ରାଉରକେଲା : ସହରରେ ଚାଲିଥିବା ସ୍ମାର୍ଟସିଟି ପ୍ରକଳ୍ପ ଗୁଡ଼ିକ ଗତ ଜୁନ୍ ଶେଷ ସୁଦ୍ଧା ସରିବାକୁ ଥିଲେ ହେଁ ସରୁନି। ତତ୍କାଳୀନ ସ୍ମାର୍ଟସିଟି ସିଇଓ ତଥା ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଜୁନ୍ ଶେଷ ସୁଦ୍ଧା ପ୍ରକଳ୍ପଗୁଡ଼ିକ ସାରିବାକୁ ଠିକା ସଂସ୍ଥାଗୁଡ଼ିକୁ ଦାଗିଦ୍ କରିଥିଲେ। ହେଲେ ୮୦୦ କୋଟିରୁ ଅଧିକ ଟଙ୍କାର ବ୍ୟୟରେ ହୋଇଥିବା ପ୍ରାୟ ୫୬ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଏବେ କିଛି ପ୍ରକଳ୍ପ ସରିନି। ଆହୁରି ୪୦% ଅଧିକ କାମ ବାକି ରହିଛି। ଏସବୁ କେବେ ସରିବ ବିଭାଗୀୟ ଅଧିକାରୀଙ୍କ ପାଖରେ ସନ୍ତୋଷଜନକ ଉତ୍ତର ନାହିଁ। ସେମିତି ଶେଷ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ହୋଇସାରିଛି। ଲୋକାର୍ପିତ ହୋଇଥିବା ସତ୍ତ୍ବେ ଜନସାଧାରଣଙ୍କ ପାଇଁ ଖୋଲାଯାଉ ନାହିଁ। ମାସ ମାସ ଧରି ତାଲା ଝୁଲିଛି। ଅନ୍ୟ କିଛି ପ୍ରକଳ୍ପ ୬ ମାସ ନ ପୁରୁଣୁପାଣି ଗଳୁଛି। ଆଉ କିଛି ପ୍ରକଳ୍ପ କିଛି ମାସ ଖୋଲିବା ପରେ ବନ୍ଦ ହୋଇଯାଇଛି। ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଠିକାସଂସ୍ଥାର ନିମ୍ନମାନର କାମ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା କହାଯାଉଛି। ହେଲେ ଆଜି ପର୍ଯ୍ୟନ୍ତ ଜଣେ ହେଲେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ନିକଟରେ ମୁଖ୍ୟମନ୍ତ୍ରୀ ପାନପୋଷ ସର୍କିଟ ହାଉସ୍ ନିକଟରେ ୧୧ କୋଟି ୬ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣଧୀନ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ ଲୋକାର୍ପିତ କରିଥିଲେ। ଏବେ ଛାତରୁ ପାଣି ଗଳୁଛି। ଏସି କାମ କରୁନି। ଆଲୋକୀକରଣ ବ୍ୟବସ୍ଥାରେ ନାନାଦି ତ୍ରୁଟି ଦେଖିବାକୁ ମିଳୁଛି। ୬ଟି ସ୍ମାର୍ଟ ପାର୍କ କାମ ଶେଷ ହୋଇଛି। ପ୍ରତି ପାର୍କର ସୌନ୍ଦର୍ଯ୍ୟକରଣ କାମରେ ୫୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇଛି। ଏଠି ମଧ୍ୟ ସମାନ ସମସ୍ୟା। ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ଆର୍ଏମ୍ସି ସମ୍ମୁଖ ସୁବାଷଚନ୍ଦ୍ର ବୋଷ ଫିଟ୍ନେସ୍ ପାର୍କ ଏହାର ଜ୍ବଳନ୍ତ ଉଦାହରଣ। ରାଉରକେଲା ହନୁମାନ ବାଟିକା ଛକରୁ ଆର୍ଏସ୍ପି ମୁଖ୍ୟ ଗେଟ୍ ପର୍ଯ୍ୟନ୍ତ ପ୍ରାୟ ୧୪ କୋଟି ବ୍ୟୟରେ ସୌନ୍ଦର୍ଯ୍ୟକରଣ କାମ ହୋଇଛି। ବିଭିନ୍ନ ପ୍ରକାର ଫୁଲ, ପ୍ରତିମୂର୍ତ୍ତିରେ ସଜା ଯାଇଛି। ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ମୂଲ୍ୟବାନ୍ ଗଛ ଉଭାନ୍ ହୋଇଗଲାଣି। ଛେଣ୍ଡ ଛକରୁ ବିପିୟୁଟି ସମେତ ଆହୁରି ଦୁଇଟି ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯାଇଛି। ଏଥିପାଇଁ ପାଖାପାଖି ୨୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।
ଭୂତଳ ସେବା ବାବଦରେ ୩୦ ଲକ୍ଷ, ଶୌଚାଳୟ ନିର୍ମାଣରେ ୪୭ ଲକ୍ଷ, ୬ ପାର୍କର ସୌନ୍ଦର୍ଯ୍ୟକରଣ ବାବଦରେ ୬ କୋଟି ୬୫ ଲକ୍ଷ, ଏମିତି ମୋଟ ୭ କୋଟି ୪୨ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ଶେଷ ହୋଇଛି। ସ୍ମାର୍ଟ ରୋଡ ଫେଜ୍-୧ ବାବଦରେ ୨୬ କୋଟି ୪୭ ଲକ୍ଷ, ବିର୍ସା ମୁଣ୍ଡା ଆଥ୍ଲେଟିକ୍ ଷ୍ଟାଡିୟମ ୧୩୮ କୋଟି ୪୭ ଲକ୍ଷ, ସ୍ମାର୍ଟ ସିଟି ରୋଡ ଦ୍ବିତୀୟ ଫେଜ୍ ପାଇଁ ୧୨୬ କୋଟି ୪ ଲକ୍ଷ, ସ୍ମାର୍ଟ ବସ୍ ସେଲ୍ଟର ୨ କୋଟି ୮୯ ଲକ୍ଷ, ପାନପୋଷ ଏନ୍ଏସି ମାର୍କେଟ ୪୯ କୋଟି ୫୨ ଲକ୍ଷ ଟଙ୍କାର କାମ ଶେଷ ହୋଇଛି। ଏବେ କିଛି ସ୍ମାର୍ଟ ବସ୍ ସେଲ୍ଟରରୁ ପାଣି ଗଳିଲାଣି। ସେମିତି ବ୍ରାହ୍ମଣୀ ନଦୀ ସମ୍ମୁଖ ବିକାଶ ବାବଦରେ ୪୭ କୋଟି ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କାମ ଶେଷ ହୋଇଛି ସତ, ହେଲେ ପର୍ଯ୍ୟଟକ ଓ ସହରବାସୀଙ୍କ କାମରେ ଲାଗୁନି। ୮ କୋଟିର ସ୍ମାର୍ଟ ବସ୍ ଟର୍ମିନସ୍ କାମ ପ୍ରସ୍ତାବରେ ଥିଲେ ମଧ୍ୟ ବାତିଲ କରାଯାଇଛି। ବାସନ୍ତୀ ଡିଏଭି ପୋଖରୀର କାୟାକଳ୍ପରେ ୧୧ କୋଟି ୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, ହେଲେ ବୋଟିଂ ନାହିଁ। ସୁରକ୍ଷା ଅଭାବରୁ ଅର୍ଦ୍ଧାଧିକ ଲୁହା ବାଡ଼ ଚୋରି ହୋଇଗଲାଣି।
ଛେଣ୍ଡ ଭିଏସ୍ଏସ୍ ସାପ୍ତାହିକ ହାଟର ବିକାଶରେ ୨ କୋଟି ୮୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କାମ ଶେଷ ହୋଇଛି। ୨୪ଟି ପାର୍କିଂସ୍ଥଳର ବିକାଶରେ ୧୨ କୋଟି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। କିଛି ସ୍ଥାନରେ ନିର୍ମାଣ ହୋଇଥିବା ପାର୍କିଂସ୍ଥଳକୁ କେହି ଯାଉନାହାନ୍ତି। ଓରାମପଡା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ସମ୍ମୁଖ ପ୍ରାୟ ଦେଢ଼ କୋଟିର ନିର୍ମାଣାଧୀନ ପାର୍କିଂସ୍ଥଳ ଅସାମାଜିକଙ୍କ ଆଡା ପାଲଟିଛି। ବେଦବ୍ୟାସ ଟୁରିଜିମ୍ ହବ୍ ବାବଦରେ ୧୪ କୋଟି ୯୩ ଲକ୍ଷ ଖର୍ଚ୍ଚ କରାଯାଇଛି। ପାନପୋଷ ସରକାରୀ ସ୍ବୟଂ ଶାସିତ କଲେଜ ପଛପାର୍ଶ୍ବରେ ୧୧୬ କୋଟି ୭୬ ଲକ୍ଷ୍ୟ ବ୍ୟୟରେ ନିର୍ମାଣ ହେଉଥିବା ଟ୍ରାଇବାଲ୍ ମ୍ୟୁଜିୟମ୍, କମାଣ୍ଡ ସେଣ୍ଟର, ସମ୍ମିଳନୀ କକ୍ଷ କଚ୍ଛପ ଗତିରେ ଚାଲିଛି। ଅନୁରୂପ ଭାବେ ବସ୍ତିର ଆଲୋକୀକରଣ ବ୍ୟବସ୍ଥାରେ ୫ କୋଟି, କର୍ମଜୀବୀ ମହିଳା ହଷ୍ଟେଲରେ ୧୦ କୋଟି, ସ୍ମାର୍ଟ କ୍ଲାସ୍ ରୁମ୍ ବାବଦରେ ୨ କୋଟି ୮୧ ଲକ୍ଷ, ଆର୍ଏମ୍ସିର ରାସ୍ତା ସୌନ୍ଦର୍ଯ୍ୟକରଣ ବାବଦରେ ୫ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଇଥିବା ସ୍ମାର୍ଟସିଟି ପକ୍ଷରୁ କହାଯାଇଛି।