ରାଉରକେଲା: ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଛି। ରାଉରକେଲାରୁ ଭୁବନେଶ୍ବର ଦେଇ କୋଲକାତାକୁ ଯାତ୍ରୀବାହୀ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟାନୁସାରେ, ବୁଧବାର ସନ୍ଧ୍ୟା ଠିକ୍ ୫ଟା ୫ରେ ରାଉରକେଲା ବିମାନବନ୍ଦରରୁ ୫୭ ଜଣ ଯାତ୍ରୀଙ୍କୁ ନେଇ ଏଟିଆର୍-୭୨ ବିମାନ କୋଲକାତା (ଭାୟା ଭୁବନେଶ୍ବର) ଅଭିମୁଖେ ଉଡ଼ିଛି। ପ୍ରଥମ ଦିନରେ କୋଲକାତାରୁ ରାଉରକେଲାକୁ ୧୪ ଜଣ ଯାତ୍ରୀ ଆସିଥିବାବେଳେ ରାଉରକେଲାରୁ ୧୦ ଜଣ କୋଲକାତାକୁ ଯାତ୍ରା କରିଛନ୍ତି। ଅନ୍ୟମାନେ ଭୁବନେଶ୍ବରକୁ ଯାଇଛନ୍ତି। ଆସନ୍ତା ୬ ତାରିଖରୁ ବିମାନ ଚଳାଚଳ ସମୟରେ ପରିବର୍ତ୍ତନ କରାଯାଇଛି। ଯାହାଦ୍ବାରା ଯାତ୍ରୀ ସଂଖ୍ୟା ବେଶ ବୃଦ୍ଧି ପାଇବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଆଶା ପ୍ରକଟ କରିଛନ୍ତି।
ପୂର୍ବ ସମୟସୂଚୀ ଅନୁସାରେ କୋଲକାତାରୁ ଦିନ ୧ଟା ୫୦ରେ ବିମାନ ବାହାରି ୩ଟା ୨୦ରେ ଭୁବନେଶ୍ବରରେ ପହଞ୍ଚିଥିଲା। ସେଠାରେ ୨୫ ମିନିଟ୍ର ରହଣି ପରେ ଭୁବନେଶ୍ବରରୁ ୩.୪୫ରେ ବାହାରି ସଂଧ୍ୟା ୪.୪୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିଥିଲା। ରାଉରକେଲାରେ ମୋଟ ୬୯ ଜଣ ଯାତ୍ରୀ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣ ସିଧାସଳଖ କୋଲକାତାରୁ ଆସିଥିଲେ। ରାଉରକେଲାରେ ପ୍ରାୟ ୨୫ ମିନିଟ୍ର ରହଣିପରେ ବିମାନଟି ସନ୍ଧ୍ୟା ୫ଟା ୫ରେ ଉଡ଼ାଣ କରିଥିଲା। ଏଥିରେ ମୋଟ୍ ୪୭ ଜଣ ଭୁବନେଶ୍ବରକୁ ଓ ଅବଶିଷ୍ଟ ୧୦ ଜଣ କୋଲକାତାକୁ ଯାତ୍ରା କରିଥିଲେ। ପ୍ରଥମ ଦିନରେ ଅପେକ୍ଷାକୃତ କମ୍ ଯାତ୍ରୀ କୋଲକାତାରୁ ଆସିଛନ୍ତି ଓ ଯାଇଛନ୍ତି। କିନ୍ତୁ ଆଗାମୀ ଦିନରେ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି।
ବର୍ତ୍ତମାନ ସନ୍ଧ୍ୟା ୪.୪୦ ଘଣ୍ଟାରେ ବିମାନ ରାଉରକେଲାରେ ପହଞ୍ଚି ୫.୦୫ରେ କୋଲକାତା ଅଭିମୁଖେ ବାହାରୁଛି। ତେବେ ରାଉରକେଲା ବିମାନବନ୍ଦରରେ ଇନଷ୍ଟ୍ରୁମେଣ୍ଟ୍ ଲ୍ୟାଣ୍ଡିଂ ସିଷ୍ଟମ୍(ଆଇଏଲ୍ଏସ୍) ନଥିବାରୁ ପାଗ ଖରାପ ହେଲେ ବା ଆଲୁଅ କମ୍ ହେଲେ ବିମାନ ବାତିଲ ଆଶଂକା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ସମୟରେ ପରିବର୍ତ୍ତନ କରାଯାଇଛି। ଏହି କୋଲକାତା-ଭୁବନେଶ୍ବର-ରାଉରକେଲା ବିମାନ ଆସନ୍ତା ୬ ତାରିଖରୁ ନୂଆ ସମୟରେ ଉଡ଼ିବ। ଏହି ବିମାନ କୋଲକାତାରୁ ପୂର୍ବାହ୍ନ ୧୧.୪୦ରେ ବାହାରି ଦିନ ୧.୧୦ରେ ଭୁବନେଶ୍ବରରେ ପହଞ୍ଚିବ। ଭୁବନେଶ୍ବରରେ ୨୫ ମିନିଟ୍ର ରହଣି ପରେ ୧.୩୫ରେ ଭୁବନେଶ୍ବରରୁ ବାହାରି ମଧ୍ୟାହ୍ନ ୨.୩୦ରେ ରାଉରକେଲାରେ ପହଞ୍ଚିବ। ଏଠାରେ ମଧ୍ୟ ବିମାନର ରହଣି ସମୟ ୨୫ ମିନିଟ୍ ରଖାଯାଇଛି। ପରେ ମଧ୍ୟାହ୍ନ ୨.୫୫ରେ ରାଉରକେଲାରୁ ବାହାରି ୩.୫୦ରେ ଭୁବନେଶ୍ବର ଓ ସେଠାରୁ ସଂଧ୍ୟା ୪ଟା ୧୫ରେ ବାହାରି କୋଲକାତାରେ ୫ଟା ୪୫ରେ ପହଞ୍ଚିବ। ୨୦୨୪ ମାର୍ଚ୍ଚ ୩୧ ଯାଏ ଏହି ସୂଚୀ ଅନୁସାରେ ବିମାନ ଉଡ଼ିବ ସୂଚନା ମିଳିଛି।