ରାଉରକେଲା ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପିତ : ଶିକ୍ଷା, ସ୍ବାସ୍ଥ୍ୟ ସୁଶାସନର ଆଧାର: ରାଷ୍ଟ୍ରପତି

ସୁନ୍ଦରଗଡ଼ ଏନ୍‌ଟିପିସି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ୍‌ରେ ମେଡିକାଲ କଲେଜ ଖୁବ୍‌ଶୀଘ୍ର: ଧର୍ମେନ୍ଦ୍ର
ଏନ୍‌ଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ରାଉରକେଲା : ଶିକ୍ଷା ଓ ସ୍ବାସ୍ଥ୍ୟ ସୁଶାସନର ଦୁଇଟି ସ୍ତମ୍ଭ। ଦୁଇଟି ସ୍ତମ୍ଭ ଆଧାରରେ ସୁଶାସନ ପ୍ରତିଷ୍ଠିତ ହୋଇଥାଏ ବୋଲି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।

ରବିବାର ଦିନ ବହୁ ପ୍ରତୀକ୍ଷିତ ରାଉରକେଲା ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପଣ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ରାଉରକେଲା ସହରର ନାଁ ବହୁତ ପ୍ରଭାବିତ କରିବା ଭଳି। ସ୍ଥାନୀୟ ‘ସାଦ୍ରୀ’ ଭାଷାରେ ‘ରାଉର’ ଅର୍ଥ ହେଉଛି ‘ଆପଣଙ୍କର’ ଏବଂ ‘କେଲା’ ଅର୍ଥ ହେଉଛି ‘ଗାଁ। ଅର୍ଥାତ୍‌ ରାଉରକେଲା ହେଉଛି ‘ଆପଣଙ୍କର ଗାଁ’। ‘ଆଜି ମୁଁ ରାଉରକେଲା ଅର୍ଥାତ୍‌ ଆପଣଙ୍କ ଗାଁରେ ଉପସ୍ଥିତ ଅଛି’, ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି , ରାଉରକେଲା ଇସ୍ପାତ କାରଖାନା, ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି) ଓ ବିଜୁପଟ୍ଟନାୟକ ବୈ‌ଷୟିକ ବିଶ୍ବବିଦ୍ୟାଳୟ ଆଜି ରାଉରକେଲାର ପରିଚୟ। ଓଡ଼ିଶା ଭାରତକୁ ଅନେକ ହକି ଖେଳାଳି ଦେଇଛି, ଯେଉଁମାନେ ସୁନ୍ଦରଗଡ଼ ଜିଲ୍ଲାର। କରୋନା ମହାମାରୀ ଆମକୁ ଅନେକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା ଦେଇଛି। ସମ୍ପ୍ରତି ସାରାବିଶ୍ବରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ବ ଦିଆଯାଉଛି। ଆମେ ମଧ୍ୟ ପ୍ରାଥମିକ ସ୍ବାସ୍ଥ୍ୟସେବାରେ ଅନେକ ନିବେଶ କରିଛୁ ବୋଲି ସେ କହିଛନ୍ତି।

ସମାରୋହର ଅନ୍ୟତମ ଅତିଥି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ଇସ୍ପାତ ସ୍ନାତକୋତ୍ତର ପ୍ରତି‌ଷ୍ଠାନ ଗରିବ କଲ୍ୟାଣର ଅନନ୍ୟ ପ୍ରୟାସ। ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଖୁବ୍‌ଶୀଘ୍ର ସୁନ୍ଦରଗଡ଼ ଏନ୍‌ଟିପିସି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ମେଡିକାଲ କଲେଜ ଆରମ୍ଭ ହେବ। ଏହାକୁ ନେଇ କାହା ମନରେ ଶଙ୍କା ନ ରହୁ। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଇସ୍ପାତ ରାଜ୍ୟମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମଧ୍ୟ ଉପସ୍ଥିତ ଥିଲେ। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍‌) ଅଧ୍ୟକ୍ଷା ସୋମା ମଣ୍ଡଳ ଧନ୍ୟବାଦ ଦେଇଥିଲେ।

ତା’ ପୂର୍ବରୁ ଆଜି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ଛାତ୍ର ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ସେ କହିଥିଲେ, ଏହା ହେଉଛି ଏକ ଘଡ଼ିସନ୍ଧି ମୁହୂର୍ତ୍ତ। ଡିଗ୍ରି ସମାପ୍ତିପରେ ଛାତ୍ରଛାତ୍ରୀମାନେ ଭିନ୍ନ ଭିନ୍ନ କ୍ଷେତ୍ରକୁ ଯିବେ। କିଏ ଉଚ୍ଚଶିକ୍ଷା ପାଇଁ ଯିବ ତ କିଏ ନିଯୁକ୍ତି ଅନ୍ବେଷଣରେ ବାହାରିବ। ଏହି ସମୟ ହେଉଛି ଆକାଂକ୍ଷା ଓ ସ୍ବପ୍ନ ଦେଖିବାର ସମୟ। ଏବେ ପରିବାର, ପ୍ରିୟଜନଙ୍କ ପ୍ରତି ବି ନିଜର କର୍ତ୍ତବ୍ୟ ସଂପାଦନ କରିବାର ଅଛି। ମାତ୍ର ଏସବୁ ଭିତରେ ଆତ୍ମନିରୀକ୍ଷଣ କରନ୍ତୁ। ଭବିଷ୍ୟତରେ ନିଜେ କ’ଣ କରିବେ, ତାକୁ ନିଜେ ସ୍ଥିର କରନ୍ତୁ। ସେ କହିଥିଲେ, ନିଜକୁ ସୀମିତ ନ ରଖି ଆଗକୁ ବଢ଼ିଚାଲ। ଯାହା ନିଜକୁ ଆତ୍ମସନ୍ତୋଷ ଦେଉଛି ତାହା କର, ତେବେ ଯେଉଁ ସମାଜ ଆମକୁ ଏତେ କିଛି ହାସଲ କରିବାର ସୁଯୋଗ ଦେଇଛି, ସେହି ସମାଜର ମଙ୍ଗଳ ପାଇଁ ପ୍ରତିବଦଳରେ କିଛି କରିବାକୁ ହେବ। ଏଥିସହିତ, ଏନ୍‌ଆଇଟିର ଢେର୍‌ ପ୍ରଶଂସା କରି ରାଷ୍ଟ୍ରପତି କହିଥିଲେ, ପୂର୍ବଭାରତର ଅନ୍ୟତମ ଶ୍ରେଷ୍ଠ ଯାନ୍ତ୍ରିକ ଶିକ୍ଷାନୁଷ୍ଠାନଭାବେ ଏନ୍‌ଆଇଟି ରାଉରକେଲା ଉଭା ହୋଇଛି। ଗତ ୬ ଦଶନ୍ଧି ହେଲା ଏହି ଅନୁଷ୍ଠାନ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ସୃଷ୍ଟି କରି କୀର୍ତ୍ତିମାନ ସ୍ଥାପନ କରିଛି। ଦେଶର ମୋଟ୍‌ ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୩୩ଟି ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ଏତଦ୍‌ବ୍ୟତୀତ ୧୭ଟି ଅନ୍ୟ ରାଷ୍ଟ୍ରର ଛାତ୍ରଛାତ୍ରୀ ମଧ୍ୟ ଏଠାରେ ପାଠପଢ଼ୁଛନ୍ତି, ଯାହାକି ବିଭିନ୍ନ ସଂସ୍କୃତିକୁ ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେଉଛି ବୋଲି ସେ କହିଥିଲେ।

ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସାଂସଦ ଜୁଏଲ ଓରାମ, ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର ଅନିମେଶ ବିଶ୍ବାସ ଓ କୁଳସଚିବ ପି.କେ. ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ତିନି ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରଶାସକ ପ୍ରଦୀପ କୁମାର ମିଶ୍ର, ଶିଳ୍ପଉଦ୍ୟୋଗୀ କୁମାର ମଙ୍ଗଲମ୍‌ ବିର୍ଲା ଓ ସାହିତ୍ୟିକ ସୀତାକାନ୍ତ ମହାପାତ୍ରଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ଡିଗ୍ରି ପ୍ରଦାନ କରାଯାଇଥିଲା।

ଉଲ୍ଲେଖନୀୟ ଯେ ରବିବାର ସକାଳେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଭୁବନେଶ୍ବରରୁ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ଅନ୍ୟ ଏକ ବିମାନରେ ରାଉରକେଲାରେ ପହଞ୍ଚିଥିଲେ। ପ୍ରଥମେ ଏନ୍‌ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ତା’ପରେ ରାଉରକେଲା ହାଉସ୍‌ରେ ମଧ୍ୟାହ୍ନଭୋଜନ ଗ୍ରହଣ କରିବାପରେ ସୁପରସ୍ପେଶାଲିଟି ହସପିଟାଲ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ। ଅପରାହ୍ନ ୪ଟା ୪୫ ମିନିଟ୍‌ରେ ସେ ଭୁବନେଶ୍ବର ଅଭିମୁଖେ ପ୍ରସ୍ଥାନ କରିଥିଲେ।

ସମ୍ବନ୍ଧିତ ଖବର