ରାଉରକେଲା: ବୁଧବାର ଇସ୍ପାତ୍ ନଗରୀ ରାଉରକେଲାରେ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ ବୁଧବାର ସକାଳ ସାଢ଼େ ୮ଟାରୁ ସଂଧ୍ୟା ସାଢ଼େ ୫ଟା ମଧ୍ୟରେ ସହରରେ ରାଜ୍ୟର ସର୍ବାଧିକ ୯୦.୮ ମିମି ବର୍ଷା ରେକର୍ଡ ହୋଇଥିଲା। ବୁଧବାର ସକାଳୁ ଝିପିଝିପି ବର୍ଷା ଲାଗି ରହିଥିଲା। ହେଲେ ମଧ୍ୟାହ୍ନରୁ ମୂଷଳଧାରାରେ ଅବିଶ୍ରାନ୍ତ ବର୍ଷା ହୋଇ ରାତି ୮ଟା ପର୍ଯ୍ୟନ୍ତ ଲାଗି ରହିଥିଲା। ବର୍ଷା ଯୋଗୁଁ ସହରର ବିଭିନ୍ନ ପ୍ରମୁଖ ରାସ୍ତା ଜଳାର୍ଣ୍ଣବ ହୋଇଯାଇଛି। ତଳି ଅଞ୍ଚଳରେ ପାଣି ପଶିଛି। ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି।

Advertisment

ସୁନ୍ଦରଗଡ଼ ଜିଲ୍ଲା ସାରା ବର୍ଷା ଲାଗି ରହିଥିବାରୁ ଜିଲ୍ଲାପାଳ ୩ ତାରିଖ ଗୁରୁବାର ଦିନ ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରିଛନ୍ତି। ଅପରପକ୍ଷେ, ଉପରମୁଣ୍ଡରେ ଅବିଶ୍ରାନ୍ତ ବର୍ଷା ‌ଯୋଗୁ ବ୍ରାହ୍ମଣୀ ଫୁଲୁଛି। ମଙ୍ଗଳବାର ମନ୍ଦିରା ଡ୍ୟାମର ୭ଟି ଓ ବୁଧବାର ଗୋଟିଏ ଗେଟ୍‌ ଖୋଲିବା ପରେ ବ୍ରାହ୍ମଣୀର ଜଳସ୍ତର ବିପଦ ସଙ୍କେତଠାରୁ ଆମ ମାତ୍ର ୧୦ ଫୁଟ୍‌ ତଳେ ରହିଛି। କୋଏଲ ନଦୀର ଜଳସ୍ତର ବି ବୃଦ୍ଧି ପାଇଛି।