ରାଉରକେଲା: ହକି ବିଶ୍ବକପ ସମୟରେ ଇସ୍ପାତ ସହରରେ ସ୍ବଚ୍ଛତା ଶୀର୍ଷରେ ପହଞ୍ଚିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପରିମଳ ବ୍ୟବସ୍ଥାକୁ ଛେଉଣ୍ଡ କରିଦେଇଥିଲେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କର୍ତ୍ତୃପକ୍ଷ। ନିୟମିତ ସଫେଇ କରାନଯିବା, ଶୂନ ରକ୍ଷଣାବେକ୍ଷଣ ତଥା ମରାମତିକୁ କର୍ତ୍ତୃପକ୍ଷ ଆଡ଼ ଆଖିରେ ଚାହିଁନଥିଲେ। ଫଳରେ ସ୍ବଚ୍ଛ ସହର ରାଉରକେଲା ଅସ୍ବଚ୍ଛ ହେବା ସ୍ବାଭାବିକ୍‌।
Advertisment
ପୂର୍ବ ବର୍ଷ ତୁଳନାରେ ‘୨୦୨୩ ସ୍ବଚ୍ଛ ସର୍ବେକ୍ଷଣ’ରେ ରାଉରକେଲା ସ୍ଥାନ ତଳକୁ ଖସିଛି। ୩ରୁ ୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ରାଉରକେଲା ଏଥର ୧୧୯ତମ ସ୍ଥାନରେ ରହିଛି। ଉଲ୍ଳେଖଯୋଗ୍ୟ, ‘୨୦୨୨ ସ୍ବଚ୍ଛ ସର୍ବେକ୍ଷଣ’ରେ ରାଉରକେଲା ୪୫ତମ ସ୍ଥାନରେ ରହିଥିଲା। ଅର୍ଥାତ୍‌, ମାତ୍ର ବର୍ଷକ ଭିତରେ ରାଉରକେଲାରେ ୭୪ ସ୍ଥାନ ହରାଇଛି। ସେହିଭଳି ରାଉରକେଲା ‘ସ୍ବଚ୍ଛ ସହର ତାଲିକା’ରେ ମଧ୍ୟ ତଳକୁ ଖସିଛି। ୨୦୨୨ରେ ରାଉରକେଲା ଓଡ଼ିଶାର ଶ୍ରେଷ୍ଠ ସ୍ବଚ୍ଛ ସହର ଭାବେ ତାଲିକାର ଶୀର୍ଷ ସ୍ଥାନରେ ରହିଥିଲା। ୨୦୨୩ ସର୍ବେକ୍ଷଣରେ କିନ୍ତୁ ପଞ୍ଚମ ସ୍ଥାନକୁ ଖସିଛି। ଏତଦ୍‌ବ୍ୟତୀତ ସହର ‘ଓଡିଏଫ୍‌ ++’ ମାନ୍ୟତାକୁ ହରାଇବାସହ କେବଳ ‘ଓଡିଏଫ୍‌’ ମାନ୍ୟତାରେ ସୀମିତ ରହିଛି। ଏମିତିକି ‘ଆବର୍ଜନା ମୁକ୍ତ ସହର’ ବର୍ଗରେ ମାତ୍ର ଗୋଟିଏ ତାରକା ପାଇଛି।
ସ୍ମାର୍ଟସିଟି କ୍ରମଶଃ ଅସ୍ବଚ୍ଛ ହେବା ପଛରେ ଏକାଧିକ କାରଣ ରହିଛି। ସହରରୁ ନିର୍ଗତ ଅଳିଆ ଆବର୍ଜନା ସୁପରିଚାଳନା ଶତ ପ୍ରତିଶତ ସମ୍ଭବ ହେଉନି। ସହରରୁ ଦୈନିକ ପାଖାପାଖି ଶହେ ଟନ୍‌ କଠିନ ବର୍ଜ୍ୟ ସଂଗୃହିତ ହୋଇଥାଏ। ତେବେ ଆର୍‌ଏମ୍‌ସି ଦ୍ବାରା ସ୍ଥାପିତ ୭ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର୍‌ରେ ପ୍ରାୟ ୪୦ ଟନ୍‌ ବର୍ଜ୍ୟର ସୁପରିଚାଳନା ସମ୍ଭବ ହେଉଛି। ଅବଶିଷ୍ଟ ବର୍ଜ୍ୟକୁ ବିଶ୍ବର ସର୍ବବୃହତ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପାଖରେ ଡମ୍ପିଂ କରାଯାଉଛି। ଆର୍‌ଏମ୍‌ସି ପକ୍ଷରୁ ସହରର ପ୍ରମୁଖ ଅଞ୍ଚଳ, ରାସ୍ତା କଡ଼ରେ ଏକାଧିକ ଶୌଚାଳୟ, ଗୋଷ୍ଠିଗତ ଶୌଚାଳୟ ନିର୍ମାଣ କରାଯାଇଥିଲା। କିନ୍ତୁ କେଉଁ ଶୌଚାଳୟରେ ପାଣି ନାହିଁ ତ ପୁଣି କେଉଁ ଶୌଚାଳୟ ରକ୍ଷଣାବେକ୍ଷଣରୁ ଅଭାବରୁ ଭାଙ୍ଗିରୁଜି ଗଲାଣି। ଫଳରେ ପଥଚାରୀ, ଜନସାଧାରଣ ଏହାର ବ୍ୟବହାର କରିବା ପରିବର୍ତ୍ତେ ଖୋଲାରେ ଶୌଚ କରୁଛନ୍ତି। କ୍ରମାଗତ ଅବହେଳାର ଶିକାର ବସ୍ତିବାସୀ ଏବେବି ଖୋଲାରେ ‌ଶୌଚ କରିବାକୁ ବାଧ୍ୟ ହେଉଛନ୍ତି। ତେବେ ବସ୍ତି ଅଞ୍ଚଳରେ ଖୋଲାରେ ଶୌଚ ଅବ୍ୟାହତ ରହିଛି। ବସ୍ତିଗୁଡ଼ିକରେ ଆବଶ୍ୟକସଂଖ୍ୟକ ଗୋଷ୍ଠି ଶୌଚାଳୟ ନିର୍ମାଣ କରାଯାଇନି। ଯେଉଁ କେତୋଟି ସ୍ଥାନରେ ନିର୍ମାଣ କରାଯାଇଥିଲା, ତାହା ଏବେ ବ୍ୟବହାର ଅନୁପଯୋଗୀ। ପ୍ରକାଶଥାଉକି, ୨୦୧୮ ଡିସେମ୍ବର ଶେଷ ସପ୍ତାହରେ ରାଉରକେଲାକୁ ପ୍ରଥମଥର ପାଇଁ ‘ଓଡିଏଫ୍‌’ ମାନ୍ୟତା ମିଳିଥିଲା। ଏହି ଉପଲକ୍ଷେ ସ୍ଥାନୀୟ ଉଦିତନଗର ଉଚ୍ଚ ବିଦ୍ୟାଳୟରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ଆୟୋଜନ କରି ବ୍ୟାପକ ପ୍ରଚାରପ୍ରସାର ବି କରାଯାଇଥିଲା। ପରବର୍ତ୍ତୀ ସମୟରେ, ଅର୍ଥାତ୍‌ ‘ଓଡିଏଫ୍‌ ପ୍ଲସ୍‌ ମାନ୍ୟତା’ ସମୟରେ ମଧ୍ୟ ସମାନ ଦୃଶ୍ୟ ପରିଲକ୍ଷିତ ହୋଇଥିଲା। ମାନ୍ୟତା ମିଳୁଥିଲା ସତ; କିନ୍ତୁ ବସ୍ତିବାସୀଙ୍କ ଚିରାଚରିତ ଖୋଲା ଶୌଚ ପ୍ରଥାରେ ଅଙ୍କୁଶ ଲାଗିପାରିନଥିଲା। ଏବେବି ଆର୍‌ଏମ୍‌ସି ଅନ୍ତର୍ଗତ ବିଭିନ୍ନ ବସ୍ତି, ଯଥା-ଲୋହାରପଡ଼ା, ଚନିଆ ବସ୍ତି, ସୁନାର ବସ୍ତି, ଆନନ୍ଦଧାମ ବସ୍ତି, ଧବେଳଶ୍ବର ବସ୍ତି, ଲୋହରା ବସ୍ତି, ମୁଣ୍ଡା ବସ୍ତି, ଡେଡେଙ୍ଗ୍‌ ବସ୍ତି, ଗଞ୍ଜାମ କଲୋନି, ଦେଉରୀ ବସ୍ତି, ସେଠୀ ବସ୍ତି, ଖାଦାନ ବସ୍ତି, ରାମ ବସ୍ତି, ଚେକ୍ ଗେଟ୍ ବସ୍ତି, ତେଲଗୁ ବସ୍ତି ଆଦି ଶତାଧିକ ବସ୍ତିରେ ସମାନ ସମସ୍ୟା ଦେଖିବାକୁ ମିଳିଛି।