ରାଉରକେଲା: ୨୦୨୩ରେ ବର୍ଷ ତମାମ ଯାତ୍ରୀଙ୍କୁ ଧୋକା ଦେଲା। ୨୦୨୪ରୁ ସବୁ ଠିକ୍‌ ହୋଇଯିବ ବୋଲି କୁହାଗଲା। ହେଲେ ବର୍ଷ ଆରମ୍ଭରୁ ଘନ କୁହୁଡ଼ି ପାଇଁ ୭ ତାରିଖ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ବର ଓ ରାଉରକେଲା-କୋଲକାତା ବିମାନ ଉଡ଼ିବ ନାହିଁ ବୋଲି ଘୋଷଣା କଲେ। ୮ରୁ ଆରମ୍ଭ ହେବାକୁ ଥିବା ଉଡ଼ାଣକୁ ପୁଣି ଶେଷ ମୁହୂର୍ତ୍ତରେ ବାତିଲ କରିଦିଆଗଲା। ଆଜି ବିମାନ କମ୍ପାନି ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଉରକେଲାରୁ ବିମାନ ଉଡ଼ିବ ନାହିଁ ବୋଲି ଘୋଷଣା କରିଛି। ଘୋଷଣା ଅନୁଯାୟୀ ଗତ ମାସ ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ରାଉରକେଲା-କୋଲାକାତା ସିଧାସଳଖ ବିମାନସେବା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ୧୪ ତାରିଖ ପରେ ବିମାନ ପୁଣି ଉଡ଼ିବ କି ନାହିଁ, କାହାରି ପାଖରେ ତାର ଉତ୍ତର ନାହିଁ।

Advertisment

ଠିକ୍‌ରେ ଦୃଶ୍ୟମାନ ହେଉ ନଥିବାରୁ ବିମାନ ଉଡ଼ାଣ ଓ ଅବତରଣରେ ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେଉଛି। କୁହୁଡ଼ି ମଧ୍ୟରେ କିପରି ବିମାନକୁ ଠିକ୍‌ ଭାବେ ଅବତରଣ କରାଯାଇ ପାରିବ, ସେଥିପାଇଁ ଭୁବନେଶ୍ବର ବିମାନବନ୍ଦରରେ ୪ ଜଣ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍‌ (ଏଟିସି)ଙ୍କୁ ତାଲିମ ଦିଆଯାଉଛି। ଚାରି ଏଟିସିଙ୍କ ମଧ୍ୟରୁ ଦୁଇଜଣ ଖୁବ୍‌ ଶୀଘ୍ର ରାଉରକେଲା ଆସିବେ। ଦୁଇ ଏଟିସି ରାଉରକେଲାରେ ପହଞ୍ଚିବା ପରେ ଅବତରଣ ଓ ଉଡ଼ାଣରେ ହେଉଥିବା ସମସ୍ୟା କିଛି ମାତ୍ରାରେ ଦୂର ହେବ ବୋଲି କୁହାଯାଉଛି। ସେପଟେ ଆସନ୍ତା ଫେବ୍ରୁଆରି ଦ୍ବିତୀୟ ସପ୍ତାହରୁ ରାଉରକେଲାରେ ହକି ପ୍ରୋ-ଲିଗ୍‌ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୨୬ରୁ ଆଲିଆନ୍ସ ଏୟାର ବିମାନ ସପ୍ତାହକୁ ୩ ଦିନ କୋଲକାତା-ରାଉରକେଲା-ଭୁବନେଶ୍ବର-ରାଉରକେଲା-କୋଲକାତା ମଧ୍ୟରେ ଚଳାଚଳ କରିଥାଆନ୍ତା। ମାତ୍ର ଏହି ବିମାନ ଆରମ୍ଭ ହୋଇପାରି ନାହିଁ। ଏହାଛଡ଼ା ପୂର୍ବରୁ ଚାଲୁଥିବା ଭୁବନେଶ୍ବର-ରାଉରକେଲା ବିମାନ ମଧ୍ୟ ବନ୍ଦ ରହିଛି।