ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ର ବିଭିନ୍ନ ବିଭାଗରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ତଦନ୍ତ ପରେ ନିର୍ଦ୍ଦେଶକ ଏହା ଜାଣିବାକୁ ପାଇଛନ୍ତି। ଏଥିରେ ଡାକ୍ତରଖାନା ମ୍ୟାନେଜର ଓ ଅନ୍ୟ କିଛି ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ନିକଟରେ ନିର୍ଦ୍ଦେଶକ ଡାକ୍ତରଖାନା ମ୍ୟାନେଜରଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ। ଆର୍ଜିଏଚ୍ରେ ଲାଗିଥିବା ଅବ୍ୟବସ୍ଥା ଓ ଦୁର୍ନୀତିକୁ ଗୁରୁତ୍ବର ସହ ନେଇଛନ୍ତି ରଘୁନାଥପାଲି ବିଧାୟକ ଦୁର୍ଗା ତନ୍ତୀ। ଶୁକ୍ରବାର ଆର୍ଜିଏଚ୍ ପରିଦର୍ଶନରେ ଯାଇ ହସ୍ପିଟାଲରେ ଚିକିତ୍ସାଧିନ ରୋଗୀଙ୍କୁ ଭେଟିଥିଲେ। ବିବିଧ ସମସ୍ୟା ଉପରେ କଥା ବାର୍ତ୍ତା କରିଥିଲେ। ପ୍ରବଳ ଗରମରେ ଆବଶ୍ୟକ କୁଲର, ଫ୍ୟାନ୍ ନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଥିବା ଦର୍ଶାଇଥିଲେ। ପରେ ଶ୍ରୀ ତନ୍ତୀ ଆର୍ଜିଏଚ୍ ନିର୍ଦ୍ଦେଶକଙ୍କୁ ଭେଟିଥିଲେ।
/sambad/media/post_attachments/wp-content/uploads/2024/06/f1d7346e-71fd-42e0-851c-4ca933162145-e1718990308517.jpeg)
ଆଉଟସୋର୍ସିଂ ଦାୟିତ୍ୱରେ ଥିବା ମ୍ୟାନେଜରଙ୍କ ବିରୋଧରେ ଆସୁଥିବା ବିଭିନ୍ନ ଦୁର୍ନୀତି ଅଭିଯୋଗ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବିଧାୟକ ଶ୍ରୀ ତନ୍ତୀ କହିଛନ୍ତି ମ୍ୟାନେଜର ବିଗତ ସରକାରର ମନ୍ତ୍ରୀ ଓ ବିଧାୟକଙ୍କ ମଧୁଚନ୍ଦ୍ରିକାରେ ଏହି ଦୁର୍ନୀତି କରୁଥିଲେ। ନିର୍ଦ୍ଦେଶକଙ୍କୁ ମଧ୍ୟ ବେଖାତିର କରୁଥିଲେ। ଶ୍ରୀ ତନ୍ତୀ ହସ୍ପିଟାଲ ପାଇଁ ଆବଶ୍ୟକ ଡାକ୍ତର, ନର୍ସିଂ ଷ୍ଟାଫ, ଅନ୍ୟାନ୍ୟ କର୍ମଚାରୀଙ୍କ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ବର୍ତ୍ତମାନ କେତେ ଡାକ୍ତର ଓ କର୍ମଚାରୀ ଅଛନ୍ତି ତା’ ଉପରେ ତଥ୍ୟ ଦେବାକୁ କହିଥିଲେ। ନିର୍ଦ୍ଦେଶକ ତଥ୍ୟ ଦେବା ସହିତ ଗୁରୁତ୍ବପୂର୍ଣ୍ଣ ଡାକ୍ତରୀ ଯନ୍ତ୍ରପାତି, ଉପକରଣ, ଡାକ୍ତର, ନର୍ସିଂ ଷ୍ଟାଫ୍ଙ୍କ ଅଭାବ ଆଦି ସଂପର୍କରେ ସୂଚନା ଦେଇଥିଲେ।
ରୋଗୀ ସଂଖ୍ୟା ଅନୁପାତରେ ଡାକ୍ତରଖାନାର ଶଯ୍ୟା ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ଵ ଦେଇଥିଲେ। ଏହାପରେ ଶ୍ରୀ ତନ୍ତୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆର୍ଜିଏଚ୍ର ବିବିଧ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଆର୍ଜିଏଚ୍ରେ ଚାଲିଥିବା ଦୁର୍ନୀତି ଓ ବିଭିନ୍ନ ସମସ୍ୟା ସଂପର୍କରେ ଉଦ୍ବେଗ ପ୍ରକାଶ କରିଥିଲେ। ଏଥି ସହିତ ତୁମକେଲା, ଲୁହାକେରା, ହମିରପୁର ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ଅଞ୍ଚଳର ରାସ୍ତା, ଡ୍ରେନ, ଷ୍ଟ୍ରିଟଲାଇଟ୍ ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ସବୁ ସମସ୍ୟାର ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ପ୍ରତଶ୍ରୁତି ଦେଇଥିଲେ। ବିଧାୟକଙ୍କ ସହିତ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ବରିଷ୍ଠ ନେତା ପ୍ରଫୁଲ୍ଲ ମିଶ୍ର, ପଶ୍ଚିମ ମଣ୍ଡଳ ସଭାପତି ସନ୍ତୋଷ ବିରାଟ, ଟିକେଶ୍ୱର ତାଣ୍ଡିଆ, ଅବିନାଶ ସାମଲ, ନିରଞ୍ଜନ ସେନାପତି, ହେମନ୍ତ ଜେନା, କୈଳାଶ ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/a1e83441-aa5e-4c47-b98f-2db20f6cc5de-1.jpeg)