଳି ହୋଇଗଲେଣି। କିନ୍ତୁ ରାଉରକେଲା-ଜମୁନାନାକି ସେତୁ ସେମିତି କଚ୍ଛପ ଗତିରେ ଚାଲିଛି।  ନିକଟରେ ସୁନ୍ଦରଗଡ଼ରେ ପରାଗ ହର୍ଷଦ ଗାଭାଲି ନୂତନ ଜିଲ୍ଲାପାଳ ଭାବେ ଯୋଗଦେଇଛନ୍ତି। ନିର୍ମାଣଧୀନ ରାଉରକେଲା- ଜମୁନାନାକି ସେତୁ ସାରିବାକୁ କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି। ଉଲ୍ଲେଖଯୋଗ୍ୟ, ଏହି ସେତୁ ନିର୍ମାଣ ହେଲେ କୁଆରମୁଣ୍ଡା, ରାଞ୍ଚି, ରାଏବୋଗା, ବୀରମିତ୍ରର ସମେତ ଅନ୍ୟାନ୍ୟ ଅଞ୍ଚଳବାସୀ ଯାତାୟତଙ୍କ ସୁଗମ ହେବ। କୁଆରମୁଣ୍ଡାରୁ ରାଉରକେଲା ମଧ୍ୟରେ ୧୪ କି.ମି. ଦୂରତା ହ୍ରାସ ପାଇବ। ଚିକିତ୍ସା ପାଇଁ  ଆଇଜିଏଚ୍‌, ଆର୍‌ଜିଏଚ୍‌ ସମେତ ବିଭିନ୍ନ ଘରୋଇ ହସ୍ପିଟାଲକୁ ଯାଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଯାତାୟତର ଯନ୍ତ୍ରଣା ଦୂର ହେବ। ଶିକ୍ଷା ଓ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ସେତୁ ବେଶ୍‌ ସହାୟକ ହେବ।