ଆର୍‌ଏସ୍‌ପି କ୍ଷତିର ୮୦% ସୁଧାର

ଆସନ୍ତା ବର୍ଷରୁ କାର୍ଯ୍ୟକାରୀ ଲାଭ!
କର୍ମଚାରୀଙ୍କ ମନରେ ନୂଆ ଆଶା

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଓ ସର୍ବୋପରି ରାଷ୍ଟ୍ରାୟତ୍ତ ମହାରତ୍ନ କମ୍ପାନି ‘ଭାରତୀୟ ଇସ୍ପାତ ପ୍ରାଧିକରଣ’ (ସେଲ୍‌) କର୍ମଚାରୀଙ୍କ ପାଇଁ ଖୁସି ଖବର। ଆନ୍ତର୍ଜାତିକ ଇସ୍ପାତ ବଜାରରେ ଦୀର୍ଘ ୫ ବର୍ଷ ଧରି ଲାଗି ରହିଥିବା ମାନ୍ଦାବସ୍ଥାରେ ସାମାନ୍ୟ ସୁଧାର ଓ ସେଲ୍‌ ଅଧୀନସ୍ଥ ଷ୍ଟିଲ୍‌ ପ୍ଲାଣ୍ଟଗୁଡ଼ିକର ଉତ୍ପାଦ ବିକ୍ରିରେ ଅଭିବୃଦ୍ଧି ଯୋଗୁଁ ବିଦାୟୀ ଆର୍ଥିକ ବର୍ଷ (୨୦୧୭-୧୮)ରେ ସେଲ୍‌ର କାର୍ଯ୍ୟକାରୀ କ୍ଷତି ପ୍ରାୟ ୫୦% ହ୍ରାସ ପାଇଛି। ସେଲ୍‌ର ବାର୍ଷିକ ଆୟ-ବ୍ୟୟ ବିବରଣୀ (ବାଲାନ୍ସ ସିଟ୍‌) ପ୍ରକାଶ ପାଇନଥିଲେ ମଧ୍ୟ ବିଗତ ବର୍ଷଗୁଡ଼ିକ ତୁଳନାରେ ଏହି ମହାରତ୍ନ କମ୍ପାନିର କ୍ଷତିଭରଣା ଉଲ୍ଲେଖନୀୟ ବୋଲି କୁହାଯାଇପାରେ। ସୂଚନାଯୋଗ୍ୟ, ୨୦୧୬-୧୭ରେ ସେଲ୍‌ର କାର୍ଯ୍ୟକାରୀ କ୍ଷତି ୩,୦୦୦ କୋଟି ଟଙ୍କାରୁ ଅଧିକ ଥିବା ବେଳେ ୨୦୧୭-୧୮ରେ ତାହା ୧୪୦୦ କୋଟି ଟଙ୍କା ମଧ୍ୟରେ ରହିବ ବୋଲି ଆପାତତଃ ହିସାବ କରାଯାଇଛି। ଅନୌପଚାରିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆର୍‌ଏସ୍‌ପିର କ୍ଷତିଭରଣା ତୁଳନାତ୍ମକ ଭାବେ ବେଶ ଉତ୍ସାହଜନକ। ଏହି ସୂତ୍ରରୁ ପ୍ରକାଶ ଯେ ୨୦୧୬-୧୭ର ବାର୍ଷିକ ଆୟ-ବ୍ୟୟ ରିପୋର୍ଟ ଅନୁଯାୟୀ ଆର୍‌ଏସ୍‌ପିର କ୍ଷତି ୧,୩୫୮ କୋଟି ଟଙ୍କା ଥିଲା ବେଳେ ୨୦୧୭-୧୮ରେ ତାହା ୮୦% ଭରଣା ହୋଇ ଅତି ବେଶୀରେ ୩୦୦ ଟଙ୍କା ମଧ୍ୟରେ ସୀମିତ ରହିବା ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର