ରାଉରକେଲା ପ୍ରଦୂଷଣ ଅଧିକାରୀ ଗିରଫ ଘଟଣା: ଭିଜିଲାନ୍ସ ସ୍କାନ୍‌ରରେ ଅନ୍ୟ ଅଧିକାରୀ, କର୍ମଚାରୀ

ଏମିତି ହେଉଥିଲା ପ୍ରଦୂଷଣକାରୀ କାରଖାନା ଯାଞ୍ଚ

ରାଉରକେଲା : ଶନିବାର ଦିନ ଭୁବନେଶ୍ବର ସୁନ୍ଦରପଦାରୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ପ୍ରକାଶ କୁମାର ମହାପାତ୍ର। ତାଙ୍କ ନିକଟରୁ ଭିଜିଲାନ୍ସ ଟିମ୍‌ ୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା ଜବତ କରିଥିଲେ। ଏହି ଟଙ୍କା କେଉଁଠୁ ଆସିଲା, ସେ ତା’ର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ସେପଟେ ଶ୍ରୀ ମହାପାତ୍ର ଗିରଫ ହେବାପରେ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମନରେ ଛନକା ପଶିଛି। ସେମାନଙ୍କ ଭିତରୁ ଅନେକ ଭିଜିଲାନ୍ସ ସ୍କାନ୍‌ରରେ ରହିଥିବା ଜଣାପଡ଼ିଛି। ଏଥିସହିତ, ପ୍ରଦୂଷଣକାରୀ କାରଖାନା‌ରେ ଯାଞ୍ଚକୁ ନେଇ ପ୍ରଶ୍ନ ଉଠିଛି।

CableCommunity.com

ନିୟମ ଅନୁସାରେ, ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ନିୟମିତ ଭାବେ ସ୍ଥାନୀୟ କାରଖାନାଗୁଡ଼ିକୁ ଯାଞ୍ଚ କରିବାକୁ ଯାଆନ୍ତି। କିନ୍ତୁ ଅନେକ କାରଖାନା ଖୋଲାଖୋଲି ଭାବେ ପ୍ରଦୂଷଣ କରୁଥିଲେ ହେଁ ବିଭାଗ ପକ୍ଷରୁ କାହା ବିରୋଧରେ ସେପରି ଆଖିଦୃଶିଆ ପଦକ୍ଷେପ ଆଜିଯାଏ ନିଆଯାଇନାହିଁ। ଉଦାହରଣସ୍ବରୂପ ପ୍ରଦୂଷଣ କେତେମାତ୍ରାରେ ହେଉଛି, ତାହା ଯେକେହି ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳକୁ ଗଲେ ହିଁ ଜାଣି ପାରିବେ। ସେଠାରେ ରାସ୍ତାଘାଟ ଓ ଗଛଲତା କଳା ପାଉଁଶରେ ଆଚ୍ଛଦିତ ହୋଇଥିବାବେଳେ ଆଖପାଖ ଅଞ୍ଚଳରେ ପନିପରିବା, ଏପରିକି ପୋଖରୀର ମାଛ ଭିତରୁ ମଧ୍ୟ ପାଉଁଶ ବାହାରିବାର ଘଟଣା ଅତୀତରେ ଘଟିଛି। ପ୍ରଦୂଷଣକାରୀ ଭାବେ ଏଠାକାର କିଛି କାରଖାନା ବେଶ୍ କୁଖ୍ୟାତ, ଯାହା ସମସ୍ତଙ୍କୁ ଜଣା ଅଛି। କିନ୍ତୁ ସେ କାରଖାନାଗୁଡ଼ିକ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଜନଅସନ୍ତୋଷ ଅଧିକ ହେଲେ କେବେ କେବେ ନୋଟିସ୍‌ ପଠାଇ ଦେଇ ବିଭାଗ ଚୁପ୍ ରହି ଆସିଛି। ଫଳରେ ବିଭାଗର ଭୂମିକାକୁ ନେଇ ଅନେକ ସମୟରେ ସନ୍ଦେହ ସୃଷ୍ଟି ହେଉଛି। ତେଣୁ ‌ଯେକୌଣସି ମୁହୂର୍ତ୍ତରେ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ରାଉରକେଲା ଭିଜିଲାନ୍ସଙ୍କ ସହାୟତାରେ ଏଠାକାର ଅନ୍ୟ କର୍ମଚାରୀଙ୍କ ଘରେ ବା ଅଫିସରେ ଚଢ଼ଉ କରି ପାରେ ବୋଲି ଜଣାପଡିଛି।

ସୁନ୍ଦରଗଡ଼ ଜିଲ୍ଲାରେ ୫୬୫ ଛୋଟବଡ଼ ଶିଳ୍ପ, ପଥର ଖାଦାନ, ବାଲିଘାଟ, ଇଟାଭାଟି ପଞ୍ଜିକୃତ ହୋଇଛି। ଏମାନଙ୍କ ମଧ୍ୟରୁ ୧୩୬ଟି ଶିଳ୍ପ ଓ ପଥର ଖାଦାନ ପ୍ରଦୂଷଣର ରେଡ୍‌ କାଟାଗୋରିରେ ଆସୁଛି। ଏଗୁଡ଼ିକ ଅଧିକ ପ୍ରଦୂଷଣକାରୀ। ୩୫୫ ଛୋଟ ବଡ ଶିଳ୍ପ ସ୍ବଳ୍ପ ପ୍ରଦୂଷଣକାରୀ ଅର୍ଥାତ୍‌ ଅରେଞ୍ଜ କାଟାଗୋରିରେ ଅନ୍ତର୍ଭୁକ୍ତ। ମାତ୍ର ୭୪ଟି ଶିଳ୍ପ ଗ୍ରୀନ୍‌ କାଟାଗୋରିରେ ଆସୁଛି। ଅଧିକ ପ୍ରଦୂଷଣକାରୀ ମଧ୍ୟରେ ଆସୁଥିବା ୧୩୬ଟି ଶିଳ୍ପ ମଧ୍ୟରେ ରହିଛି କେମିକାଲ୍‌ ଉଦ୍ୟୋଗ, ଗ୍ୟାସ୍‌, ଖଣି, ପଥର ଖାଦାନ, ରାଇସ୍‌ ମିଲ୍‌ ଓ ମାଟି ଇଟାଭାଟି। ସର୍ବାଧିକ ହେଉଛି ପଥର ଖାଦାନ। କୋଇଡାର ବ୍ଲକର ତୋଡା, ସାଇନ ବାହାଲ, ଲହୁଣୀପଡା ବ୍ଲକର ସାନ ଟିକାୟତପାଲୀ, କାଂଶବାହାଲର ବଲଣ୍ଡା, ଲାଠିକଟା ବ୍ଲକର ବଲଣ୍ଡା, ବିଶ୍ରାର କୁର୍ଡାବାହାଲ, ଝରାବାହାଲ, ଲାଠିକଟାର ବିରକେରା, ବିଶ୍ରା ବ୍ଲକ ଅନ୍ତର୍ଗତ ଜାମସେରା, ବହିବେର୍ଣ୍ଣା, ସୁନ୍ଦରଗଡ ଦର୍ଜିଂ ଜମିରଡିହି, ଚନ୍ଦ୍ରପୁର, ରାଇଡିହି, ତରକକେରା, ଗର୍ଜନ, କୋହ୍ଲାସାହି, ପେରୁଆଭାଡି ଆଦି ସ୍ଥାନରେ ପଥର ଖାଦାନଗୁଡ଼ିକ ସ୍ଥାନୀୟ ଅଞ୍ଚଳକୁ ପ୍ରଦୂଷିତ କରୁଛନ୍ତି। ସବୁଠୁ ଆଶ୍ଚର୍ଯ୍ୟ କଥା ପ୍ରଦୂଷଣ ଅଧିକାରୀ ଶ୍ରୀ ମହାପାତ୍ର ବର୍ଷକ ମଧ୍ୟରେ ଏମାନଙ୍କ ବିରୋଧରେ ଥରୁଟିଏ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଆଇନକୁ ଆଖିଠାର ମାରିବା ଭଳି କେବଳ ନୋଟିସ୍‌ ଜାରି କରି କାମ ସାରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ଷକ ତଳେ ଶ୍ରୀ ମହାପାତ୍ର ରାଉରକେଲାରେ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଭାବେ ଯୋଗଦେଇଥିଲେ। ନିଜର କ୍ଷମତାର ଅପବ୍ୟବହାର କରି ସରକାରୀ କ୍ବାର୍ଟର୍ସରେ ରହିବା ପରିବର୍ତ୍ତେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଦ୍ବାରା ପରିଚାଳିତ ହିଲ୍‌ ଭ୍ୟୁ ଗେଷ୍ଟ ହାଉସରେ ମାସ ମାସ ଧରି ରହୁଥିଲେ। ତାହା ପୁଣି ଖୁବ୍ ସ୍ବଳ୍ପ ପାଉଣାରେ। ପ୍ରଦୂଷଣ ଯାଞ୍ଚ କରିବା ଦାୟିତ୍ବରେ ଥିବା ଜଣେ ଅଧିକାରୀ କୌଣସି କାରଖାନାର ଅତିଥି ଭବନରେ ରହିବା ଉଚିତ ନୁହେଁ। ଏ ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଶ୍ରୀ ମହାପାତ୍ର ଗେଷ୍ଟ ହାଉସ୍‌ ଛାଡିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର