ରାଉରକେଲା : ମହାନଗର ନିଗମ ଘୋଷଣା ପରଠାରୁ ନିର୍ବାଚନ ହୋଇ ନାହିଁ। ପ୍ରତିନିଧି ନଥିବାରୁ ଆର୍ଏମ୍ସିରେ ଚାଲିଛି ନିରଙ୍କୁଶ ଶାସନ। ସହରବାସୀଙ୍କ ମୌଳିକ ସମସ୍ୟା ହେଉ ଅବା ସହରର ବିକାଶକୁ ଆର୍ଏମ୍ସି ଯେତିକି ଗୁରୁତ୍ବ ଦେବା କଥା, ସେତିକି ଗୁରୁତ୍ବ ଦେଉ ନାହାନ୍ତି। ପ୍ରତିବାଦ କରିବାକୁ କେହି ନଥିବାରୁ ବିଭାଗୀୟ ଅଧିକାରୀମାନେ ମନଇଚ୍ଛା କାମ କରୁଥିବା ବାରମ୍ବାର ଅଭିଯୋଗ ହେଉଛି। ସବୁଠୁ ଆଶ୍ଚର୍ଯ୍ୟ କଥା ବିଭାଗ ବିଭା ମଧ୍ୟରେ ଉପଯୁକ୍ତ ସମନ୍ବୟ ରହୁନାହିଁ। କେହି କାହା କଥା ଶୁଣିବାକୁ ନାରାଜ। ତଥ୍ୟ ସଂକ୍ରାନ୍ତରେ ପଚାରିଲେ ଆମେ କିଛି ଜାଣି ନାହୁଁ। ଆମକୁ କେହି ଏ ସଂକ୍ରାନ୍ତରେ କୌଣସି ଅଧିକାରୀ କହି ନାହାନ୍ତି ବୋଲି ସଫେଇ ଦେଉଛନ୍ତି।
ଦାୟିତ୍ବରେ ଥିବା ଅଧିକାରୀ ବିଭାଗକୁ ତଥ୍ୟ ମାଗିଲେ ଦେଉ ନାହାନ୍ତି। ବିଭିନ୍ନ ଆଳ ଦେଖାଇ ତଥ୍ୟ ଦେବାକୁ ପଛଘୁଞ୍ଚା ଦେଉଛନ୍ତି। ଏ ସଂକ୍ରାନ୍ତରେ ଆର୍ଏମ୍ସି କର୍ତ୍ତୃପକ୍ଷ ଜାଣୁଥିଲେ ହେଁ ନୀରବଦ୍ରଷ୍ଟା ସାଜୁଛନ୍ତି। ସୂଚନା ଅଧିକାର ବଳରେ ଆର୍ଏମ୍ସି ତିନିଟି ବିଭାଗର କିଛି ତଥ୍ୟରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଗତ ୨୦୨୧ ମାର୍ଚ୍ଚ ୪ରେ ଆର୍ଟିଆଇ ଦାୟିତ୍ବରେ ଥିବା ଅଧିକାରୀ ସୂଚନା ସମ୍ପର୍କିତ ଚିଠି ପାଇଥିଲେ। ଚାରି ଦିନ ପରେ ଅର୍ଥାତ୍ ୮ ମାର୍ଚ୍ଚରେ ଆର୍ଟିଆଇ ଦାୟିତ୍ବରେ ଥିବା ଅଧିକାରୀ ତିନି ବିଭାଗରୁ ସୂଚନା ପାଇବାକୁ ଚିଠି ଇସ୍ୟୁ କରିଥିଲେ। ଚିଠି ଇସ୍ୟୁର ମାସେ ପରେ ମଧ୍ୟ ତିନି ବିଭାଗର ଜଣେ ହେଲେ ଅଧିକାରୀ କୌଣସି ସୂଚନା ଦେଇ ନଥିବା ଆର୍ଟିଆଇ ଦାୟିତ୍ବରେ ଥିବା ଅଧିକାରୀ ଜଣାଇଛନ୍ତି। ସହରବାସୀଙ୍କ ଜାଣିବାକୁ କେତୋଟି ତଥ୍ୟ ମଗାଯାଇଥିଲା। ସୂଚନା ଗୁଡ଼ିକ ମଧ୍ୟରେ କରୋନା ମୁକାବିଲା ପାଇଁ ଆର୍ଏମ୍ସି ପକ୍ଷରୁ ଅଦ୍ୟାବଧି କେତେ ଟଙ୍କା କେଉଁ କେଉଁ ପାଣ୍ଠିରୁ ଖର୍ଚ୍ଚ ହୋଇଛି ? କରୋନାରେ ସହରର କେତେ ଲୋକଙ୍କୁ କେତେ ଦିନର ମାଗଣରେ ଦୁଇ ଭଳି ଖାଦ୍ୟ ବଣ୍ଟନ କରାଯାଇଥିଲା ? ଏ ବାବଦରେ ଆର୍ଏମ୍ସି କେତେ ଟଙ୍କା ବ୍ୟୟ କରିଛି ? କଣ୍ଟେନମେଣ୍ଟ ଜୋନ୍ରେ ବନ୍ଧାଯାଇଥିବା ବାଉଁଶ ବାଡରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି ? ଇତ୍ୟାଦି ସଂକ୍ରାନ୍ତରେ ସୂଚନା ମଗାଯାଇଥିଲା।
ଦୁର୍ନୀତି ହୋଇଥିବାରୁ ବିଭାଗୀୟ ଅଧିକାରୀ ଏସବୁ ତଥ୍ୟ ଦେବାକୁ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଉଥିବା ସଦେନ୍ଦ କରାଯାଉଛି। କାରଣ ନିକଟରେ କରୋନାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ବିଧାନସଭାରେ ବିରୋଧୀଦଳର ନେତାମାନେ ପ୍ରଶ୍ନ ଉଠାଇଥିଲେ। ପଞ୍ଚାୟତ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଦୁର୍ନୀତିର ଗନ୍ଧ ବାହାରିଥିଲା। ସେପଟେ ଆର୍ଟିଆଇ ନିୟମ ଅନୁଯାୟୀ ସୂଚନା ସମ୍ବଳିତ ପ୍ରଶ୍ନର ଉତ୍ତର ମାସକ ମଧ୍ୟରେ ଦେବା ଦରକାର। କିନ୍ତୁ ଆର୍ଏମ୍ସିର ବିଭାଗୀୟ ଅଧିକାରୀ ଆର୍ଟିଆଇ ନିୟମକୁ ଫୁଃ କରି ଦେଇଛନ୍ତି। ଦୁର୍ନୀତି ଲୁଚାଇବାକୁ ବିଭାଗୀୟ ଅଧିକାରୀମାନେ ଏମିତି ବାହାନା କରୁଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଥିରୁ ଆର୍ଏମ୍ସିରେ ପ୍ରତ୍ୟେକ ବିଭାଗର କାର୍ଯ୍ୟ କେମିତି ଚାଲିଛି ବିଭାଗୀୟ ଅଧିକାରୀଙ୍କୁ ଠାରୁ ମିଳିଥିବା ଚିଠି ସ୍ପଷ୍ଟ ବାରି ହୋଇ ପଡୁଛି।