ପୁରସ୍କାର ସାଉଁଟୁଛି ସ୍ମାର୍ଟସିଟି; ବଦଳୁନି ସହରର ରାସ୍ତାଘାଟ, ଅସରାଏ ବର୍ଷାରେ ବେ‌ହାଲ ଗଳି କନ୍ଦି ରାସ୍ତା

ରାଉର‌କେଲା: ସୌନ୍ଦର୍ଯ୍ୟକରଣ ହେଉଛି ସହର। ସ୍ମାର୍ଟସିଟି ପକ୍ଷରୁ ପାଣି ବୋହିଲା ପରି ଟଙ୍କା ଖର୍ଚ୍ଚ ହେଉଛି। ବର୍ଷ ବର୍ଷ ଧରି ରାସ୍ତାଘାଟ ମରାମତି ଚାଲିଛି। କିନ୍ତୁ ସରୁନି। କେବେ ସରିବ, କେହି ଜାଣି ନାହାନ୍ତି। ଏପଟେ କିନ୍ତୁ ପୁରସ୍କାର ପରେ ପୁରସ୍କାର ସାଉଁଟୁଛି ସ୍ମାର୍ଟସିଟି। ଏହା କେମିତି ସମ୍ଭବ ହେଉଛି, ତା’ ସେହିମାନଙ୍କୁ ଭଲ୍‌ ଭାବେ ଜଣା। କାରଣ ସ୍ମାର୍ଟସିଟିର ରାସ୍ତାଘାଟର ସ୍ଥିତିକୁ ଦେଖିଲେ ଏସବୁ ପୁରସ୍କାର କେବଳ ଲୋକଦେଖାଣିଆ ବ୍ୟତୀତ ଆଉ କିଛି ନୁହେଁ ବୋଲି ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି। ଗୋଟିଏ ପଟେ ସ୍ବରେଜ କାମ ଓ ଅନ୍ୟମାନେ ଗେଲ୍‌ ଇଣ୍ଡିଆର ଗ୍ୟାସ୍‌ ଲାଇନ ବିଛା କାମ ସହର ରାସ୍ତାଘାଟକୁ ସମ୍ପୂର୍ଣ୍ଣ ବିକାଡି ଦେଇଛି। ସ୍ବରେଜ ବୋର୍ଡ ଓ ସ୍ମାର୍ଟସିଟିର ଅଧପନ୍ତରିଆ କାମ ଯୋଗୁ ସହର ପ୍ରମୁଖ ଓ ଗଳିକନ୍ଦି ରାସ୍ତା ସ୍ଥିତି ସଙ୍ଗୀନ ହୋଇ ପଡିଛି। କେଉଁଠି ଲୋକେ ଠିକ୍ ଭାବେ ଘରୁ ବାହାରି ପାରୁ ନାହାନ୍ତି ତ ଅନ୍ୟ କେଉଁଠି ଯାନବାହନ ଯାତୟତା କରିବା ମୁ୍ସ୍କିଲ ପଡିଛି। କେବଳ ଏତିକି ନୁହେଁ ଅଧିକାଂଶ କ୍ରୁତିମ ପୋଖରୀ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ ପାଣି ଲହଡି ମାରୁଛି। ସହରର ମୁଖ୍ୟମାର୍ଗ, ସିଭିଲଟାଉନସିପ୍, ବାସନ୍ତୀକଲୋନି, ବିଶ୍ରାରୋଡ, ପ୍ଲାଣ୍ଟସାଇଟ୍ ରୋଡ, ମ୍ୟୁନିସିପାଲ କଲେଜ ରୋଡ, ଓରାମପଡା, ପାନପୋଷରେ ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ଯାତାୟତ ଅନୁପଯୋଗୀ ହୋଇ ପଡିଛି।

ପାନପୋଷ ଛକରୁ ପାନପୋଷ ବସ୍ତିର, କଳିଙ୍ଗ ବିହାର, ଜଗନ୍ନାଥ କଲୋନି, ପଣ୍ଡା କଲୋନି ରାସ୍ତା ଅବସ୍ଥା ଆହୁରି ଦୟନୀୟ ହୋଇ ପଡିଛି। ଅସରାଏ ବର୍ଷାରେ ପାନପୋଷ ହସ୍ପିଟାଲରୁ ଗୃହସ୍ଥୀ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ କର୍ଦ୍ଦମାକ୍ତ ହୋଇଛି। ଯାହା ସମ୍ପୂର୍ଣ୍ଣ ଯାତାୟତ ଅନୁପଯୁକ୍ତ ହୋଇପଡିଛି। ସ୍ଥା‌ନୀୟ ଲୋକ ଅଭିଯୋଗ ପରେ ଅଭିଯୋଗ କରୁଛନ୍ତି। ବିଭାଗୀୟ ଅଧିକାରୀ ଶୁଣୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସିଭିଲଟାଉନସିପର ଅଧିକାଂଶ ରାସ୍ତାର ସେହି ସମାନ ଅବସ୍ଥା। ସ୍ବରେଜ ବୋର୍ଡ କାମରେ ଅଧିକାଂଶ ଜାଗାରେ ଡ୍ରେନ୍‌ଗୁଡ଼ିକ ପୋତି ହୋଇଯାଇଥିବାରୁ ବର୍ଷା ପାଣି ଘରେ ପଶୁଛି। ମୁଖ୍ୟ ରାସ୍ତାରେ ଅନେକ ସ୍ଥାନରେ ସ୍ବରେଜ ପାଇପ୍ ସଂଯୋଗ ପାଇଁ ରାସ୍ତାକୁ ସେମିତି ଖୋଳି ଛାଡି ଦିଆଯାଇଥିବାରୁ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି।

ବଣିଆ ଗେଟ୍‌ରୁ ପ୍ଲାଣ୍ଟସାଇଟ୍ ପର୍ଯ୍ୟନ୍ତ ରାସ୍ତାରେ ବଡ ବଡ ଗର୍ତ୍ତ ସୃ୍ଷ୍ଟି ହୋଇଥିଲେ ହେଁ ମରାମତି କରାଯାଉ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ସ୍ମାର୍ଟସିଟି ଏବେ ଦହଗଞ୍ଜ ସିଟିରେ ପରିଣତ ହୋଇଛି। କାରଣ ହେଉଛି ସହରର ବିପର୍ଯ୍ୟସ୍ତ ସ୍ବରେଜ ବ୍ୟବସ୍ଥା। କଚ୍ଛପ ଗତିରେ ଚାଲିଥିବା ୩୪୦ କୋଟିର ପ୍ରକଳ୍ପ କେବେ ସରିବ, କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। କିନ୍ତୁ ବିଭାଗୀୟ ଅଧିକାରୀ କହୁଛନ୍ତି କାମ ଠିକ୍‌ଠାକ୍‌ ଚାଲିଛି। ତିନି ବର୍ଷର ପ୍ରକଳ୍ପକୁ ସାଢ଼େ ଚାରି ବର୍ଷରୁ ଅଧିକ ସମୟ ବିତିଲାଣି। ତଥାପି ୩୦% କାମ ବାକି ରହିଛି। ଯାହାକି ପୁରା ପାଇପ୍ ଲାଇନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଂଶ। ସେମିତି ସହରର ପ୍ରାୟ ୨୮ ହଜାର ଘରକୁ ସ୍ବରେଜ ପାଇପ୍ ସଂଯୋଗ କରିବାକୁ ଟାର୍ଗେଟ ରହିଛି। ତେଣୁ ଭବିଷ୍ୟତରେ ଏହି ୩୪୦ କୋଟିର ପ୍ରକଳ୍ପ ସହରବାସୀଙ୍କ କାମରେ ଆସିବ କି ନାହିଁ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର