ସିକ୍ୟୁରିଟି ଗାର୍ଡ ଲଗାଉଛନ୍ତି ସାଲାଇନ୍
ରୋଗୀଙ୍କୁ ମିଳୁନି ଲିଫ୍ଟ ସେବା
ସୁରକ୍ଷା ବ୍ୟବସ୍ଥା ଢ଼ିଲା
ହସ୍ପିଟାଲ ବିଲ୍ଡିଂରେ ଖର୍ଚ୍ଚ ୧୧.୫୨ କୋଟି
ରାଉରକେଲା : ଗତ ତିନି ବର୍ଷ ତଳେ ଲୋକାର୍ପିତ ରାଉରକେଲା ଜେନେରାଲ ହସପିଟାଲ (ଆର୍ଜିଏଚ୍) ମାତୃଶିଶୁ ହସ୍ପିଟାଲ (ଏମ୍ସିଏଚ୍) ରୋଗୀଙ୍କୁ ଦେଇ ପାରୁନି ଉପୁଯୁକ୍ତ ସେବା। କେବଳ ସ୍ମାର୍ଟ ସିଟି ରାଉରକେଲା ଓ ସୁନ୍ଦରଗଡର ବିଭିନ୍ନ ଉପାନ୍ତ ବ୍ଲକ ନୁହେଁ, ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡର ଅଧିକାଂଶ ସୀମାବର୍ତୀ ଇଲାକାର ଗର୍ଭବତୀ ମହିଳା ଏହି ହସ୍ପିଟାଲ ଉପରେ ନିର୍ଭରଶୀଳ। କିନ୍ତୁ ଏ ଅନୁଷ୍ଠାନର ପ୍ରଥମ ମହଲାରୁ ଆରମ୍ଭ କରି ପଞ୍ଚମ ମହଲା ପର୍ଯ୍ୟନ୍ତ ସବୁଠି ଅବ୍ୟବସ୍ଥା। ଦିନେ କି ଦୁଇ ଦିନ ନୁହେଁ ମାସ ମାସ ଧରି ଏଭଳି ସମସ୍ୟା ଲାଗି ରହୁଛି। ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନାନା ଦୁର୍ଦ୍ଦଶା ଭୋଗିବାକୁ ପଡୁଛି। ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି। ସମସ୍ତେ ବିଭିନ୍ନ ଆଳ ଦେଖାଇ କର୍ତ୍ତୃପକ୍ଷ ସମୟ ଗଡାଇ ଚାଲୁଛନ୍ତି।
ବିଲ୍ଡିଂ ତୃତୀୟ ମହଲାରେ ମୋଟ୍ ୨୦ଟି ବେଡ୍ ରହିଛି। ପାର୍ଶ୍ବରେ ଆଇସିୟୁ କକ୍ଷ ମଧ୍ୟ ଅଛି। ଦୁଇଟି କକ୍ଷ ଛାତରେ ଝୁଲୁଛି ମୃତ୍ୟୁର ଫାଶ। ଆଇସିୟୁ କକ୍ଷର ଦ୍ବାର ଉପର ଛାତର ସିଲିଂ ବିପଦଜନକ ସ୍ଥିତିରେ ରହିଛି। ତା’ର ଆଲୁମିନିୟମ ଏଙ୍ଗଲଗୁଡ଼ିକ ଝୁଲି ରହିଛି। ସେହି ବାଟ ଦେଇ ଆଶା କର୍ମୀ ଓ ନର୍ସମାନେ ନବଜାତ ଶିଶୁଙ୍କୁ ଆଇସିୟୁକୁ ନେବା ଆଣିବାକୁ କରୁଛନ୍ତି। ୱାର୍ଡରେ ଅଧିକାଂଶ ସମୟରେ ନର୍ସମାନେ ଡ୍ୟୁଟି କରୁ ନାହାନ୍ତି। ପ୍ରସୂତି ମହିଳାଙ୍କ କିଛି ଅସୁବିଧା ହେଲେ ସମ୍ପର୍କୀୟମାନେ ନର୍ସମାନଙ୍କୁ ଡାକିବାକୁ ତଳମହଲାକୁ ଯାଉଛନ୍ତି। ଡ୍ୟୁଟିରେ ଥିବା ନର୍ସମାନେ ଡାକ୍ତର ପାଖରେ ଅଛି ବୋଲି ସମ୍ପର୍କୀୟଙ୍କୁ ମନା କରି ଦେଉଛନ୍ତି। କିଛି ଉପାୟ ନ ପାଇ ସମ୍ପର୍କୀମାନେ ସିକ୍ୟୁରିଟି ଗାର୍ଡଙ୍କୁ ସାଲାଇନ୍ ଲଗାଇବାକୁ କହୁଛନ୍ତି। ଅନଭିଜ୍ଞ ଗାର୍ଡମାନେ ସାଲାଇନ ଦେବାକୁ ପ୍ରସୂତି ମହିଳାଙ୍କ ଦେହରେ ସିରଞ୍ଚି ଫୋଡୁଛନ୍ତି। ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ନର୍ସ ବିରୋଧରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତର ଓ ହସ୍ପିଟାଲ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ବିଡମ୍ବନା, ନିରୀହ ଗରିବଙ୍କ ଦୁଃଖ ଶୁଣିବାକୁ ଯେମିତି ଏମାନଙ୍କ ପାଖରେ ସମୟ ନାହିଁ। ଅନୁରୂପଭାବେ ପ୍ରସୂତି ମହିଳାଙ୍କ ବ୍ୟବହାର ଆବଶ୍ୟକ ଗରମ ପାଣି ପାଇଁ ହଟ୍ ୱାଟର ପଏଣ୍ଟର ବ୍ୟବସ୍ଥା ହୋଇଛି କିନ୍ତୁ ତାହା ମଧ୍ୟ କାମ କରୁନାହିଁ। ବାଧ୍ୟ ହୋଇ ରୋଗୀଙ୍କ ହସ୍ପିଟାଲ ବାହାରୁ ଗରମ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି।
ଦ୍ବିତୀୟ ମହଲାର ସ୍ଥିତି ଆହୁରି ସଙ୍ଗିନ୍। ଏଠି ପ୍ରସୂତି ମହିଳାଙ୍କ ବ୍ୟବହାର ପାଇଁ ଶୌଚାଳୟ ଅବସ୍ଥା ନ କହିବା ଭଲ। କାହାର ଗେଟ୍ ନାହିଁ ତ ପୁଣି କେଉଁ ଶୌଚାଳୟରେ ମାସ ମାସ ଧରି ବିଜୁଳି ଜଳୁନି। ପ୍ରସୂତି ମହିଳାଟିଏ ଅନ୍ଧାରରେ ଶୌଚାଳୟ ଯିବାକୁ ବାଧ୍ୟ ହେଉଛି। ସବୁଠୁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରୋଗୀ ଓ ତାଙ୍କ ସମ୍ପର୍କୀୟ। ଅଧିକାଂଶ ଗୁରୁତର ରୋଗୀଙ୍କୁ ଅସ୍ତ୍ରୋପଚାର କରିବାକୁ ରୋକ୍ଠୋକ୍ ମନା କରି ଦେଉଛନ୍ତି ଡାକ୍ତର। ଘରୋଇ ହସ୍ପିଟାଲଗୁଡ଼ିକୁ ଯିବାକୁ ବାଧ୍ୟ କରୁଛନ୍ତି। ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ନାଁକୁ ମାତ୍ର। ପ୍ରତ୍ୟେକ ମହଲାରେ ସିସି ଟିଭି ବ୍ୟବସ୍ଥା କରାଯାଇଛି। ଏଗୁଡ଼ିକ କାମ କରୁଛି କି ନାହିଁ ସନ୍ଦେହ। ଗତକାଲି ବିଶ୍ରା ରତାଖଣ୍ଡିରୁ ଆସିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ହୀରାମଣି ଓରାମଙ୍କ ମୋବାଇଲ, ସାଢ଼େ ୬ ହଜାର ଟଙ୍କା ଚୋରି ହୋଇଯାଇଛି। ଏ ସଂକ୍ରାନ୍ତରେ ମହିଳା ଜଣକ ଦୁଇ ଦୁଇଥର ହସ୍ପିଟାଲ ଫାଣ୍ଠିରେ ଅଭିଯୋଗ କରିଥିଲେ ହେଁ ପୁଲିସ ତାଙ୍କ କଥା ଶୁଣୁ ନଥିବା ସେହ ଅଭିଯୋଗ କରିଛନ୍ତି।
ତାଙ୍କ କହିବାନୁ ଯାୟୀ ସେ ଗତକାଲି ଦ୍ବିତୀୟ ମହଲା ବାହାରେ ଶୋଇଥିଲେ। କେହି ଦୁର୍ବୃତ୍ତ ତାଙ୍କର ଟଙ୍କା ଭର୍ତ୍ତି ଭ୍ୟାନିଟି ଓ ନଗଦ ସାଢ଼େ ୬ ହଜାର ଟଙ୍କା ଚୋରି କରି ନେଇଥିଲେ। ତେବେ ଏଠାରେ ମୁତୟନ ହୋଇଥିବା ଘରୋଇ ସିକ୍ୟୁରିଟି ସଂସ୍ଥାର କ’ଣ କରୁଛି ବୋଲି ରୋଗୀମାନେ ପ୍ରଶ୍ନ କରିଛନ୍ତି। ଲିଫ୍ଟ ରହିଥିଲେ ହେଁ ରୋଗୀମାନଙ୍କୁ ଚାଲି ଚାଲି ବେଡ୍କୁ ଯିବାକୁ ପଡୁଛି। ମାସ ମାସ ଧରି ଏମ୍ସିଏଚ୍ରେ ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ସତ୍ବେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଦାୟିତ୍ବରେ ଥିବା ଅଧିକାରୀ କୌଣସି ପଦକ୍ଷେପ ନେଉ ନଥିବାରୁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗତ ୨୦୧୭ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲକୁ ଲୋକାର୍ପିତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୮୫ ଲକ୍ଷ ଟଙ୍କାର ଯନ୍ତ୍ରପାତି କିଣାଯାଇଥିଲା। ଅଗ୍ନି ନିର୍ବାପକ ଯନ୍ତ୍ରପାତି ଲାଗି ଜିଲ୍ଲା ଖଣିଜ ପାଣ୍ଠିରୁ ୧ କୋଟି ୩୬ ଲକ୍ଷ ୬୮ ହଜାର ମଞ୍ଜୁର ହୋଇଥିଲା। ତେବେ ବାସ୍ତବରେ ଏସବୁ ରୋଗୀଙ୍କ ସେବାରେ ଆସୁନଥିବା ରୋଗୀଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ବହୁ ଦାବି ପରେ ଜାତୀୟ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ମିଶନ (ଏନ୍ଆର୍ଏଚ୍ଏମ୍) ପାଣ୍ଠିରୁ ଗତ ୨୦୧୨-୧୩ରେ ଆରଜିଏଚ୍ ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ଏମ୍ସିଏଚ୍ ବିଲ୍ଡିଂ ନିର୍ମାଣ କାମ ଆରମ୍ଭ ହୋଇଥିଲା। କେନ୍ଦ୍ର ପାଣ୍ଠିରୁ ମୋଟ ୧୧କୋଟି ୫୨ ଲକ୍ଷ ୬୮ ହଜାର ୯୯୯ ଟଙ୍କା ମଞ୍ଜୁର ହୋଇଥିଲା। ୨୦୧୬ ଡିସମ୍ବେରରେ ବିଲ୍ଡିଂ ନିର୍ମାଣ କାମ ଶେଷ ହୋଇଥିଲା।