୧୩ରୁ ଚାଲିବ ରାଉରକେଲା-ପୁରୀ ପାସେଞ୍ଜର

ରାଉର‌କେଲା: ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟି‌ରେ ରଖି ଦକ୍ଷିଣପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ଆସନ୍ତା ୧୩ରୁ ରାଉରକେଲା-ପୁରୀ ପାସେଞ୍ଜର ଚାଲିବ। ଟ୍ରେନ୍‌ରେ ସମସ୍ତ କୋଚ୍‌ ପୂର୍ବପରି ସାଧାରଣ କୋଚ୍‌ ରହିଛି। ଯାତ୍ରୀମାନେ ଟ୍ରେନ୍‌କୁ ଚଢ଼ିବା ପୂର୍ବରୁ କୋଭିଡ୍‌ -୧୯ କଟକଣାକୁ କଡାକଡି ଭାବେ ପାଳନ କରିବା ବାଧ୍ୟତାମୂଳକ। କରୋନା କଟକଣା ଯୋଗୁଁ ଗତ ୨୦୨୦ ମାର୍ଚ୍ଚ ରାଉରକେଲା-ପୁରୀ ପାସେଞ୍ଜର ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ୧୬ ମାସ ପରେ ସ୍ଥିତି ସୁଧୁରିବା ପରେ ଯାତ୍ରୀଙ୍କ ଚାହିଦାକୁ ଲକ୍ଷ୍ୟ ରଖି ଚକ୍ରଧରପୁର ମଣ୍ଡଳ ପକ୍ଷରୁ ପାସେଞ୍ଜର ଟ୍ରେନକୁ ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ରାଉରକେଲା-ପୁରୀ ପାସେଞ୍ଜର (୦୮୧୦୫) ଆସନ୍ତା ୧୩ ତାରିଖ ସକାଳ ୮ଟା ୫ ମିନିଟ୍‌ରେ ରାଉରକେଲାରୁ ଛାଡିବ। ରାତି ୧୦ଟା ୫୫ ମିନିଟ୍‌ରେ ପୁରୀ ଷ୍ଟେସନରେ ପହଞ୍ଚିବ। ପରଦିନ ଅର୍ଥାତ୍‌ ୧୪ ଅଗଷ୍ଟରେ ପୁରୀ- ରାଉରକେଲା ପାସେଞ୍ଜର (୦୮୧୦୬) ପ୍ରତିଦିନ ପୁରୀ ଛାଡି ରାତିରେ ୮ଟା ୨୦ ମିନିଟ୍‌ରେ ରାଉରକେଲା ‌ଷ୍ଟେସନରେ ପହଞ୍ଚିବ। ଟ୍ରେନ୍‌ଟି ୧୬ ମାସ ବନ୍ଦ ଥିବାରୁ ଗତ ଜୁଲାଇ ୩୦ରେ ଗଡପ‌ୋଷ, ବାମଡା, ବାଗଡିହି ଷ୍ଟେସନରେ ଯାତ୍ରୀମାନେ ଆନ୍ଦୋଳନ କରିଥିଲେ। ଯାତ୍ରୀଙ୍କ ଦାବି ପରେ ଚକ୍ରଧରପୁର ମଣ୍ଡଳ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଟ୍ରେନ ଚଳାଚଳ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର