ଝୁଲି ରହିଲା ରାଉରକେଲା ମହାନଗର ନିର୍ବାଚନ, ସରକାରଙ୍କର ଆନ୍ତରିକତା ନାହିଁ!

ରାଉରକେଲା : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଇତିମଧ୍ୟରେ ସଂରକ୍ଷଣ ତାଲିକା ପ୍ରକାଶ ପାଇସାରିଛି। ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌର ନିର୍ବାଚନ ହେବାକୁ ଯାଉଥିବାବେଳେ ହାଇକୋର୍ଟରେ ମାମଲା ଥିବା କାରଣରୁ ରାଉରକେଲା ମହାନଗର ନିଗମ (ଆରଏମସି) ନିର୍ବାଚନ ପ୍ରସଙ୍ଗ ପୂର୍ବଭଳି ଝୁଲି ରହିଛି। ତେବେ ଆରଏମସି ନିର୍ବାଚନ କରାଇବାଲାଗି ରାଜ୍ୟ ସରକାର ଚାହୁ ନାହାନ୍ତି, ଅତିକମ୍‌ରେ ଏଥିପାଇଁ ସରକାରଙ୍କର କୌଣସି ଆନ୍ତରିକତା ନଥିବା ଭଳି ମନେ ହେଉଛି। କାରଣ ଉକ୍ତ ବିବାଦର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ ହେଉନାହିଁ। ଅଦାଲତରେ ମାମଲା ଥିବା କେବଳ ଏକ ଆଳ ବୋଲି ଆଲୋଚନା ହେଉଛି।

ଉଲ୍ଲେଖନୀୟ ଯେ ରାଉରକେଲା ମହାନଗର ନିଗମ ପାଇଁ ଅତିକମ୍‌‌ରେ ୩ ଲକ୍ଷ ଜନସଂଖ୍ୟାର ଆବଶ୍ୟକତା ରହିଛି। ଏଥିପାଇଁ ୩୩ ୱାର୍ଡରେ ରାଉରକେଲାକୁ ଲାଗି ଆହୁରି ୭ଟି ୱାର୍ଡ଼ ସୃଷ୍ଟିକରି ୪୦ ୱାର୍ଡ କରାଯାଇଛି। ସଂଯୋଗ ହୋଇଥିବା ୭ଟି ୱାର୍ଡରେ ଜଗଦା, ଝାଡ଼ଖଣ୍ଡ ପଞ୍ଚାୟତ, ବ୍ରାହ୍ମଣୀତରଙ୍ଗ, ସାନ ବ୍ରାହ୍ମଣୀତରଙ୍ଗ, ନବକୃଷ୍ଣନଗର, ତଳବାଲିଯୋଡି, ଆଇଡିଏଲ୍ କଲୋନି, ଗୋପବନ୍ଧୁନଗର, ଭଞ୍ଜ କଲୋନି, ବଡ ସୋନାପର୍ବତ ଓ ଧରମଡିହିରୁ କିଛି କିଛି ଅଞ୍ଚଳ ସାମିଲ କରାଯାଇଛି। ତେବେ ବିବାଦ ଉପୁଜିଛି ଦୁଇଟି ପଞ୍ଚାୟତ ଜଗଦା ଓ ଝାଡ଼ତରଙ୍ଗର ମିଶ୍ରଣରୁ। ଏହି ଦୁଇ ପଞ୍ଚାୟତର ଜନସଂଖ୍ୟା ପାଖାପାଖି ୨୦ ହଜାର। ସେମାନେ ଆରଏମସିରେ ସାମିଲ ହେବାକୁ ଚାହୁଁନାହାନ୍ତି। କାରଣ ସେମାନେ କିଛି ସରକାରୀ ସୁବିଧାରୁ ବଞ୍ଚିତ ହେବାସହିତ କିଛି ଅଧିକ ଖଜଣା ଦେବା‌କୁ ବାଧ୍ୟ ହେବେ। ସେମାନଙ୍କ ଗାଁ ବା ପଞ୍ଚାୟତକୁ ମହାନଗରରେ ମିଶାଇବାକୁ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦୁଇ ପଞ୍ଚାୟତବାସିନ୍ଦ ୨୦୧୫ ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ମାମଲାର ବିଚାର କରି ନିର୍ବାଚନ ଉପରେ ରହିତାଦେଶ ଦେଇଥିଲେ। ଆଜିକୁ ୬ ବର୍ଷ ଧରି ସେମିତି କୋର୍ଟରେ ମାମଲା ଗଡ଼ୁଛି। ସରକାର ଆଜି ଯାଏଁ ନିଜର ପକ୍ଷ ରଖି ନାହାନ୍ତି। ଅନ୍ୟପଟେ ୨୦ ହଜାର ଭୋଟରଙ୍କ ପାଇଁ ଯେଉଁ ଦୁଇଟି ପଞ୍ଚାୟତକୁ ସାମିଲ କରାଯାଇଛି, ତାକୁ ବାଦ୍ ଦେଇ ମଧ୍ୟ ମହାନଗର ସୃଷ୍ଟି କରା ଯାଇପାରିବ। କିନ୍ତୁ ସେ ଦିଗରେ ଉଦ୍ୟମ ହେଉନାହିଁ କି ବିଚାର କରା ଯାଉନାହିଁ। ବର୍ଷ ବର୍ଷ ଧରି ଉପେକ୍ଷିତ ଅବସ୍ଥାରେ ରହିଥିବା ତଲିକାନଗର, ଫୁଲବାରୀ, ଚମ୍ପାଗଡ, କୋଇଲାଗେଟ, ଉତ୍ତମବସ୍ତି, ଲୁଆକେରା, ତୁମକେଲା, ହମିରପୁର ଆଦି ବସ୍ତିର ଜନସଂଖ୍ୟା ୨୦ ହଜାରରୁ ଢ଼େର ଅଧିକ। ଏସବୁ ଅଞ୍ଚଳକୁ ମହାନଗରରେ ସାମିଲ କରାଯିବାର ଅସୁବିଧା କେଉଁଠି ? ସରକାର ଏହା ନ କରି ହାଇକୋର୍ଟଙ୍କ ରହିତାଦେଶର ଆଳ ଦେଖାଇ ନିର୍ବାଚନ ନକରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସହରରେ ଆଲୋଚନା ହେଉଛି।

India Legal

ଉଲ୍ଲେଖନୀୟ ଯେ ସରକାର ରାଉରକେଲା ମହାନଗର ନିଗମ ନିର୍ବାଚନ ନକରାଇବାର ପ୍ରତିବାଦରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ନିହାର ରାୟ। ଗତ ୨୦୨୧ ନଭେମ୍ବରରେ ସେ ଆରଏମସି ନିର୍ବାଚନ କରାଇବା ଲାଗି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟ ମାମଲାକୁ ଗ୍ରହଣ କରି ଗତ ଡିସେମ୍ବର ୭କୁ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ତେବେ ସରକାର ସମୟ ମାଗିଥିବାରୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧କୁ ରହିଛି। ଏହି ଦିନ ହାଇକୋର୍ଟ ନିର୍ବାଚନ ଉପରେ କ’ଣ ରାୟ ଦେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ନିହାର ରାୟ କହିଛନ୍ତି, ‘ଶାସକ ଦଳର ପରାଜୟ ଭୟଥିବାରୁ ଜାଣିଶୁଣି ଏଭଳି କରୁଛନ୍ତି। ଆଗାମୀ ଦିନରେ ୱାର୍ଡବାସୀ ଏହାର ଯବାବ ଦେବେ।’ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ବିରେନ ସେନାପତି କହିଛନ୍ତି, ‘ଦୁଇଟି ପଞ୍ଚାୟତ ସାମିଲ ବିବାଦରୁ ହାଇକୋର୍ଟରେ ମାମଲା ରହିଛି। ତେଣୁ ମହାଗର ନିଗମ ନିର୍ବାଚନ ସିନା ହୋଇପାରିବ ନାହିଁ, ପୌରପାଳିକା ନିର୍ବାଚନ ହେବାର ଅସୁବିଧା କେଉଁଠି ରହିଲା ? ତେଣୁ ଜଣା ପଡୁଛି, ସରକାର ଜାଣିଶୁଣି ଏମିତି କରୁଛନ୍ତି।’

 

ଉଲ୍ଲେଖଯୋଗ୍ୟ, ଗତ ୨୦୧୪ ନଭେମ୍ବର ୧୪ରେ ରାଜ୍ୟ ସରକାର ରାଉରକେଲା ପୌରପାଳିକାକୁ ମହାନଗର ନିଗମ ଘୋଷଣା କରିଥିଲେ। କିନ୍ତୁ ବର୍ଷ ବର୍ଷ ଧରି ନିର୍ବାଚନ ହେଉ ନଥିବାରୁ ବସ୍ତିବାସିନ୍ଦା ମୌଳିକ ସୁବିଧା ମଧ୍ୟ ପାଇପାରୁ ନାହାନ୍ତି। ଜନ ପ୍ରତିନିଧି ନଥିବାରୁ ବାବୁମାନଙ୍କ ମନମର୍ଜି ଶାସନ ଚଳାଇଛନ୍ତି। ରାସ୍ତାଘାଟ, ପାନୀୟ ଜଳ, ଆଲୋକୀକରଣ ଆଦି ମୌଳିକ ସମସ୍ୟା ଅନେକ ବସ୍ତିବାସିନ୍ଦାଙ୍କ ପାଇଁ ଏବେ ବି ଅପହଞ୍ଚ ହୋଇ ରହିଛି।

ସମ୍ବନ୍ଧିତ ଖବର