ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆର୍‌ଏସ୍‌ପି)ରେ ସ୍ଥାପିତ ଦେଶର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ (ଦୁର୍ଗା) ଏକ ପକ୍ଷରେ ବାରମ୍ବାର ଅଚଳ ହେଉଛି ଓ ଅନ୍ୟ ପକ୍ଷରେ ଏହାର ମରାମତି ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ବିଦେଶୀ ସଂସ୍ଥାରୁ ଚଢ଼ା ଦରରେ ଯନ୍ତ୍ରାଂଶ କିଣିବାକୁ ବାଧ୍ୟ। ସଂସ୍ଥାକୁ ଚୁକ୍ତିରହିତ କରାଯାଇ ନଥିବାରୁ ଏହା ବ୍ୟତୀତ ଅନ୍ୟତ୍ର ଯନ୍ତ୍ରାଂଶ କିଣିଲେ ଆର୍‌ଏସ୍‌ପିକୁ ମୋଟା ଅଙ୍କର କ୍ଷତିପୂରଣ ଗଣିବାକୁ ପଡ଼ିବ। ପ୍ରାୟ ୧୨୦୦୦ କୋଟି ଟଙ୍କାର ଆଧୁନିକୀକରଣ ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମ (ଏମ୍‌ଇପି) ପର୍ଯ୍ୟାୟରେ ଠିକା ସଂସ୍ଥାଙ୍କ ବିବାଦୀୟ ସର୍ତ୍ତଗୁଡ଼ିକୁ ଠିକଣା ଭାବେ ବିଚାର ନକରି କର୍ତ୍ତୃପକ୍ଷ ଖାମଖିଆଲି ମନୋଭାବ ପୋଷଣ କରିଥିବାରୁ ଆର୍‌ଏସ୍‌ପି ଏବେ ହରଡ଼ଘଣାରେ ପଡ଼ିଛି।

Advertisment

ଉଲ୍ଲେଖଯୋଗ୍ୟ, ଦୈନିକ ୮୦୦୦ ଟନ୍‌ ଉତ୍ତପ୍ତ ଧାତୁ ଉତ୍ପାଦନ କ୍ଷମତାର ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ ନିର୍ମାଣ ପାଇଁ ୨,୦୫୦ କୋଟି ଟଙ୍କାରେ ଠିକା ନେଇଥିଲେ ଇଟାଲୀୟ ସଂସ୍ଥା ‘ଡାନିଏଲି କୋରସ୍‌’ ଓ ଟାଟା ପ୍ରୋଜେକ୍ଟ ଲି (ଟିପିଏଲ୍‌) ମିଳିତ ଗୋଷ୍ଠୀ (କନ୍‌ସୋର୍ଟିଅମ୍‌)।

ସେଥିରେ ଡିଜାଇନ୍‌, ଇଞ୍ଜିନିୟରିଂ, ପ୍ଲାଣ୍ଟ ଓ ଯନ୍ତ୍ରାଂଶ ଯୋଗାଣ ସାଙ୍ଗକୁ ବିଦେଶୀ ବିଶେଷଜ୍ଞଙ୍କ ତଦାରଖ ବାବଦରେ ପ୍ରାୟ ୪୬୦ କୋଟି ଟଙ୍କାର କାର୍ଯ୍ୟାଦେଶ ପାଇଥିଲା ଡାନିଏଲି କୋରସ୍‌। ଟେଣ୍ଡର ସର୍ତ୍ତ ଅନୁଯାୟୀ ଠିକା ସଂସ୍ଥାର ନକ୍ସା, ବୈଷୟିକ ପ୍ରସ୍ତାବ ଆଦିର ସବିଶେଷ ଅନୁଧ୍ୟାନ ପରେ ତାହାକୁ ୫% ପ୍ରାପ୍ୟ ମଞ୍ଜୁର କରାଯାଇଥାଏ। ମାତ୍ର ଡାନିଏଲି କୋରସ୍‌ କ୍ଷେତ୍ରରେ କର୍ତ୍ତୃପକ୍ଷ ସେହି ବୈଧାନିକ କଟକଣାକୁ ଗୁରୁତ୍ୱ ଦେଇ ନଥିଲେ। ବରଂ ସବିଶେଷ ଡିଜାଇନ୍‌, ଇଞ୍ଜିନିୟରିଂ ଦଲିଲ୍‌ ଦାଖଲ ପୂର୍ବରୁ ଏହି ବିଦେଶୀ ସଂସ୍ଥାକୁ ସେହି ପର୍ଯ୍ୟାୟର ବିଲ୍‌ ଦେଇଥିଲେ। ୨୦୧୩ ଅଗଷ୍ଟରେ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ର ପରୀକ୍ଷାମୂଳକ କାର୍ଯ୍ୟକାରୀତା (ଟ୍ରାଏଲ୍‌ ରନ୍‌) ଅନୁଧ୍ୟାନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବ୍ଲାଷ୍ଟ ଫର୍ଣ୍ଣେସ୍‌କୁ ୨୦୧୫ ଏପ୍ରିଲ୍‌ ପହିଲାରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପରେ ନିୟମିତ ବ୍ୟବଧାନରେ ତାହା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହେଉଛି। ତେଣୁ ଏହାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ଆବଶ୍ୟକ ଯନ୍ତ୍ରାଂଶ ଆହରଣ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ଟେଣ୍ଡର ଆହ୍ଵାନ କରିବାକୁ ବାଧ୍ୟ ହୋଇଥିଲେ। ତେବେ ସେଥିରେ ଡାନିଏଲି କୋରସ୍‌ର ଡିଜାଇନ୍‌ ଓ ଡ୍ରଇଂ ଆଧାରରେ ଯନ୍ତ୍ରାଂଶ ଯୋଗାଣ ସର୍ତ୍ତ ରଖିଥିବାରୁ ଏହି ବିଦେଶୀ ସଂସ୍ଥା ଦିଲ୍ଲୀ ହାଇକୋର୍ଟରେ ଫେରାଦ ହୋଇ ପ୍ରାୟ ୩୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲା। ହାଇକୋର୍ଟ ଏହି ମାମଲାରେ ୨୦୧୭ ନଭେମ୍ବର ୨୪ରେ ଅନ୍ତରୀଣ ରହିଦାଦେଶ ଜାରି କରିଥିବାରୁ ଆର୍‌ଏସ୍‌ପି ଅନ୍ୟ କୌଣସି ସଂସ୍ଥାରୁ ଯନ୍ତ୍ରାଂଶ କିଣିଲେ କୋର୍ଟ ଅବମାନନା ହେବ। ଅନ୍ୟ ପକ୍ଷରେ ଡାନିଏଲି କୋରସ୍‌ କ୍ଷତିପୂରଣ ଅସୁଲ ପାଇଁ ଜେନେଭାସ୍ଥିତ ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍‌ ଆର୍ବିଟ୍ରେସନ୍‌ରେ ମାମଲା ଦାଏର କରିବାକୁ ଚେତାବନୀ ମଧ୍ୟ ଦେଇଛି।