ରାଉରକେଲା: ଆଗଉନି ରାଉରକେଲା- ଝାରସୁଗୁଡା ତୃତୀୟ ରେଳ ଲାଇନ୍‌। ଉଭୟ ପାର୍ଶ୍ବରେ କାମ ଚାଲିଥିବାବେଳେ ରାଉରକେଲା -ପାନପୋଷ ମଧ୍ୟରେ ଆଗଉନି। ଜବରଦଖଲ ସମସ୍ୟାରୁ ନିର୍ମାଣ କାମ କଚ୍ଛପ ଗତିରେ ଚାଲିଛି। ଆଜି ଦ.ପୂ. ରେଳବାଇ ଜିଏମ୍‌ ଅନୀଲ କୁମାର ମିଶ୍ର ରାଉରକେଲା-ଝାରସୁଗୁଡା ମଧ୍ୟରେ ଚାଲିଥିବା ତୃତୀୟ ରେଳଲାଇନ ସହ ଅନ୍ୟାନ୍ୟ କାମର ନିରୀକ୍ଷଣ କରିଥିଲେ। ଶ୍ରୀ ମିଶ୍ର ଚକ୍ରଧରପୁର ମଣ୍ଡଳ ଅଧିକାରୀ ଏଜେ ରାଠୋର ଓ ବରିଷ୍ଠ ଅଧିକାରୀଙ୍କ ସହ ସକାଳ ପ୍ରାୟ ସାଢ଼େ ୬ଟାରେ ଝାରସୁଗୁଡା ଷ୍ଟେସନରେ ପହଞ୍ଚିଥିଲେ। ସକାଳ ସାଢ଼େ ୮ଟାରେ ଝାରସୁଗୁଡା ରେଳଷ୍ଟେସନ, ୟାର୍ଡ ସହ ଚାଲିଥିବା ଅନ୍ୟ ବିକାଶମୂଳକ କାମ ତଦାରଖ କରିଥିଲେ। ଏଥିସହ ଝାରସୁଗୁଡା ଷ୍ଟେସନରେ ନିର୍ମାଣଧୀନ ରେଳ ଓଭରବ୍ରିଜ୍‌ର କାମ ମଧ୍ୟ ନିରୀକ୍ଷଣ କରିଥିଲେ। ଏହା ପରେ ଷ୍ଟେସନ ଓ ଷ୍ଟେସନ ପ୍ୟାନେଲ୍‌ ରୁମ୍‌ ବୁଲି ଦେଖିଥିଲେ। କଚ୍ଛପ ଗତିରେ ଚାଲିଥିବା କାମକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଝାରସୁଗୁଡା ପରେ ଜିଏମ୍‌ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ। ଡିଆର୍‌ଏମ୍‌ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ତୃତୀୟ ଲାଇନ୍‌ ନିର୍ମାଣ କାମ ଟିକିନିଖି ନିରୀକ୍ଷଣ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରାଉରକେଲା-ପାନପୋଷ ମଧ୍ୟରେ ରହିଥିବା ସମସ୍ୟାକୁ କିପରି ଦୂର କରାଯାଇ ପାରିବ, ଏଥିପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ତୃତୀୟ ରେଳଲାଇନ୍‌ ନିର୍ମାଣ କାମରେ ବାଧକ ସାଜିଛି ସହରର ୯ ବସ୍ତି। ପାଖାପାଖି ୩ ହଜାର ପରିବାରକୁ ଥରେ ନୁହେଁ ଏକାଧିକବାର ଉଚ୍ଛେଦ ନୋଟିସ୍‌ ଜାରି ସତ୍ତ୍ବେ ଖାଲି ହେଉନି। ବସ୍ତିବାସିନ୍ଦା ରେଳବାଇ ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ମାମଲାର ବିଚାର କରି ଉଚ୍ଛେଦ ସପକ୍ଷରେ ରାୟ ଦେଇଛନ୍ତି। ରେଳଲାଇନ ପାର୍ଶ୍ବରୁ ୬୫ ଫୁଟ୍‌ ପର୍ଯ୍ୟନ୍ତ ଖାଲିକରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏ ଦିଗରେ ପ୍ରଶାସନ କିମ୍ବା ରେଳବାଇ ସେମିତି କୌଣସି ଠୋସ୍‌ ପଦକ୍ଷେପ ନେଇ ନାହାନ୍ତି।