ରାଉରକେଲା ସହରବାସୀଙ୍କୁ ଭଣ୍ଡାଉଛନ୍ତି ରାଜ୍ୟ ସରକାର!
ଘୋଷଣାରେ ସୀମିତ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଓ କମିସନରେଟ୍ ପୁଲିସ
ରାଉରକେଲା: ସହର ବିକାଶ ଓ ସୌନ୍ଦର୍ଯ୍ୟକରଣ ନାଁରେ ପାଣି ବୋହିଲା ପରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଠିକାଦାର ପୋଷାନୀତିରେ ଏସବୁ କାମ ୬ ମାସ ଯାଉନି। ନିକଟରେ ହକି ବିଶ୍ବକପ୍ରେ ହୋଇଥିବା ଅନେକ ବିକାଶମୂଳକ କାମ ଏହାର ଜ୍ବଳନ୍ତ ଉଦାହରଣ। ଏମିତି ବିକାଶର ସ୍ବପ୍ନ ଦେଖାଇ ସହରବାସୀଙ୍କୁ ଭଣ୍ଡାଇ ଚାଲିଛନ୍ତି ରାଜ୍ୟ ସରକାର। ବିଗତ ଦିନରେ ରାଜ୍ୟ ସରକାର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆଉ କିଛି ଘୋଷଣା ମଧ୍ୟ କରିଥିଲେ। ଆଜି ପର୍ଯ୍ୟନ୍ତ କିନ୍ତୁ ସେଗୁଡ଼ିକ କେବଳ ଘୋଷଣାରେ ସୀମିତ ରହିଯାଇଛି। ଶିଳାନ୍ୟାସରେ ଅଟକିଯାଇଛି। ହେବକି ନାହିଁ କାହାରି ପାଖରେ ଉତ୍ତର ନାହିଁ। ସରକାରଙ୍କ ଏସବୁ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ପାଇଁ ଗଠିତ ୫ଟି ବ୍ୟବସ୍ଥା ଫେଲ୍ ମାରିଛି।
୨୦୧୫ରେ ରାଜ୍ୟ ସରକାର ରାଉରକେଲାରେ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ସ୍ଥାପନା କରିବାକୁ ଘୋଷଣା କରିଥିଲେ। ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି), ରାଜ୍ୟ ସରକାର ଓ ଜାଭିୟର ମିଳିତ ଉଦ୍ୟମରେ ରାଉରକେଲା ୟୁନିଟ୍ ନଂ ୫ରେ ହେବାକୁ ନିଷ୍ପତ୍ତି ହୋଇଥିଲା। ରାଉରକେଲା ୟୁନିଟ୍ -୫ସ୍ଥ ଆର୍ଏସ୍ପି ୩୦ ଏକର ଜାଗା ଓ ୧୨୦ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ଅବହେଳାରୁ ଆଜି ପର୍ଯ୍ୟନ୍ତ ଇନ୍ଷ୍ଟିଚ୍ୟୁଟ୍ ପାଇଁ ଖଣ୍ଟିଏ ଇଟା ମଧ୍ୟ ପଡ଼ି ପାରିଲାନାହିଁ। ଗତ ୧୦ ବର୍ଷ ତଳେ ଅର୍ଥାତ୍ ୨୦୨୩ରେ ଝିରପାଣି-ଦେଓଗାଁ ମଧ୍ୟରେ (କାଠଯୋଡି ଓ ନର୍ମଦାନଦୀ ପରି) ବ୍ରାହ୍ମଣୀ ଓ କୋଏଲନଦୀ କୂଳରେ ରିଂରୋଡ ନିର୍ମାଣ ପାଇଁ ସରକାର ଶିଳାନ୍ୟାସ କରିଥିଲେ। ରାସ୍ତା ନିର୍ମାଣ ହେଲେ ସହର ଭିତରକୁ ପଶୁଥିବା ବନ୍ୟାଜଳକୁ ସମ୍ପୂର୍ଣ୍ଣ ରୋକାଯାଇପାରିଥାନ୍ତା। ହେଲେ ତାହା ସେମିତି ଶିଳାନ୍ୟାସରେ ସରିଯାଇଛି। ସହରରେ ଆନ୍ତଃରାଜ୍ୟ ଅପରାଧିକ କାର୍ଯ୍ୟକଳାପ ରୋକିବା ସହ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଗତ ୨୦୧୪ରେ ସରକାର ରାଉରକେଲାକୁ କମିସନରେଟ୍ ପୁଲିସ୍ ଘୋଷଣା କରିଥିଲେ। ଆଜିକୁ ୯ ବର୍ଷ ବିତିଯାଇଥିଲେ ହେଁ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି।
୨୦୦୩ ଅର୍ଥାତ୍ ୨୦ ବର୍ଷ ତଳେ ରାଉରକେଲା ମେଡ଼ିକାଲ କଲେଜ ପାଇଁ କୁଆରମୁଣ୍ଡା ଡାଏରୀ ଫାର୍ମରେ ସରକାର ଶିଳାନ୍ୟାସ କରିଥିଲେ। ରିଂ ରୋଡ ପରି ତାହା ମଧ୍ୟ ଶିଳାନ୍ୟାସରେ ରହିଯାଇଛି। ସମ୍ପୃକ୍ତ ଜାଗାକୁ ଏବେ ସରକାର ଶାଗମାଛ ଦରରେ ସ୍ପଞ୍ଜ କାରଖାନାକୁ ଟେକି ଦେବାକୁ ଯାଉଛନ୍ତି। ଯାହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ କଡାବିରୋଧ କରାଯାଉଛି। ସେମିତି ସୁନ୍ଦରଗଡ଼ରେ ହକିର ବିକାଶ ଗତ ୨୦୦୮ରେ ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ସରକାର ହକି ନର୍ସରୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ୧୫ ବର୍ଷ ବିତିଯାଇଥିଲେ ହେଁ ସରକାର ଏ ଦିଗରେ ଥରୁଟିଏ ଚିନ୍ତା କରିନାହାନ୍ତି। ସହରରେ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି ବାସଗୃହ। ରାଜ୍ୟ ଗୃହ ନିର୍ମାଣ ବିଭାଗ ହେଉ ଅବା ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ) ବିଗତ ପ୍ରାୟ ୨୦ ବର୍ଷ ମଧ୍ୟରେ ଗୋଟିଏ ବି ବାସଗୃହ ପ୍ରକଳ୍ପ କରିନାହାନ୍ତି। ରାଉରକେଲା ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଆର୍ଡିଏ ଅଧ୍ୟକ୍ଷ ଥିବାବେଳେ ସହରରେ ୩୦ ହଜାର ବାସଗୃହ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ୩୦ ହଜାର ତ ଦୂରର କଥା ଆଜି ପର୍ଯ୍ୟନ୍ତ ସରକାର ୧୦୦ ବାସଗୃହ ମଧ୍ୟ ନିର୍ମାଣ କରିପାରିନାହାନ୍ତି। ସେମିତି ସରକାରଙ୍କ ଅବହେଳାରୁ ଇଏସ୍ଆଇ ମେଡ଼ିକାଲ କଲେଜ ରାଉରକେଲାରୁ ହଟିଗଲା। ପାନପୋଷ ହୋଲ୍ସେଲ୍ କୃଷକ ବଜାର ଅଧପନ୍ତରିଆ ପାଚେରୀରେ ସୀମିତ ରହିଛି।