ରାଉରକେଲା : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି l ରାଜସ୍ଥାନର କୋଟା ଓ ମହାବୀର ନଗରରୁ ଗତ ଗୁରୁବାର ସକାଳ ୧୦ଟା ୪୦ ମିନିଟରେ ବାହାରିଥିବା ୧୧୪ ଛାତ୍ରଛାତ୍ରୀ ଆଜି ସକାଳ ପ୍ରାୟ ୮ ଟାରେ ରାଉରକେଲାରେ ପହଞ୍ଚିଛନ୍ତି l ସେମାନେ କୋଟାର ଲାଣ୍ଡମାର୍କ ସିଟି, ମହାବୀର ନଗରରୁ ୪ ଟି ବସରେ ବାହାରିଥିଲେ l ଦୁଇଟି ବସକୁ ସେକ୍ଟର ୧୩ ବିମାନବନ୍ଦର ଭିତରେ ରଖାଯାଇଛି l ଅନ୍ୟ ଦୁଇଟି ବସ ପରେ ପହଞ୍ଚିବ ବୋଲି ଜଣାପଡ଼ିଛି l ମେଡିକାଲ ଟିମ୍ ଦ୍ୱାରା ପହଞ୍ଚିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି l
ବସ୍ ଦୁଇଟି ମଧ୍ୟପ୍ରଦେଶ, ଛତିଶଗଡ଼, ରାୟଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ହୋଇ ରାଉରକେଲାରେ ପହଞ୍ଚିଥିଲେ l ଛାତ୍ରଛାତ୍ରୀମାନଙ୍କୁ ନେବା ପାଇଁ ସେମାନଙ୍କ ଅଭିଭାବକ ବସ୍ ପାଖରେ ପହଞ୍ଚିଛନ୍ତି l ସ୍କ୍ରିନିଂ ପରେ ଯେଉଁମାନଙ୍କଠାରେ ଲକ୍ଷଣ ନାହିଁ ସେମାନଙ୍କୁ ଘରେ ଏକାନ୍ତବାସରେ ରଖାଯିବାକୁ ଅନୁମତି ମିଳିବ ଓ ଯେଉଁମାନଙ୍କଠାରେ ଲକ୍ଷଣ ଅଛି ସେମାନଙ୍କୁ ରାଉରକେଲାର ହାଇଟେକ୍ କୋଭିଡ୍ ହସ୍ପିଟାଲରେ ରଖାଯିବ l
ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଅଭିଭାବକମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି କୋଟାରେ ଫସିଥିବା ୧୧୪ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ l ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏନେଇ ନିବେଦନ କରିଥିଲେl