ଲେବଲ୍‌ କ୍ରସିଂ ବିଭ୍ରାଟ : ଜଗୁଆଳି ନିଲମ୍ବିତ, ତଦନ୍ତ ଆରମ୍ଭ

ସିସିଟିଭି ଫୁଟେଜ୍‌ ଯାଞ୍ଚ ହୋଇ ଲୋକଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ

ରାଉରକେଲା : ରାଉରକେଲା ଆଇଟିଆଇ ରେଳ ଲେବଲ୍‌ କ୍ରସିଂ ବିଭ୍ରାଟ ପାଇଁ ସଂପୃକ୍ତ ଜଗୁଆଳି ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଫାଟକରେ ଲାଗିଥିବା ସିସିଟିଭି ରେକଡିଂକୁ ଯାଞ୍ଚ କରାଯାଉଛି। ତଦନ୍ତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ନିୟମ ଭାଙ୍ଗି ଜୋର୍‌ଜବରଦସ୍ତ ଫାଟକ ଭିତରକୁ ପ୍ରବେଶ କରିଥିବା ଲୋକେ ମଧ୍ୟ ଦଣ୍ଡିତ ହେବେ।

ଦକ୍ଷିଣ-ପୂର୍ବ ରେଳପଥ ସିନିଅର୍‌ ମ୍ୟାନେଜର ଆର୍‌. କେ. ଶ୍ରୀବାସ୍ତବ କହିଛନ୍ତି ଯେ ଆଇଟିଆଇ ଲେବଲ୍‌ କ୍ରସିଂ ବିଭ୍ରାଟ ସମ୍ପର୍କରେ ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ରିପୋର୍ଟ ଆଧାରରେ ଫାଟକ ଜଗୁଆଳୀଙ୍କୁ କାର୍ଯ୍ୟାରୁ ନିଲମ୍ବନ କରାଯାଇଛି। ଏହି ଫାଟକରେ ରେଳ ବିଭାଗ ପକ୍ଷରୁ ସିସିଟିଭି ଲାଗିଥିବାରୁ କାହାର ଭୁଲ୍‌ ପାଇଁ ଏଭଳି ଘଟିଲା ତାହା ସହଜରେ ଜଣାପଡ଼ିବ। ସେ କହିଲେ, ସାଧାରଣତଃ ଗେଟ୍‌ ଖୋଲାଥିଲେ ଟ୍ରେନ୍‌ ଫାଟକ ପାଖକୁ ଆସି ପାରିବ ନାହିଁ, ନିର୍ଧାରିତ ଦୂରତାରେ ଅଟକି ରହିଯିବ। ଗେଟ୍‌ ବନ୍ଦ କିମ୍ବା ଖୋଲିବା ବେଳେ ବେଲ୍‌ ବାଜିବ କିମ୍ବା ଏକ ନିର୍ଦିଷ୍ଟ ଶବ୍ଦ ହେବ। ଏହି ସମୟରେ କେହି ଗେଟ୍‌ ଭିତରକୁ ପ୍ରବେଶ କରିବା କଥା ନୁହେଁ। ଗତକାଲି ଗେଟ୍‌ ବନ୍ଦ ବେଳେ ଟେମ୍ପୋ ସମେତ ବହୁ ଗାଡ଼ି ଭିତରକୁ ପ୍ରବେଶ କରିଥିବା ଅଭିଯୋଗ ଆସିଛି। ସିସିଟିଭି ଫୁଟେଜ୍‌ ଯାଞ୍ଚ ବେଳେ ଯେଉଁମାନେ ଧରାପଡ଼ିବେ, ସେମାନଙ୍କ ବିରୋଧରେ ରେଳ ବିଭାଗ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଅପରାହ୍‌ଣ ପ୍ରାୟ ୨ଟା ବେଳେ ଲେବଲ୍‌ କ୍ରସିଂ ଭିତରେ ବହୁ ଲୋକ ଗାଡ଼ି ସହିତ ଥିବା ବେଳେ ‘ଦୂରନ୍ତ ଏକ୍ସପ୍ରେସ୍‌’ ଆସି ଯାଇଥିଲା। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିଲେ ମଧ୍ୟ ଏକ ବଡ଼ଧରଣର ଦୁର୍ଘଟଣା ଘଟିବାର ସବୁ ଆଶଙ୍କା ଥିଲା। ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର