ରାଉରକେଲା ରାଜନୀତି : ପ୍ରସଙ୍ଗ ମାଳମାଳ, ବିଜେପି ଓ କଂ‌ଗ୍ରେସର ସ୍ୱର ଶିଥିଳ

ରାଉରକେଲା : ରାଉରକେଲା ସହରରେ ରହିଛି ଅନେକ ପ୍ରସଙ୍ଗ ଓ ସମସ୍ୟା। କିନ୍ତୁ ଏସବୁ ପ୍ରସଙ୍ଗକୁ ଉଠାଇବାରେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ସମ୍ପୂର୍ଣ୍ଣ ବିଫଳ। ଏହାର ଅସଲ କାରଣ ହେଉଛି ଏ ଦଳ ଦୁଇଟି ଭିତରେ ଚାଲିଥିବା ଅନ୍ତର୍ଦ୍ବନ୍ଦ ଓ ଟାଣୁଆ ନେତୃତ୍ବର ଅଭାବ। ଉଭୟ କଂଗ୍ରେସ ଓ ବିଜେପିର ଯେଉଁମାନେ ମଙ୍ଗ ଧରୁଛନ୍ତି, ସେମାନଙ୍କୁ ଦଳର କିଛି ନେତା ଓ କର୍ମୀ ଆଦୌ ଚାହୁ ନାହାନ୍ତି। ନେତାମାନେ ନିଜ ନିଜର କର୍ମୀମାନଙ୍କୁ ନେଇ ସମାନ୍ତରାଳ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଏସବୁ କାରଣରୁ ରାଉରକେଲା ରାଜନୀତିରେ ବିଜେଡିର ନିରଙ୍କୁଶ ଶାସନ ଚାଲିଛି। ଏଥିରେ ନିକଟ ଭବିଷ୍ୟତରେ କିଛି ପରିବର୍ତ୍ତନ ହେବା ମଧ୍ୟ ଜଣା ପଡୁନାହିଁ। ଅବଶ୍ୟ ସ୍ଥାନୀୟ ବିଜେଡ଼ିରେ ବି କିଛି ନେତା ଓ କର୍ମୀଙ୍କ ‌ଅସନ୍ତୋଷ ରହିଛି। କିନ୍ତୁ ଦଳର ମଙ୍ଗ ଧରିଥିବା ନେତାଙ୍କ ବିରୋଧରେ ସେମାନେ ମୁହଁ ଖୋଲି ପାରୁ ନାହାନ୍ତି। ଏଥିପାଇଁ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ବରେ ଦିନକୁ ଦିନ ରାଉରକେଲାରେ ବିଜେଡି ସଙ୍ଗଠନ ଆହୁରି ସୁଦୃଢ଼ ହେଉଛି। ସମାନ୍ତରାଳ ଭାବେ କଂଗ୍ରେସ ଓ ବିଜେପି ଦୁର୍ବଳ ହେବାକୁ ଲାଗିଛି।

New Indian Express

ରାଉର‌କେଲାରେ କଂଗ୍ରେସର ଗୋଟିଏ କି ଦୁଇଟି ନୁହେଁ, ୪ଟି ଗୋଷ୍ଠୀ କାମ କରୁଛନ୍ତି। ବର୍ତ୍ତମାନ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଦଳର ମଙ୍ଗ ଧରିବା ପରେ ଅନେକ ନେତା ଓ କର୍ମୀ ଦୂରେଇ ଯାଇଛନ୍ତି। ପୂର୍ବତନ ଜିଲ୍ଲାସଭାପତି ରବି ରାୟ କିଛି ନେତା ଓ କର୍ମୀଙ୍କୁ ନେଇ ସମାନ୍ତରାଳ କାର୍ଯ୍ୟକ୍ରମ କରୁଛନ୍ତି। ସେହି ସମାନ ପନ୍ଥା ଆପଣେଇଛନ୍ତି କଂଗ୍ରେସ ଜିଲ୍ଲା ଯୁବ ସଭାପତି ପ୍ରବୋଧ ଦାସ। ସେ ନିଜର କିଛି ଯୁବ, ଛାତ୍ର କର୍ମୀଙ୍କୁ ନେଇ ଅଲଗା କାର୍ଯ୍ୟକ୍ରମ କରୁଛନ୍ତି। ଆଉ କିଛି ପୁରୁଖା ନେତା ଦଳ ଠାରୁ ଦୂରେଇ ରହିଛନ୍ତି। କୌଣସି କାର୍ଯ୍ୟକ୍ରମରେ ସେମାନଙ୍କୁ ଦେଖିବାକୁ ମିଳୁନି। ତେଣୁ ଜଣେ ବିପ୍ଲବୀ ଜନନେତା ଭାବେ ପୂର୍ବରୁ ନାମ ଥିବା ଜର୍ଜଙ୍କର ପୂର୍ବ ସକ୍ରିୟତା ଆଉ ଦେଖିବାକୁ ମିଳୁନାହିଁ।

ବିଜେପିର ମଧ୍ୟ ସେହି ସମାନ ଅବସ୍ଥା। ଦଳ ଦୁଇ ଗୋଷ୍ଠୀରେ ବିଭକ୍ତ। ସହରର ପ୍ରମୁଖ ପ୍ରସଙ୍ଗରେ ସେମାନେ ଯଦିଓ ଏକାଠି ହୋଇ ସ୍ବର ଉତ୍ତୋଳନ କରୁଛନ୍ତି, କିନ୍ତୁ ପ୍ରତିବାଦର ସ୍ବର ଯେମିତି ହେବା କଥା, ତା ହେଉ ନାହିଁ। ଏହାର ପ୍ରମୁଖ କାରଣ ହେଉଛି ଦଳର ଦୃଢ଼ ନେତୃତ୍ବର ଅଭାବ। ପୂର୍ବରୁ ଜିଲ୍ଲା ସଭାପତି ଭାବେ ଜଗବନ୍ଧୁ ବେହେରା ସହରରେ ଦଳର ନେତୃତ୍ବର ମଙ୍ଗ ଧରିଥିଲେ। କିନ୍ତୁ ସେ ଯେତିକି ଦିନ ସଭାପତି ପଦରେ ରହିଲେ ସେମିତି ଆଖିଦୃଶିଆ କାର୍ଯ୍ୟ କରି ପାରିଲେ ନାହିଁ। ଏମାନଙ୍କ ପ୍ରଦିବାଦର ସ୍ବର ଶାସକ ଦଳ ଉପରେ ପ୍ରଭାବଶୂନ୍ୟ ରହିଲା। ବର୍ତ୍ତମାନ ଦଳ ଲତିକା ପଟ୍ଟନାୟକଙ୍କୁ ସଭାପତି ଦାୟିତ୍ବ ଦେଇଛି। ତାଙ୍କର ନେତୃତ୍ବ ମଧ୍ୟ ସହରର କୌଣସି ସମସ୍ୟା ଓ ପ୍ରସଙ୍ଗକୁ ଆଗକୁ ଆଣିବାରେ ସଫଳ ହୋଇ ନାହିଁ। କେବଳ ଲୋକ ଦେଖାଣିଆ ଭାବେ ଆନ୍ଦୋଳନ, ବିକ୍ଷୋଭ କରି ସମସ୍ତେ ନିଜର କାମ ସାରି ଦେଉଛନ୍ତି। ସୁନ୍ଦରଗଡ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ସହର ବିକାଶକୁ ଏତେଟା ଗୁରୁତ୍ବ ଦେଉନଥିବା ଭଳି ମନେ ହେଉଛି। ସହର ସମସ୍ୟା ଯେମିତିକୁ ସେମିତି।

khabarigyan.com

ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସର ଦୁର୍ବଳ ନେତୃତ୍ବର ଭରପୂର ଫାଇଦା ଉଠାଉଛି ଶାସକ ଦଳ ବିଜେଡି। ଜିଲ୍ଲା ସଭାପତି ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଦଳର ନେତୃତ୍ବ ନେଇ ସଦାସର୍ବଦା ନେତା ଓ କର୍ମୀଙ୍କୁ ଏକାଠି କରି ବିଭିନ୍ନ କାର୍ଯ୍ୟକ୍ରମ ସହ ଦଳର ସ୍ଥିତି କେମିତି ଆହୁରି ସୁଦୃଢ଼ ହେବ, ତାହାକୁ ପ୍ରାଥମିକତା ଦେଉଛନ୍ତି। ତୃଣମୂଳସ୍ତରରୁ ଦଳକୁ ମଜବୁତ କରିବାରେ ଉଭୟ ବିଜେପି ଓ କଂଗ୍ରେସ ସଫଳ ହୋଇ ପାରୁ ନଥିବାର ସୁଫଳ ସେ ପାଉଛନ୍ତି। ତେବେ ବଡ଼ କଥା ହେଉଛି, ବିରୋଧୀ ଦଳଙ୍କ ଶିଥିଳତା ଯୋଗୁଁ ସହରର ମାଳମାଳ ପ୍ରସଙ୍ଗ ଆଗେଇ ପାରୁନି କି ସମସ୍ୟାର ସମାଧାନ ହେଉନି।

ବର୍ତ୍ତମାନ ସ୍ମାର୍ଟ ସିଟି ସହରର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ବିଜୁ ପଟ୍ଟନାୟକ ଇନ୍‌ଷ୍ଟୋର ଷ୍ଟାଡିୟମ ବାବଦରେ ୧୧ କୋଟି ୬ ଲକ୍ଷ, ସ୍ମାର୍ଟ ସିଟି ରୋଡ (ଫେଜ୍‌ -୧)ରେ ୨୬ ‌କୋଟି ୪୭ ଲକ୍ଷ, ବିର୍ସାମୁଣ୍ଡା ଷ୍ଟାଡିୟମର ମଲ୍ଡିଂ ପାର୍କିଂ ବ୍ୟବସ୍ଥାରେ ୧୩୮ କୋଟି ୪୭ ଲକ୍ଷ, ସ୍ମାର୍ଟସିଟି ରୋଡ (ଫେଜ୍‌-୨) ୧୨୬ କୋଟି ଏମିତି ଅନେକ ପ୍ରକଳ୍ପ କାମ ଚାଲିଛି। କିନ୍ତୁ ଏସବୁ କେବେ ସରିବ କାହାକୁ ଜଣା ନାହିଁ। ଏହା ବ୍ୟତୀତ ଖର୍ଚ୍ଚ ହୋଇ ବ୍ୟାଙ୍କରେ ୨୬୬ କୋଟି ୮୩ ଲକ୍ଷ ଟଙ୍କା ପଡ଼ିଛି, ଯାହାର ସୁଧ ହେଲା ୮୩ କୋଟି ୪୨ ଲକ୍ଷ। ଏମିତି ମୋଟ୍ ୩୫୦ କୋଟି ୨୫ ଲକ୍ଷ ପଡିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୫୦% ଲେଖାଏଁ ଅର୍ଥ ବିନି‌ଯୋଗ ହେଉଛି। କାମ ନେଇଥିବା ଠିକାସଂସ୍ଥା କାମ ନାଁ ବ୍ୟାପକ ହରିଲୁଟ୍‌ କରୁଛନ୍ତି। ସେମିତି ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ବାରା ଶିଳାନ୍ୟାସ ହୋଇଥିବା କୋଏଲ ବ୍ୟାରେଜ୍‌, ପାନପୋଷ ହୋଲ୍‌ସେଲ୍‌ କୃଷକ ବଜାର, ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌, ସରକାରୀ ମେଡିକାଲ କଲେଜ, ଇଏସ୍ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ଏମିତି ଅନେକ ପ୍ରକଳ୍ପ ଶିଳାନ୍ୟାସରେ ଅଟକିଛି। ହେଲେ ଏସବୁ ପ୍ରସଙ୍ଗକୁ ଆଗକୁ ଆଣିବାରେ ଉଭୟ ବିଜେପି ଓ କଂଗ୍ରେସ ବିଫଳ ହୋଇଛନ୍ତି। କାଁ ଭାଁ ବିକ୍ଷୋଭ କରି ନିଜର କାମ ସାରି ଦେଉଛନ୍ତି।

ସମ୍ବନ୍ଧିତ ଖବର