ରାଉରକେଲା: ରାଉରକେଲା ପ୍ରତି ରେଳବାଇ କର୍ତ୍ତୃପକ୍ଷଙ୍କ ଚିରାଚରିତ ଅବହେଳା ଆଜି ପୁଣିଥରେ ସର୍ବସମ୍ମୁଖକୁ ଆସିଛି। ରାଉରକେଲା‌ରେ ରେଳ ଡିଭିଜନ ସ୍ଥାପନ ଦାବିକୁ ସିଧାସଳଖ ଖାରଜ୍‌ କରିଦେଇଛନ୍ତି ଚକ୍ରଧରପୁର ଡିଆର୍‌ଏମ୍‌ ଅରୁଣ ଜେ. ରାଠୋର। ଶ୍ରୀ ରାଠୋର ଆଜି ରାଉରକେଲା ଗସ୍ତବେଳେ ଏନେଇ ପ୍ରଶ୍ନ କରାଯାଇଥିଲା। ଜବାବରେ କହିଲେ, ସଂପ୍ରତି ଚକ୍ରଧରପୁର ଡିଭିଜନକୁ ବିଭାଜନ କରି ନୂତନ ଡିଭିଜନ ସ୍ଥାପନ କରିବାର କୌଣସି ଯୋଜନା ନାହିଁ। ଏହି ଡିଭିଜନରୁ ଯେତିକି ରାଜସ୍ବ ଆଦାୟ ହେବା କଥା ହେଉନାହିଁ।

Advertisment

ଏଣୁ ନୂତନ ଡିଭିଜନ ସ୍ଥାପନହେଲେ ରାଜସ୍ବ ପ୍ରଭାବିତ ହେବାର ସମ୍ଭାବନା ରହିଥିବା କହିଛନ୍ତି। ଗତ ଜୁଲାଇ ମାସରେ ଏହି ଦାବିକୁ ଅଯୌକ୍ତିକ ଅବିହିତ କରିଥିଲେ ଭାରତୀୟ ରେଳବାଇ ବୋର୍ଡର ଅଧ୍ୟକ୍ଷ ବିନୟ କୁମାର ତ୍ରିପାଠୀ। ଗତ ଜୁଲାଇ ୧୦ରେ ରାଉରକେଲା ଗସ୍ତବେଳେ ସେ କହିଥିଲେ, ସଂପ୍ରତି ରାଉରକେଲା କିମ୍ବା ଦେଶର ଅନ୍ୟ କୌଣସି ଅଞ୍ଚଳରେ ନୂଆ ରେଳ ଡିଭିଜନ ସ୍ଥାପନ ଯୋଜନା ନାହିଁ। ନୂଆ ଡିଭିଜନ ସ୍ଥାପନ ହେଲେ ବିଶେଷ ଲାଭ ହୋଇନଥାଏ; ବରଂ ଅଧିକ ବ୍ୟୟ ହୁଏ। ଏଣୁ ସବୁ ଦିଗକୁ ବିଚାରକୁ ନେଇ ବର୍ତ୍ତମାନ ପାଇଁ ସେଭଳି କୌଣସି ଯୋଜନା ନାହିଁବୋଲି ସ୍ପଷ୍ଟ ଉଲ୍ଲେଖ କରିଥିଲେ। ଏମିତିକି ଏହା ପୂର୍ବରୁ ତତ୍କାଳୀନ ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଧ୍ୟ ସମାନ ଜବାବ ରଖିଥିଲେ। ଦାବି ପ୍ରତି ରେଳବାଇର ବରିଷ୍ଠ ଅଧିକାରୀଙ୍କ ନୈରାଶ୍ୟଜନକ ମନ୍ତବ୍ୟ ସହରବାସୀଙ୍କୁ ବହୁମାତ୍ରାରେ ନିରାଶ କରିଛି।

ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଉରକେଲାରେ ନୂଆ ରେଳ ଡିଭିଜନ ସ୍ଥାପନ ଦାବି ଢ଼େର୍‌ ପୁରୁଣା। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲ ଖଣିଖମାରେ ପରିପୂର୍ଣ୍ଣ। ଏହି ଅଞ୍ଚଳରେ ଖଣିଜପଦାର୍ଥ ପରିବହନକୁ ବ୍ୟାପକ କରିବା, ଯାତ୍ରୀଙ୍କୁ ଉନ୍ନତମାନର ସେବା ପ୍ରଦାନ ଆଦି ବିଭିନ୍ନ କାରଣରୁ ଏଠାରେ ରେଳ ଡିଭିଜନ ସ୍ଥାପନ ପାଇଁ ଦୀର୍ଘ ଦିନ ହେଲା ଦାବି ହେଉଛି। ଏହି ଦାବିକୁ ରାଜ୍ୟ ସରକାର ବି ସମର୍ଥନ କରିଛନ୍ତି। ବିଗତ ଦିନରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୯ ମସିହା ଫେବ୍ରୁଆରି ମାସରେ ରାଜ୍ୟରେ ତିନୋଟି ନୂଆ ରେଳ ଡିଭିଜନ ସ୍ଥାପନ କରି ଓଡ଼ିଶାକୁ ଗୋଟିଏ ରେଳବାଇ ଜୋନ୍‌, ଅର୍ଥାତ୍‌ ପୂର୍ବତଟ ରେଳବାଇରେ ସାମିଲ କରିବାକୁ ପାଇଁ ପତ୍ର ଲେଖିଥିଲେ। ଏହାପରେ ଗତ ନଭେମ୍ବର ୧୯ ତାରିଖରେ ଆଉ ଏକ ପତ୍ର ଲେଖି ସମାନ ଦାବି ଦୋହରାଇଥିଲେ। ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ରେଳମନ୍ତ୍ରୀଙ୍କୁ ଭେଟି ସମାନ ଦାବି ଉପସ୍ଥାପନ କରିଥିଲେ। ଏମିତିକି ରାଉରକେଲାର ବିଭିନ୍ନ ସଂଗଠନର କର୍ମକର୍ତ୍ତା ରେଳମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ବିଡ଼ମ୍ବନା, ତଥାପି ଜିଲ୍ଲାବାସୀଙ୍କ ନ୍ୟାଯ୍ୟ ଦାବି ପ୍ରତି ରେଳ ବିଭାଗ ଅବହେଳା କରିଚାଲିଛନ୍ତି।