ରାଉରକେଲା: ଦିନ ଥିଲା ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ରାଉରକେଲା ସ୍ମାର୍ଟସିଟି ବିଶ୍ବସ୍ତରୀୟ ପୁରସ୍କାର ଲାଭ କରୁଥିଲା। ଦେଶର ଅନ୍ୟ ସ୍ମାର୍ଟସିଟିକୁ ଢ଼େର୍ ପଛରେ ପକାଇ ଯଶ ହାତେଇଥିଲା। ଏବେ କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଛି। ପୁରସ୍କାର ମିଳିବା ତ ଦୂରର କଥା; ସମ୍ମାନାସ୍ପଦ ରୢାଙ୍କ୍ ବି ବଜାୟ ରଖିପାରୁନି। ସଂସଦରୁ ମିଳିଥିବା ଭୂ-ସ୍ଥାନିକ ପରିଚାଳନା ସୂଚନା ପ୍ରଣାଳୀ(ଜିଏମ୍ଆଇଏସ୍) ତଥ୍ୟ ଅନୁଯାୟୀ, ରାଉରକେଲା ସ୍ମାର୍ଟସିଟି ୪୭ତମ ସ୍ଥାନରେ ରହିଛି। ପ୍ରକଳ୍ପର ଅଗ୍ରଗତିକୁ ନେଇ ଜାରି ରୢାଙ୍କିଂ ତାଲିକାକୁ ଦେଖିଲେ ରାଉରକେଲା ସ୍ମାର୍ଟସିଟିର ରୢାଙ୍କ୍ ଖସିବାରେ ଲାଗିଥିବା ସ୍ପଷ୍ଟ ହୁଏ। ଏବେ ବି ୫ଟି ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଯଦିଓ ଅବଧି ସରିଲାଣି, କିନ୍ତୁ ପ୍ରକଳ୍ପ ଶେଷ ହେବାର ନାଁ ନେଉନି। ବିଭାଗୀୟ ଅବହେଳା ଯୋଗୁଁ ପ୍ରକଳ୍ପ ବେଗ ଧରିପାରୁନି।
୨୦୧୪ ନଭେମ୍ବର ୪ ତାରିଖରେ ରାଉରକେଲା ପୌରପାଳିକା ମହାନଗର ନିଗମରେ ପରିଣତ ହୋଇଥିଲା। ଦୁଇବର୍ଷ ପରେ, ଅର୍ଥାତ୍ ୨୦୧୬ ସେପ୍ଟେମ୍ବର ୨୦ରେ ରାଜ୍ୟର ଦ୍ବିତୀୟ ସହରଭାବେ ରାଉରକେଲା ସ୍ମାର୍ଟସିଟି ହୋଇଥିଲା। ଏବେ ସ୍ମାର୍ଟସିଟି ମିସନକୁ ୮ ବର୍ଷ ପୁରିଲାଣି। ଏହି ଯୋଜନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ରାଉରକେଲା ସ୍ମାର୍ଟସିଟି ପକ୍ଷରୁ ମୋଟ୍ ୬୪ଟି ପ୍ରକଳ୍ପ ହାତକୁ ନିଆଯାଇଥିଲା। ଏଥିପାଇଁ ମୋଟ୍ ୧୫୧୨.୮୬ କୋଟି ଅର୍ଥ ଅନୁମୋଦିତ ହୋଇଥିଲା। ଇତିମଧ୍ୟରେ ୧୧୫୫.୨୪ କୋଟି ବିନିଯୋଗରେ ୫୯ଟି ପ୍ରକଳ୍ପର ନିର୍ମାଣ ସମ୍ପନ୍ନ ହେଲାଣି। କିନ୍ତୁ ଏଯାଏ ୩୫୭.୬୨ କୋଟି ବ୍ୟୟଅଟକଳରେ ନିର୍ମାଣ ଚାଲିଥିବା ୫ଟି ପ୍ରକଳ୍ପ ଅସଂପୂର୍ଣ୍ଣ। ବାସ୍ତବରେ ପ୍ରକଳ୍ପର ଅବଧି ଶେଷ ହୋଇସାରିଲାଣି; କିନ୍ତୁ ପ୍ରକଳ୍ପ କଚ୍ଛପ ଗତିରେ ଆଗଉଛି।
/sambad/media/post_attachments/wp-content/uploads/2021/06/rourkela-1-750x430.jpg)
ଉଲ୍ଲେଖଯୋଗ୍ୟ, ଅସଂପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ଟ୍ରାଇବାଲ୍ ମ୍ୟୁଜିୟମ୍, ଟ୍ରାଫିକ୍ କଣ୍ଟ୍ରୋଲ ଆଣ୍ଡ୍ କମାଣ୍ଡ୍ ସେଣ୍ଟର୍, ସାଇନ୍ସ ପାର୍କ, ସିଟି ଅଡିଟୋରିୟମ ଓ କନଭେନ୍ସନ ସେଣ୍ଟର୍ ଆଦି ଅନ୍ୟତମ। ଗୋଟିଏପଟେ ପ୍ରକଳ୍ପ ଅଧପନ୍ତରିଆ ହୋଇରହିଥିବାବେଳେ ପ୍ରକଳ୍ପ ଭାଙ୍ଗିବା ଆରମ୍ଭ ହେଲାଣି। ପାଖାପାଖି ୧୨ କୋଟି ବ୍ୟୟଅଟକଳରେ ସୌନ୍ଦର୍ଯ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ନିର୍ମିତ ରାସ୍ତା ଚଳାପଥ ଓ ରାସ୍ତା ମଝିରେ ଚାରାରୋପଣ ପ୍ରହସନ ପାଲଟିଛି। ସହରର ଏକାଧିକ ସ୍ଥାନରେ ଚଳାପଥର ଟାଇଲ୍ ଭାଙ୍ଗିବା ସହ ଦବିଗଲାଣି। ଏମିତିକି ରାସ୍ତା ମଝିରେ ରୋପିତ ଚାରା ସବୁ ଉଭାନ୍ ହୋଇଗଲାଣି। ଏତଦ୍ବ୍ୟତୀତ ପ୍ରାୟ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ହକିର ପ୍ରତୀକ ‘ହକି ଷ୍ଟାଚ୍ୟୁ’, ପାଚେରୀ ଆଦି ଭାଙ୍ଗିଗଲାଣି।
ପ୍ରକାଶଥାଉକି, ବିଗତ ଦିନରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଉରକେଲା ସ୍ମାର୍ଟସିଟି ଏକାଧିକ ପୁରସ୍କାର ପାଇଥିଲା। ୨୦୨୨ରେ ‘ଇ-କୁଲ୍ ମଣ୍ଡି’ ପାଇଁ ରାଉରକେଲା ସ୍ମାର୍ଟସିଟିକୁ ‘ମିଲାନ୍ ପ୍ୟାକ୍ଟ୍’ ପୁରସ୍କାର ମିଳିଥିଲା। ୨୦୨୨ ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ବ୍ରାଜିଲର ରିଓ ଡି ଜେନେରିଓରେ ଆୟୋଜିତ ଅଷ୍ଟମ ‘ମିଲାନ୍ ସହରୀ ଖାଦ୍ୟ ନୀତି ଚୁକ୍ତି(ଏମ୍ୟୁଏଫ୍ପିପି)’ ଆୟୋଜିତ ହୋଇଥିଲା। ଉକ୍ତ ବର୍ଷ ସହର ପାଇଁ ଆଉ ଏକ ଗୌରବ ଆଣିଥିଲା ସ୍ମାର୍ଟସିଟି। ଭାରି ସରକାରଙ୍କ ଗୃହ ଏବଂ ସହରୀ ବ୍ୟାପାର ମନ୍ତ୍ରାଳୟ, ସ୍ମାର୍ଟ ସିଟି ମିଶନ୍ ଏବଂ ଏଫ୍ଏସ୍ଏସ୍ଏଆଇର ମିଳିତ ଆନୁକୁଲ୍ୟରେ ଆୟୋଜିତ ‘ଇଟ୍ ସ୍ମାର୍ଟସିଟି’ ପ୍ରତିଯୋଗିତାରେ ରାଉରକେଲା ସ୍ମାର୍ଟ ସିଟି ଶ୍ରେଷ୍ଠ ୧୧ ଭିତରେ ରହିଥିଲା। ସେହିଭଳି ୨୦୨୧ରେ ‘ବ୍ଲୁମବର୍ଗ ଗ୍ଲୋବାଲ୍ ମେୟର୍ସ’ ପ୍ରତିଯୋଗିତାରେ ବିଶ୍ବର ଶ୍ରେଷ୍ଠ ୧୫ ସହର ଭିତରେ ରହି ୧ ମିଲିୟନ ଡଲାର୍ ପୁରସ୍କାର ରାଶି ଓ ବୈଷୟିକ ସହାୟତା ରାଶି ପାଇବାକୁ ଯୋଗ୍ୟ ହୋଇଥିଲା। ଉକ୍ତ ବର୍ଷ ଅନୁଷ୍ଠିତ ‘ନର୍ଚରିଂ ନେବରହୁଡ୍’ ପ୍ରତିଯୋଗିତାରେ ଦେଶ ଶ୍ରେଷ୍ଠ ୧୦ଟି ସହର ମଧ୍ୟରେ ରହିଥିଲା।