ଆଣ୍ଠେଇଛି ରାଉରକେଲା ସ୍ମାର୍ଟସିଟି, ୪ ବର୍ଷରେ ମାତ୍ର ତିନି ପ୍ରକଳ୍ପ ଶେଷ
ବ୍ୟାଙ୍କରେ ପଡିଛି ୩୫୦ କୋଟି, ଦରମା ବାବଦ ଖର୍ଚ୍ଚ ୩.୨୩ କୋଟି
ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ଘୋଷଣାକୁ ଇତି ମଧ୍ୟରେ ୪ ବର୍ଷ ପୂରଣ ହୋଇଛି। ସହର କିନ୍ତୁ ଏଯାଏଁ ବିକାଶ ଦେଖିନି। ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟର ଅବହେଳା ହେଉ ଅବା ରାଜନୈତିକ ଦଳର ଇଚ୍ଛାଶକ୍ତିର ଅଭାବ ଯୋଗୁଁ ସ୍ମାର୍ଟ ସିଟି ସେମିତି ଆଣ୍ଠେଇଛି। ୪ ବର୍ଷ ମଧ୍ୟରେ ନାଁକୁ ମାତ୍ର ୩ଟି ପ୍ରକଳ୍ପ ଶେଷ ହୋଇଛି। ଯେଉଁଗୁଡ଼ିକ ପୂର୍ବରୁ ରାଉରକେଲା ମହାନଗର ନିଗମ (ଆରଏମ୍ସି) ଦ୍ୱାରା ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ସ୍ଥଳାକୃତିକ ସର୍ଭେକ୍ଷଣ (ଟପୋଗ୍ରାଫିକାଲ୍ ସର୍ଭେ), ଖୋଲା ଶୌଚ ମୁକ୍ତ (ଓଡିଏଫ୍) ଓ ୬ଟି ପାର୍କର ଉନ୍ନତିକରଣ। ପ୍ରସ୍ତୁତ ହୋଇଥିବା ଅନ୍ୟ ୨୬ଟି ପ୍ରକଳ୍ପ କେବେ ସରିବ କାହାରି ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ଏସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରୁ କେତେକର କାର୍ଯ୍ୟ ଚାଲିଛି, ଆଉ କେତେକ ଅଧପନ୍ତରିଆ ହୋଇ ପଡିଛି। କେତେକ ପ୍ରକଳ୍ପର ଟେଣ୍ଡର ବାତିଲ ହୋଇଛି। ପୁଣି କେତେକ ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତି ଚାଲିଛି। ପାନପୋଷ ସର୍କିଟ ହାଉସ୍ ନିକଟରେ ୧୧ କୋଟି ୬ ଲକ୍ଷ ଟଙ୍କାରେ ନିର୍ମାଣ ଚାଲିଥିବା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ କେବଳ ପାଚେରୀ କାମ ଶେଷ ହୋଇଛି। ୨୬ କୋଟି ୪୭ ଲକ୍ଷ ଟଙ୍କାର ସ୍ମାର୍ଟ ସିଟି ରୋଡ (ଫେଜ୍ -୧) କେବଳ ଭୂତଳ ସେବା ଶେଷ ହୋଇଛି। ବସ୍ ସେଲ୍ଟର ସମେତ ଅନ୍ୟାନ୍ୟ କାମ ଚାଲିଛି। ୧୩୮ କୋଟି ୪୭ ଲକ୍ଷ ଟଙ୍କାର ନିର୍ମାଣ ହେଉଥିବା ବିର୍ସାମୁଣ୍ଡା ଷ୍ଟାଡିୟମରେ ମଲ୍ଟି ପାର୍କିଂ ଓ ଅନ୍ୟାନ୍ୟ କାମର ମଧ୍ୟ ସେହି ସମାନ ସ୍ଥିତି। ୪୯ କୋକଟି ୫୨ ଲକ୍ଷର ପାନପୋଷ ମାର୍କେଟ ନିର୍ମାଣ କେବଳ ଭିତ୍ତିଭୂମି କାମ ଆରମ୍ଭ ହୋଇଛି। ଅସ୍ଥାୟୀ ଭାବେ ଥଇଥାନ ହୋଇଥିବା ଦୋକାନୀ କେବେ ମାର୍କେଟକୁ ଆସିବେ ଠିକ୍ ଠିକଣା ନାହିଁ।
ଅନୁରୂପ ଭାବେ ୨ କୋଟି ୮୯ କୋଟିର ସ୍ମାର୍ଟ ବସ୍ ସେଲ୍ଟର, ୮ କୋଟିର ସ୍ମାର୍ଟ ବସ୍ ଟର୍ମିନସ୍, ୪୭ କୋଟି ୪ ଲକ୍ଷ ବ୍ରାହ୍ମଣୀ ନଦୀ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକରଣ, ୧୧ କୋଟି ୪୮ ଲକ୍ଷର ବାସନ୍ତି କଲୋନି ଡିଏଭି ପୋଖରୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ, ୨ କୋଟି ୮୧ ଲକ୍ଷ ଟଙ୍କାର ଭିଏସ୍ଏସ୍ ସାପ୍ତାହିକ ହାଟ ବିକାଶ କାର୍ଯ୍ୟାଦେଶ ଇସ୍ୟୁ ହୋଇଛି। କେବଳ ଏତିକି ନୁହେଁ ୫ କୋଟି ବ୍ୟୟରେ ସହରର ବସ୍ତି ଅଞ୍ଚଳରେ ଲାଗିଥିବା ଏଲ୍ଇଡି ଆଲୋକ ସେବା ଟେଣ୍ଡର ଅପେକ୍ଷାରେ ରହିଛି। ୧୨ କୋଟି ୨୭ ଲକ୍ଷ ଟଙ୍କାର ୨୪ ପ୍ରମୁଖ ପାର୍କର ବିକାଶ, ପାୱାର ହାଉସ ରୋଡ ଓ ଟ୍ରାଫିକ୍ ଛକ ପାର୍କିଂ ବ୍ୟବସ୍ଥା କାର୍ଯ୍ୟାଦେଶ ଇସ୍ୟୁ ହୋଇଛି। କିନ୍ତୁ ଏ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେବ ସ୍ମାର୍ଟସିଟି ଅଧିକାରୀଙ୍କୁ ଜଣାନାହିଁ। ୧ କୋଟି ୨୦ ଲକ୍ଷ ଟଙ୍କାର ୩ଡି ଫ୍ଲେକ୍ସ କାମ ପ୍ରସ୍ତାବରେ ଅଟକିଛି। ଅନୁରୂପ ଭାବେ ୧୦ କୋଟି ବ୍ୟୟରେ ମହିଳା ହଷ୍ଟେଲ ନିର୍ମାଣ ପାଇଁ ରାଜ୍ୟ ଗୃହ ନଗର ଉନ୍ନୟନ ବିଭାଗ ସହ ଆଲୋଚନା ଚାଲିଛି। ଏଥିସହ ୧୦୫ କୋଟି ଷ୍ଟର୍ମ ୱାଟର ମ୍ୟାନେଜମେଣ୍ଟ , ୨ କୋଟି ୮୧ ଲକ୍ଷର ସ୍ମାର୍ଟ କ୍ଲାସ ରୁମ୍, ୧ କୋଟି ୧ ଲକ୍ଷ ଟଙ୍କାର ଡିଜିଟାଲ ହେଲ୍ଥ କେୟାର ବ୍ୟବସ୍ଥା ସବୁକିଛିର ଡିପିଆର୍ ପସ୍ତୁତି ଚାଲିଛି। କେବେ ଡିପିଆର୍ ପ୍ରସ୍ତୁତି ହେବ, କାମ ଆରମ୍ଭ ହେବ କାହାରିକୁ ଜଣା ନାହିଁ।
ତେବେ ୪ ବର୍ଷ ମଧ୍ୟରେ ସ୍ମାର୍ଟସିଟି ପ୍ରକଳ୍ପଗୁଡ଼ିକର ଏଭଳି ସ୍ଥିତି ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ସେପଟେ ପ୍ରକଳ୍ପ ବାବଦରେ ଆସିଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ବ୍ୟାଙ୍କରେ ପଡିଛି। ଖର୍ଚ୍ଚ ହେଉ ନଥିବାରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଉଭୟ କେନ୍ଦ୍ର ଓ ରାଜ୍ୟରୁ ଟଙ୍କାଟିଏ ଆସି ନାହିଁ। ୨୦୧୫-୧୬ରେ ସ୍ମାର୍ଟସିଟିକୁ ମାତ୍ର ୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା।୨୦୧୬-୨୦୧୭ରେ ଏହି ଅର୍ଥ ବଢ଼ି ୧୫୦ କୋଟି, ୨୦୧୭-୧୮ରେ ୨୨୪ କୋଟି ମଞ୍ଜୁର ହୋଇଥିଲା। ଏମିତି ମୋଟ ୩୭୬ କୋଟି ଟଙ୍କା ମଞ୍ଜୁରି ହୋଇଛି। ଏଥିରେ ରହିଛି ରାଜ୍ୟ ସରକାରଙ୍କର ୧୮୮ ଓ କେନ୍ଦ୍ର ସରକାରଙ୍କ ୧୮୮ କୋଟି ଟଙ୍କା। ଖର୍ଚ୍ଚ ନ ହୋଇପାରିବାରଚୁ ବ୍ୟାଙ୍କରେ ୨୬୬ କୋଟି ୮୩ ଲକ୍ଷ ଟଙ୍କା ପଡିଛି। ଯାହାର ୮୩ କୋଟି ୪୨ ଲକ୍ଷ ଅର୍ଥାତ ଏବେ ସୁଦ୍ଧା ୩୫୦ କୋଟି ୨୫ ଲକ୍ଷ ଟଙ୍କା ବ୍ୟାଙ୍କରେ ପଡିଛି। ସବୁଠୁ ଆଶ୍ଚର୍ଯ୍ୟ କଥା ପ୍ରକଳ୍ପ ତ ଆଗେଇ ନାହିଁ କିନ୍ତୁ ଅଧକାରୀ ଓ କର୍ମଚାରୀଙ୍କ ଦରମା ବାବଦରେ ଖର୍ଚ୍ଚ ହୋଇ ସାରିଲାଣି ୩ କୋଟି ୨୩ ଲକ୍ଷ ଟଙ୍କା।
ରାଉରକେଲା ସ୍ମାର୍ଟସିଟି ଲିମିଟେଡରେ କାର୍ଯ୍ୟ କରୁଛନ୍ତି ୧୧ ଜଣ ଅଧିକାରୀ ଓ କର୍ମଚାରୀ। ଏମାନଙ୍କ ଦରମା ୩୭ ହଜାର ୫୦୦ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ୨୦୧୭-୧୮ରେ ଦରମା ବାବଦରେ ୫୦ ଲକ୍ଷ, ୨୦୧୮-୨୯ରେ ୧ କୋଟି ୩୦ ଲକ୍ଷ, ୨୦୧୯-୨୦ରେ ୧ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ବିଡମ୍ବନା, ସହରରେ ଯେତେଗୁଡିଏ କାର୍ଯ୍ୟ ଚାଲିଛି ସବୁ କିଛି ନୀତିନିୟମ ଅନୁସାରେ ହେଉ ନାହିଁ। ଏଥିପାଇଁ ସହରବାସୀଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ପାନପୋଷ ଗାନ୍ଧି ଛକରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ପ୍ରାୟ ୩.୭ କି.ମି. ରାସ୍ତାକୁ ସ୍ମାର୍ଟ ସିଟି ରୋଡ କରାଯାଉଛି। କାମ ନେଇଥିବା ଠିକା ସଂସ୍ଥା ଯେମିତି କାମ କରିବା କଥା ସେମିତି କରୁ ନଥିବାରୁ ଯାନବାହନ ଠାରୁ ଆରମ୍ଭ କରି ପଥଚାରୀଙ୍କ ପାଇଁ ବହୁ ସମସ୍ୟା ଆଣୁଛି। ଦିନ ସମୟରେ ଧୂଳି ଏମିତି ଉଡୁଛି ଯେ ରାସ୍ତା ଦୁଇ ପାର୍ଶ୍ବର ଦୋକାନୀଙ୍କ ଠାରୁ ଆରମ୍ଭ କରି ପଥଚାରୀମାନେ ବହୁ ଅସୁବିଧା ଭୋଗୁଛନ୍ତି। ସେପଟେ ସ୍ମାର୍ଟସିଟି ପ୍ରକଳ୍ପଗୁଡ଼ିକ ସ୍ଥିତିର ସମୀକ୍ଷା ହେଉ ନଥିବାରୁ ବିଭାଗୀୟ ଅଧିକାରୀମାନେ ମନଇଚ୍ଛା କାମ କରୁଛନ୍ତି। ଯଦି ୨/୩ ମାସର ସମୀକ୍ଷା ବୈଠକ ଅନୁଷ୍ଠିତ ହୁଅନ୍ତା। ସାଂସଦ, ବିଧାୟକ ସମେତ ସ୍ମାର୍ଟ ସିଟି ବୋର୍ଡର ସଦସ୍ୟ ଉପସ୍ଥିତ ରହି ପ୍ରକଳ୍ପଗୁଡ଼ିକର ସ୍ଥିତି କ’ଣ, ଚାଲିଥିବା କାମ ସଠିକ୍ ଭାବେ ଚାଲିଛି କି ନାହିଁ ଯାଞ୍ଚ କରନ୍ତେ ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀ ତତ୍ପର ହୁଅନ୍ତେ। ଯେଉଁ ପ୍ରକଳ୍ପଗୁଡ଼ିକ କଚ୍ଛପ ଗତିରେ ଚାଲିଛି ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇ ପାରନ୍ତା।