ରାଉରକେଲା: ରାଉରକେଲା ମାଟିରେ ଜନ୍ମ। ଏଠାକାର ପାଣିପାଗରେ ବଢ଼ିଛନ୍ତି। ଏହି ସହରରେ ହିଁ ଆଦ୍ୟ ଶିକ୍ଷା, କଲେଜ ଶିକ୍ଷା ଗ୍ରହଣ କରିଥିଲେ। ଚାକିରି ପାଇଁ ଏବେ ସୁଦୂର ଅଷ୍ଟ୍ରେଲିଆରେ ସପରିବାର ବାସ କରୁଛନ୍ତି। ତେବେ ଯେଉଁ ସ୍ବପ୍ନ ରାଉରକେଲା‌ ମାଟିରେ ଦେଖିଥିଲେ, ତାକୁ ଅଷ୍ଟ୍ରେଲିଆରେ ପୂରଣ କରିଛନ୍ତି।
Advertisment
ଅଷ୍ଟ୍ରେଲିଆର ସିଡ୍‌ନୀରେ ଅନୁଷ୍ଠିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ମିଷ୍ଟର୍‌ ଗ୍ଲାମ୍‌ କଲଚରାଲ୍‌ ଗ୍ଲୋବାଲ୍‌’ ପ୍ରତିଯୋଗିତାରେ ବିଜେତା ହୋଇ ଅନ୍ୟନ୍ୟ କୃତିତ୍ବ ହାସଲ କରିଛନ୍ତି। ସେ ହେଉଛନ୍ତି ଅରୁଣ ଇନ୍ଦ୍ର ନାୟକ। ମୁକ୍ତ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ମୁକୁଟ ବିଜେତା ହେବାପରେ ଆଗାମୀ ଏପ୍ରିଲ ମାସରେ ଭିଏତନାମରେ ହେବାକୁ ଥିବା ‘ମିଷ୍ଟର୍‌ ଗ୍ଲାମ୍‌ କଲଚରାଲ ଇଣ୍ଟରନ୍ୟାସନାଲ’ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
publive-image
ଅରୁଣ ଇନ୍ଦ୍ର ନାୟକ(୪୦)ଙ୍କ ପରିବାର କହିଲେ ପତ୍ନୀ ସ୍ବାତୀ ଓ ଏକମାତ୍ର ପୁଅ ଆୟାନ। ସଂପ୍ରତି ଅରୁଣ ସିଡ୍‌ନୀରେ ଆଇବିଏମ୍‌ କମ୍ପାନିରେ ବରିଷ୍ଠ ଅଧିକାରୀଭାବେ କାର୍ଯ୍ୟାରତ। କୋଏଲନଗର ବି-୩୩୩ରେ ବାପା ସ୍ବର୍ଗତ ଇନ୍ଦ୍ରମଣୀ ନାୟକ ଓ ମାତା ସୁଲୋଚନା ନାୟକଙ୍କ ଔରସରୁ ଜନ୍ମ ନେଇଥିଲେ। ଚାରି ସନ୍ତାନସନ୍ତତିଙ୍କ ମଧ୍ୟରୁ ସେ ହେଉଛନ୍ତି ସବା ସାନ।

ଅରୁଣ ‌ତତ୍କାଳୀନ ରାଉରକେଲା ମଡର୍ଣ୍ଣ ସ୍କୁଲ(ଏବେକାର କୋଏଲ ବିଦ୍ୟାପୀଠ)ରେ ମାଟ୍ରିକ ଯାଏ ପଢ଼ିବାପରେ ଇସ୍ପାତ ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇ ଓ ପଦ୍ମନାଭ ଇଞ୍ଜିନିଅରିଂ କଲେଜରେ ଇଲେକ୍ଟ୍ରୋନିକ୍ସ ଟେଲି କମ୍ୟୁନିକେସନ୍ସରେ ବି.ଟେକ୍‌ କରିଥିଲେ। ଇଞ୍ଜିନିଅରିଂ ପଢ଼ୁଥିବାବେଳେ ସେ କଲେଜରେ ଅନୁଷ୍ଠିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ।
publive-image
୨୦୦୫ ମସିହାରେ ଶିକ୍ଷାସମାପ୍ତି ପରେ ସେ ବେଙ୍ଗାଲୁରୁର ଏକ କମ୍ପାନିରେ ଯୋଗଦେଇଥିଲେ। ସେଠାରେ ଏକ ବର୍ଷ ଚାକିରି କରିବାପରେ ୨୦୦୬ରୁ ତିନି ବର୍ଷ ପର୍ଯ୍ୟନ୍ତ ଲଣ୍ଡନରେ ଓ ୨୦୦୯ରୁ ଅଷ୍ଟ୍ରେଲିଆରେ ରହୁଛନ୍ତି। ଚାକିରି ଜୀବନରେ ମଧ୍ୟ ଅରୁଣ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବାସହ କର୍ପୋରେଟ୍‌ ରୢାମ୍ପ ସୋ’ରେ ଭାଗ ନେଉଥିଲେ।
ସବୁବେଳେ ଜଣେ ମଡେଲ ହେବାକୁ ଲକ୍ଷ୍ୟ ରହିଥିଲା; କିନ୍ତୁ ଚାକିରି ଯୋଗୁଁ ଆବଶ୍ୟକ ସମୟ ଦେଇପାରିନଥିଲେ। ବ୍ୟସ୍ତବହୁଳ ଚାକିରି ଜୀବନ ଯୋଗୁଁ ମଡେଲଭାବେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେବାକୁ ଥିବା ସର୍ବାଧିକ ବୟସ ଅତିକ୍ରମ ହୋଇଯାଇଥିଲା। ଏଣୁ ପରବର୍ତ୍ତୀ ସମୟରେ ପତ୍ନୀ ସ୍ବାତୀଙ୍କ ସହ ମିଶି ଅଷ୍ଟ୍ରେଲିଆରେ ଉଭୟ ଓଡ଼ିଆ ଓ ବିଦେଶୀ ପିଲାଙ୍କୁ ନୃତ୍ୟ ଶିକ୍ଷା ଦେଇଥିଲେ।
ସେଠାକାର ଓଡ଼ିଆ ତଥା ଭାରତୀୟ କମ୍ୟୁନିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ରୢାମ୍ପ୍‌ ସୋ’, ନୃତ୍ୟ କାର୍ଯ୍ୟକ୍ରମରେ ନିଜର କଳା ‌ପ୍ରଦର୍ଶନ କରିବାର ସୁଯୋଗ ହାତଛଡ଼ା କରୁନଥିଲେ। ସବୁବେଳେ ସୁନ୍ଦର ଫିଟ୍‌ନେସ୍‌ ପ୍ରତି ଯତ୍ନବାନ ଥିବା ଅରୁଣଙ୍କ ଭାଗ୍ୟରେ ଅଗଷ୍ଟ ମାସ ଏକ ସୁବର୍ଣ୍ଣ ସୁଯୋଗ ଆଣିଥିଲା। ସର୍ବପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ ‘ମିଷ୍ଟର୍‌ ଗ୍ଲାମ୍‌ କଲ୍‌ଚରାଲ ୱାର୍ଲ‌୍ଡ ’ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ପ୍ରଥମଥର ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଥିବାରୁ ମଡେଲ୍‌ମାନଙ୍କର ନିର୍ଦ୍ଦିଷ୍ଟ ବୟସ ଧାର୍ଯ୍ୟ କରାଯାଇନଥିଲା। ସେ ଅଷ୍ଟ୍ରେଲିଆର ନାଗରିକତ୍ବ ଗ୍ରହଣ କରିସାରିଥିବାରୁ ଏଥିରେ ଭାଗନେଇ କେବଳ ନିଜର ପିଲାଦିନର ସ୍ବପ୍ନ ପୂରଣ କରିନଥିଲେ; ବରଂ ମୁକୁଟ ବିଜେତା ହୋଇ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି।