୧୩୦ ପ୍ରବାସୀ ଶ୍ରମିକଙ୍କୁ ଉତ୍ତରପ୍ରଦେଶ ପଠାଇଲା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପଶିଥିବା ୧୩୦ଜଣ ପ୍ରବାସୀ ଶ୍ରମିକଙ୍କୁ ଆଜି ଜିଲ୍ଲା ପ୍ରଶାସନ ଉତ୍ତରପ୍ରଦେଶକୁ ପଠାଇଛି l ଏମାନଙ୍କ ମଧ୍ୟରୁ ରାଉରକେଲାରୁ ୮୧, ସୁନ୍ଦରଗଡ଼ରୁ ୪୯ ଜଣ ୪ଟି ବସରେ ସମ୍ବଲପୁର ଯାଇଛନ୍ତି l ସେଠାରୁ ଅପରାହ୍ନ ୪ଟାରେ ଉତ୍ତରପ୍ରଦେଶ- କାନପୁର ସ୍ୱତନ୍ତ୍ର ଟ୍ରେନରେ ନିଜ ନିଜ ଘରକୁ ଯିବେ ବୋଲି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର କହିଛନ୍ତି l
ଯିବା ପୂର୍ବରୁ ସମସ୍ତଙ୍କର ନାମ ପଞ୍ଜିକରଣ ସହ ସ୍କ୍ରିନିଂ କରାଯାଇଥିଲା l ଶ୍ରମିକମାନେ ରାଉରକେଲା, କୁଆଁରମୁଣ୍ଡା, ବିଶ୍ରା, ଵନ୍ଧମୁଣ୍ଡା, ବେଲଡ଼ିହି,କଲୁଙ୍ଗା, ବୀରମିତ୍ରପୁର,ଲାଠିକଟା, ନୂଆଗାଁ ଆଦି ଅଂଚଳରେ ପରିବାର ଶହ ରହି କାମ କରୁଥିଲେ l ଲକଡାଉନ କଟକଣା ପରେ କାମ ନ ପାଇ ହାତ ବାନ୍ଧି ବସିଥିଲେ l ଭିଟାମାଟିକୁ ଯିବାକୁ ଜିଲ୍ଲା ପ୍ରଶାସନକୁ ଗୁହାରୀ ଜଣାଇଥିଲେ l

ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମ୍ବଲପୁର ପର୍ଯ୍ୟନ୍ତ ଯିବାକୁ ଜିଲ୍ଲା ଖଣିଜ ପାଣ୍ଠି ( ଡିଏମଏଫ )ବସର ବ୍ୟବସ୍ଥା କରିଥିଲେ l ଆଜି ସକାଳେ ସମସ୍ତ ଶ୍ରମିକ ସେମାନଙ୍କ ପିଲାଛୁଆଙ୍କୁ ଧରି ପାନପୋଷ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ l ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଖାଇବାକୁ ଦିଆଯାଇଥିଲା l ସମସ୍ତ ଶ୍ରମିକ ହେଉଛନ୍ତି ଉତ୍ତରପ୍ରଦେଶର ବାରବାଙ୍କି, ଦେଉରିଆ, ଫିରୋଜାବାଦ, ଗାଜିଆବାଦ, ଅଲିଗଡ, ବଲିଆ, ଗୋଣ୍ଡା ଆଦି ଅଞ୍ଚଳର l ଏଠାରେ ବିଭିନ୍ନ କାମ କରି ପରିବାର ପ୍ରତିପୋଷଣ କରୁଥିଲେ l ସେମାନେ ବସରେ ବସିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ର, ସହକାରୀ ଶ୍ରମ ଅଧିକାରୀ ସୁକାନ୍ତ ସେଠୀ ଓ ଅତିରିକ୍ତ ତହସିଲଦାରଙ୍କ ସହ ପ୍ରଶାସନିକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l

ସମ୍ବନ୍ଧିତ ଖବର