ରାଉରକେଲା ନୂଆ ବସଷ୍ଟାଣ୍ଡ ପାଣି ଓ ଶୌଚାଳୟ ଖୋଜୁଛନ୍ତି ଯାତ୍ରୀ, ଶୌଚାଳୟ ଭାଙ୍ଗି ମୋ ବସ୍‌ ଅଫିସ୍‌

ରାଉରକେଲା: ପଶ୍ଚିମ ଓଡ଼ିଶାର ପ୍ରମୁଖ ବସ୍‌ଷ୍ଟାଣ୍ଡ ହେଉଛି ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡ। ଦୈନିକ ବସଷ୍ଟାଣ୍ଡରୁ କେବଳ ଓଡ଼ିଶା ନୁହେଁ ପଡୋଶୀ ଛତିଶଗଡ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରୁ ୪ଶହରୁ ଅଧିକ ସାଧାରଣ ଓ ଏକ୍ସପ୍ରେସ୍‌ ବସ୍‌ ଯାତାୟତ କରୁଛି। ହଜାର ହଜାର ଯାତ୍ରୀଙ୍କ ସମାଗମ ହେଉଥିବା ବସ୍‌ଷ୍ଟାଣ୍ଡର ସମସ୍ୟାର ସୁଧୁରିନି। ପୁରୁଷ ବିଶ୍ବକପ୍‌ ହକି ପୂର୍ବରୁ ବସ୍‌ଷ୍ଟାଣ୍ଡକୁ ସ୍ମାର୍ଟସିଟି ପ୍ରକଳ୍ପରେ ଚକାଚକ୍‌ କରି ଦିଆଗଲା। ହେଲେ ଯାତ୍ରୀଙ୍କ ଆବଶ୍ୟକତାକୁ ଜିଲ୍ଲା ପ୍ରଶାସନ ଓ ଆର୍‌ଡିଏ ସମ୍ପୂର୍ଣ୍ଣ ଭୁଲିଗଲା। ଏତେ ବଡ ବସ୍‌ଷ୍ଟାଣ୍ଡରେ ଗୋଟିଏ ମାତ୍ର ସୁଲଭ ଶୌଚାଳୟ ରହିଛି। ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ବି ନିଃଶୁଳ୍କ ଶୌଚାଳୟ କିମ୍ବା ପରିଶ୍ରାଗାର ନିର୍ମାଣ ହୋଇପାରିଲା ନାହିଁ। ପିଇବା ପାଣିର ବ୍ୟବସ୍ଥା ମଧ୍ୟ କଲାକରାଗଲା ନାହିଁ।

ମୁଣ୍ଠଫଟା ତାତିରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଶହ ଶହ ଯାତ୍ରୀ ପାଣି ଓ ଶୌଚାଳୟ ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କେବଳ ଯାତ୍ରୀ ନୁହନ୍ତି, ବସଷ୍ଟାଣ୍ଡର ବ୍ୟବସାୟୀ ଓ ବସ୍‌ର କର୍ମଚାରୀମାନେ ସମାନ ଦଶା ଭୋଗୁଛନ୍ତି। ବ୍ୟବସାୟୀ ଓ ଗାଡି ଚାଳକମାନେ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ ଏମାନଙ୍କ ଦୁଃଖ ବୁଝିବାକୁ ଜିଲ୍ଲା ପ୍ରଶାସନ କିମ୍ବା ଆର୍‌ଡିଏ ପାଖରେ ସମୟ ନାହିଁ।

ସବୁଠୁ ଆଶ୍ଚର୍ଯ୍ୟ କଥା, ‌ଯେଉଁ ସ୍ଥାନରେ ଶୌଚାଳୟ ନିର୍ମାଣ ହୋଇଥିଲା, ସେଠା‌ରେ ଏବେ ‘ମୋ ବସ୍‌’ର କାର୍ଯ୍ୟାଳୟ ନିର୍ମାଣ ହୋଇଛି। ଯାତ୍ରୀମାନଙ୍କ ସୁବିଧାକୁ ଅଣଦେଖା କରି ଶୌଚାଳୟକୁ ଭାଙ୍ଗି ସେଠାରେ ‘ ମୋ ବସ୍‌’ କାର୍ଯ୍ୟାଳୟ ଖୋଲିବାକୁ ନେଇ ଉଭୟ ବ୍ୟବସାୟୀ ଓ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅବଶ୍ୟ ‘ମୋ ବସ୍‌’ କାର୍ଯ୍ୟାଳୟ ପରିସରରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ଯାହା ଯାତ୍ରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ। ଅନ୍ୟପଟେ ବସ୍‌ଷ୍ଟାଣ୍ଡର ପରିସରରେ କିଛି ସ୍ଥାନରେ ପାଣି ଟ୍ୟାପ୍‌ ରହିଛି। ହେଲେ ପାଣି ବାହାରୁନି। ସେମିତି ଲାୟନ୍ସ କ୍ଲବ ଅଫ୍‌ ରାଉରକେଲା, ପାନପୋଷ ପକ୍ଷରୁ ଶୀତଳ ପାନୀୟ ଜଳ ମେସିନ୍‌ ବସାଯାଇଛି। ତା’ ସମ୍ପୂର୍ଣ୍ଣ ଅକାମି। ମରାମତି ଅଭାବରୁ ମେସିନ୍‌ ମାସ ମାସ ଧରି ଯାତ୍ରୀଙ୍କ କୌଣସି କାମରେ ଆସୁନି।

ଶୋଷ ମେଣ୍ଟାଇବାକୁ ଯାତ୍ରୀମାନେ ମେସିନ୍‌ ପାଖକୁ ଯାଉଛନ୍ତି। ପାଣି ନ ପାଇ ନିରାଶ ହୋଇ ଫେରୁଛନ୍ତି। ବରସୁଆଁର ଏକ ସଂସ୍ଥା ପକ୍ଷରୁ ଅନ୍ୟ ଏକ ଶୀତଳପାନୀୟ ଜଳ ମେସିନ୍‌ ରହିଛି। ସେଠି ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ନୂଆ ବସ୍‌ଷ୍ଟାଣ୍ଡର ଏଭଳି ସମସ୍ୟା ସମ୍ପର୍କରେ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷର ଜଣେ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି, ସରକାର ଦାୟିତ୍ବ ନ ହେବା ପର୍ଯ୍ୟନ୍ତ କିଛି କରିହେବ ନାହିଁ। ସରକାର ଦାୟିତ୍ବ ନେବା ପରେ ସମସ୍ୟାର ସମାଧାନ କରାଯିବ।

ସମ୍ବନ୍ଧିତ ଖବର