ରାଉରକେଲା: ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଭାବେ ଗତ ମାସ ୨୬ ତାରିଖରେ ଘୋଷଣା କରାଯାଇ ବିଭିନ୍ନ କଟକଣା ଲଗାଯାଇଥିଲା। ଏକ ମାସ ପରେ ଆଜି ବଫର ଜୋନରୁ ସମସ୍ତ କଟକଣା ପ୍ରତ୍ୟାହାର କରିନିଆଯାଇଛି। ସେପଟେ କଣ୍ଟେନମେଣ୍ଟ ହଟାଇବାକୁ ସ୍ଥାନୀୟ ଲୋକ ଦାବି କରି ମୁଖ୍ୟ ରାସ୍ତାରେ ପାଟିତୁଣ୍ଡ କରିବାରୁ ଉତ୍ତେଜନା ପ୍ରକାଶ ପାଇଛି l
ଏହିପାଇଁ ଘଟଣା ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛିl କଣ୍ଟେନମେଣ୍ଟ ଅଧୀନରେ ଥିବା ମେନ ରୋଡର ବାମ ପାର୍ଶ୍ୱ ଅଞ୍ଚଳ ଯଥା ଓଲଡ଼ ଷ୍ଟେସନ ରୋଡ, ଭଟ୍ଟୀ ରୋଡ, ଦରଘାଇ ମୋହଲ୍ଲା, ସେଣ୍ଟ୍ରାଲ ମାର୍କେଟ, ଗଣେଶ ଚୌକ, ନେତାଜୀ ମାର୍ଗ, ଜାମା ମସଜିଦ ଗଲି, ମାଡୁ ମହାରାଜ ଗଲିରୁ କଣ୍ଟେନମେଣ୍ଟ ଆଦେଶ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ଏ ସମ୍ପର୍କିତ ଏକ ଆଦେଶନାମା ପ୍ରକାଶିତ ହୋଇଛି। ଆଜି ସକାଳ ୬ଟାରୁ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।
ତେବେ, ମେନ ରୋଡର ଡାହାଣ ପାର୍ଶ୍ଵରେ କଣ୍ଟେନମେଣ୍ଟ ଜୋନରେ ଥିବା ଅଞ୍ଚଳ ଯଥା ଜନତା ନିବାସ ଗଲି, ଦିନାନାଥ ଗଲି, ଉର୍ଦୁ ସ୍କୁଲ ଗଲି, ନାଲା ରୋଡ, ସିଂ ବିଲ୍ଡିଂ ଗଲି, ଆନନ୍ଦ ଭବନ ରାସ୍ତା, ଆରଡିଏ ବିଲଡିଂ ଅଞ୍ଚଳ, ଆଜାଦ ମୋହଲ୍ଲା ଅଞ୍ଚଳ, କୁରେସି ମୋହଲ୍ଲା ଅଞ୍ଚଳ, ତେଲିପଡା, ହାସନପୁର, ମହତାବ ରୋଡ, ନୁର ମସଜିଦ ଗଲି, ଇତ୍ୟାଦି ଅଞ୍ଚଳରେ ଅନ୍ୟ ଆଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଆଦେଶ ବଳବତ୍ତର ରହିବ। ଜନତା ନିବାସ ଛକଠାରୁ ଆନନ୍ଦ ଭବନ ଛକ ମଧ୍ୟରେ ମୁଖ୍ୟ ରାସ୍ତାକୁ ସମ୍ମୁଖ କରି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସମସ୍ତ ଦୋକାନ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନ ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ।
/sambad/media/post_attachments/wp-content/uploads/2020/05/buffer-1-179x300.jpg)
ଏହିସବୁ ଅଞ୍ଚଳରେ ପଜିଟିଭ କେଶ ବାହାରିଥିବାରୁ ଏବଂ ତଦନୁଯାୟୀ ଯଥେଷ୍ଟ ସଂଖ୍ୟକ ଲୋକମାନଙ୍କର ସ୍ୱାବ ପରୀକ୍ଷା ହୋଇପାରିନଥିବାରୁ କଣ୍ଟେନମେଣ୍ଟ ଆଦେଶ ବର୍ତ୍ତମାନ ପାଇଁ ବଳବତ୍ତର ରଖିବାକୁ ସ୍ଥିର କରାଯାଇଛି। ଉକ୍ତ ଅଞ୍ଚଳମାନଙ୍କରେ ରହୁଥିବା ଜନସାଧାରଣ ଦୟାକରି ପ୍ରଶାସନକୁ ସହଯୋଗ କରି ସ୍ୱାବ ପରୀକ୍ଷା ଲାଗି ଆଗେଇ ଆସିବା ନିମନ୍ତେ ରାଉରକେଲା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା ନିବେଦନ କରିଛନ୍ତି। ଦୀର୍ଘ ୧ ମାସ ଧରି ସମ୍ପୃକ୍ତ ଅଞ୍ଚଳର ଲୋକେ ପ୍ରଶାସନକୁ ସହଯୋଗ କରିଛନ୍ତି। ପ୍ରଶାସନ ବି ସବୁବେଳେ ଲୋକଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ନେଇଛି। ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ହେଉ ଅବା ସ୍ୱାସ୍ଥ୍ୟ ସେବା କିମ୍ବା ସମ୍ପୃକ୍ତ ଅଞ୍ଚଳରେ ଫସି ରହିଥିବା ଅତ୍ୟାବଶକୀୟ ଜିନିଷ ପତ୍ର ସେଠାରୁ ବାହାର କରିବା ହେଉ ସବୁ କ୍ଷେତ୍ରରେ ମହାନଗର ନିଗମ ପ୍ରଶାସନ ଏକ ପ୍ରକୃତ ବନ୍ଧୁ ଭଳି ଲୋକଙ୍କ ସହ ଛିଡ଼ା ହୋଇଛି। ବିଭିନ୍ନ ସମସ୍ୟାର ସମାଧାନ ଲାଗି ଅହରହ ଚେଷ୍ଟା କରିଛି।
ଆଗାମୀ ଦିନରେ ବି ମହାନଗର ନିଗମ ପ୍ରଶାସନ ଲୋକଙ୍କ ସହ ମିଶି ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟ କରିବାକୁ ବଦ୍ଧ ପରିକର। ସାନିଟାଇଜେସନ ଠାରୁ ଆରମ୍ଭ କରି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ, ଏସବୁ କାର୍ଯ୍ୟରେ କର୍ମଚାରୀ ମାନଙ୍କ ନିଷ୍ଠାପର ସେବାକୁ ଲୋକଙ୍କ ସ୍ଵୀକୃତି ମିଳିଛି। ଲୋକଙ୍କ ସହଯୋଗ ମିଳିଲେ କରୋନା ନିଶ୍ଚିତ ଭାବେ ହାରିବ ଓ ଆମ ରାଉରକେଲା ବିଜୟୀ ହେବ ବୋଲି କମିସନର ଶ୍ରୀ ପରିଡା ଏକ ପ୍ରେସ ବିବୃତ୍ତି ରେ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/buffer.jpg)