ରାଉରକେଲା:  ବିଳମ୍ବିତ ରାତିରେ ଦୂରରୁ କେବେ ବାହାଦୁରର ହ୍ବିସିଲ୍‌ ଶୁଣିଛନ୍ତି ! ମନେଅଛି, ସେ ହ୍ବିସିଲ୍‌ ଶବ୍ଦ ସେଇ ଦୂରରୁ କେମିତି କ୍ରମଶଃ ଧିମେଇ ଧିମେଇ ପୂରା ହଜିଯାଏ, ମିଳେଇଯାଏ!

Advertisment

ଇସ୍ପାତ ସହରରୁ ବର୍ତ୍ତମାନ ବାହାଦୁରଙ୍କ ସୁସୁରି ଶବ୍ଦ ସବୁଦିନ ପାଇଁ ହଜିଯିବାକୁ ବସିଛି। ଏହା ସହିତ ସହରବାସୀଙ୍କ ଜୀବନର ଗୋଟିଏ ଅନୁଭୁତି ଓ ଚରିତ୍ର ମଧ୍ୟ ସବୁଦିନ ପାଇଁ ହଜି ଯିବାକୁ ବସିଛି।

ରାତି ୧୨ଟା ବାଜିଲେ ସ୍ମାର୍ଟ ସିଟି ରାଉରକେଲାର ଗଳି କନ୍ଦିରେ ବୁଲୁଥିଲେ ଜଣେ  ଦୁଇଜଣ ନୁହେଁ, ଶହ ଶହ ପୁଲିସ ଭଳି ବେଶଧାରୀ ବାହାଦୁର। ମୁଣ୍ଡରେ ଥିଲା ନେପାଳୀ ଟୋପି। ହାତରେ ନଥିଲା ପୁଲିସଙ୍କ ପରି ଅସ୍ତ୍ରଶସ୍ତ୍ର। କେବଳ ଖଣ୍ଡିଏ ଲାଠି ଓ ଟର୍ଚ୍ଚ। ମୁହଁରେ ଥିଲା ହୁଇସିଲ୍‌। ଏ ଗଳିରୁ ସେ ଗଳିକୁ  ରାତି ସାରା ସେମିତି ଚକ୍କର କାଟୁଥିଲେ। ଘଣ୍ଟାକୁ ଘଣ୍ଟା ହୁଇସିଲ୍‌ ଅବା ସିଟି ମାରି ନିଜର ଜାହିର କରୁଥିଲେ ନିଜର ଉପସ୍ଥିତି। କେହି ଜଣେ ଜଗିଥିବା ଭୟରେ ଚୋର, ଡକାୟତି ଅବା ଚୋରି କରିବାକୁ  ଏତେଟା ସାହସ କରୁ ନଥିଲେ। ଅଧିକାଂଶ ସମୟରେ ଏମାନେ ଚୋର, ଡକାୟତିକୁ ବିନା ସାମ୍ନା କରୁଥିଲେ। ଅନେକ ସମୟରେ ଏମାନେ ସ୍ଥାନୀୟ ପୁଲିସଙ୍କୁ ଚୋର, ଡକାୟତିଙ୍କ ସମ୍ପର୍କରେ ସୂଚନା ମଧ୍ୟ ଦେଉଥିଲେ। ଏବେ କିନ୍ତୁ ସହରର ଶୂନ୍‌ଶାନ ରାତିରେ ଆଉ ଶୁଭୁନି ଏମାନଙ୍କ ହୁଇସିଲ୍‌ର ଶବ୍ଦ ବା ସିଟି। ରାତି ୧୨ଟା ପର ଠାରୁ ଭୋର ପ୍ରାୟ ସାଢ଼େ ୪ଟା ପର୍ଯ୍ୟନ୍ତ ପ୍ରତ୍ୟେକ ରାତିର ଗଳିକନ୍ଦିରେ  ବାହାଦୁରଙ୍କ ହୁଇସିଲ୍‌ର ଶବ୍ଦରେ ଫାଟି ପଡୁଥିଲା।  ମାସ ଶେଷକୁ କଲୋନିର ପ୍ରତ୍ୟେକ ଘର ଓ ଦୋକାନରେ ପହଞ୍ଚି ପାରିଶ୍ରମିକ ମାଗୁଥିଲେ। କିଏ ୧୦ ଟଙ୍କା ତ ପୁଣି କିଏ ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ଦେଉଥିଲେ। ଏମିତି ଜଣେ ଜଣେ ଦୋକାନି ଓ ପରିବାର ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଦେଉଥିଲେ। ବାହାଦୁର ମାନେ ଘର ଓ ଦୋକାନ ବୁଲି ମାସରେ ପ୍ରାୟ ୬ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ। ଅନେକ ବାହାଦୁର ଶିଳ୍ପପତିଙ୍କ ଘର ଓ ଦୋକାନରେ ରାତି ଜଗୁଆଳି ଭାବେ କାମ କରୁଥିଲେ। ଏବେ କିନ୍ତୁ ଏମାନଙ୍କୁ ଦେଖିବାକୁ ମିଳୁନି। ଘରୋଇ ସିକ୍ୟୁରିଟି ସଂସ୍ଥା ହେଉ ଅବା ଗୃହରକ୍ଷୀଙ୍କ ସଂଖ୍ୟା ବଢ଼ିବା ପରେ ଏମାନଙ୍କୁ ଦୋକାନ ନା କଲୋନିବାସୀ କେହି ଏତେଟା ଗୁରୁତ୍ବ ଦେଲେ ନାହିଁ। ଫଳରେ ଯେଉଁମାନେ  ବର୍ଷ ବର୍ଷ ଧରି ଏହି କାମକୁ ନିଜର ପେସା ଭାବେ ଗ୍ରହଣ କରିଥିଲେ, ସେମାନେ ଦୂରେଇ ଯାଇଛନ୍ତି।

ଅଧିକାଂଶ ପରିବାର ସହ ସହ ନିଜ ଦେଶ ନେପାଳକୁ ଚାଲି ଯାଇଛନ୍ତି। ହାତ ଗଣତି ଯେଉଁ କେତେ ଜଣ ସହରରେ ଅଛନ୍ତି ସେମାନଙ୍କ ମଧ୍ୟରୁ ୨/୩ଜଣ ଦୁଇଟି ଇସ୍ପାତ ସହରାଞ୍ଚଳରେ ପୂର୍ବପରି ରାତି ଜଗୁଆଳି କାମ କରୁଛନ୍ତି। ଅନ୍ୟ କିଛି ପେଷା ଛାଡି ଅନ୍ୟ କାମ ଧନ୍ଦା କରି ପରିବାର ପ୍ରତିପୋଷଣ କରୁଛନ୍ତି। ରାଉରାକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ପ୍ରତିଷ୍ଠା ହେବାର କିଛି ବର୍ଷ ପରେ ଅର୍ଥାତ୍‌ ୧୯୭୦ ବେଳକୁ ରୋଜଗାର ପାଇଁ ନେପାଳର ଶହ ଶହ ବାହାଦୁର ରାଉରକେଲାକୁ ଛୁଟି ଆସିଥିଲେ। ଷ୍ଟିଲ ଟାଉନସିପ୍‌, ସିଭିଟାଉନସିପ୍‌ ଓ ଫର୍ଟିଲାଇଜର ଟାଉନ୍‌ସିପ୍‌ ସମେତ ସହରର ପ୍ରମୁଖ ବଜାରରେ କେବଳ ରାତି ଜଗୁଆଳି (ବାହାଦୁର) ଭାବେ କାମ କରୁଥିଲେ। ଜଣେ ଜଣେ ବାହାଦୁର ଇସ୍ପାତ ସହରରାଞ୍ଚଳର ୩/୪ଟି ବ୍ଲକରେ ରାତି ଜଗୁଆଳି ଭାବେ କାମ କରୁଥିଲେ। ଅନୁରୂପ ଭାବେ କଲୋନିରେ, ସହରର ପ୍ରମୁଖ  ମାର୍କେଟ କମ୍ପ୍ଲେକ୍ସ,  ବଜାରରେ ଡ୍ୟୁଟି କରୁଥିଲେ। ମାସକୁ ମାସ ବେଶ୍‌ ଦି’ ପଇସା ରୋଜଗାର କରି ପରିବାର ସହ ରହୁଥିଲେ। ଉଭୟ କଲୋନି ଓ ବ୍ୟବସାୟୀମାନେ ପୁଲିସର ରାତ୍ରୀକାଳୀନ ପୋଟ୍ରୋଲିଂ ଅପେକ୍ଷା ଏମାନଙ୍କ ଉପସ୍ଥିତିକୁ ବେଶ୍‌ ଗୁରୁତ୍ବ ଦେଉଥିଲେ। ସେକ୍ଟର-୧୬ କମ୍ୟୁନିଟି ସେକ୍ଟର ନିକଟରେ ରହୁଥିବା ପିତାମ୍ବର ପୋଖରେଲ୍‌ କହନ୍ତି, ସେ ୨୦୦୧ରେ ରାଉରକେଲା ଆସିଥିଲେ। ସେକ୍ଟର-୧୫ର ସି ଓ ବି ବ୍ଲକରେ ପ୍ରାୟ ୫୦୦ରୁ ଅଧିକ କ୍ବାର୍ଟର୍ସ ଜଗୁଥିଲେ।

publive-image

ଅନେକ ସମୟରେ କିଛି ଆସାମାଜିକ ଯୁବକଙ୍କ ହାବୁଡରେ ପଡିଛନ୍ତି। ମାଡ ବି ଖାଇଛନ୍ତି। ଏପରିକି କିଛି ଚୋର ତାଙ୍କୁ ଏରିଆ ଛାଡି ଚାଲିଯିବାକୁ ଧମକ ମଧ୍ୟ ଦେଇଛନ୍ତି। କିନ୍ତୁ ସେ ଅତି ସାହସର ସହ ଆଜି ପର୍ଯ୍ୟନ୍ତ ନିଜର କର୍ତ୍ତବ୍ୟରୁ ଓହରି ନାହାନ୍ତି। ସେକ୍ଟର-୨୦ କମ୍ୟୁନିଟି ସେଣ୍ଟରରେ  ବିରୁ ପୋଖରେଲ୍‌ କହନ୍ତି ରାତି ୧୨ଟା ବାଜିଲେ ସାଇକେଲ, ଲାଠି ଓ ଟର୍ଚ୍ଚ ଧରି ଘରୁ ବାହାରି ଯାଏ। ଏ ଗଳିରୁ ସେ ଗଳି ବୁଲୁଥାଏ। କିନ୍ତୁ ଏବେ ଆମର ଉପସ୍ଥିତିକୁ ସ୍ଥାନୀ ବାସିନ୍ଦା ଏତେଟା ଗୁରୁତ୍ବ ଦେଉ ନାହାନ୍ତି। ପୂର୍ବରୁ ଯେଉଁମାନେ ୩୦ରୁ ୪୦ ଟଙ୍କା ଦେଉଥିଲେ, ସେମାନେ ୫ରୁ ୧୦ ଟଙ୍କା ଦେବାକୁ କୁଣ୍ଠାବୋଧ କରୁଛନ୍ତି। ବାଧ୍ୟ ହୋଇ କେବଳ ସେ ନୁହେଁ ତାଙ୍କ ପରି ଶହ ଶହ ବାହାଦୁର ଏଭଳି କାମରୁ ଓହରି ଯାଇଛନ୍ତି। ଦିଗାମ୍ବର ପୋଖରେଲ କୁହନ୍ତି, ସେ ୧୯୭୯ରୁ  ଇସ୍ପାତ ସହର ରାଉରକେଲାକୁ ଆସିଥିଲେ। ‘‘ସେତେବେଳେ କଲୋନି ଓ ସରକାରୀ କ୍ବାର୍ଟର୍ସର ଦିନେ ରାତିରେ ନ ବୁଲିଲେ ଆର ଦିନ କୁଆଡେ ଗଲେ ବୁଲି ପଚାରୁଥିଲେ। ଏବେ ଆମକୁ ଆଉ କେହି ଖୋଜୁ ନାହାନ୍ତି। ପାରିଶ୍ରମିକ ମାଗିଲେ ମନା କରି ଦେଉଛନ୍ତି।’’ ରୋଜଗାର ନଥିବାରୁ  ସହରରେ ରାତି ଜଗୁଆଳି କରି ପରିବାର ପ୍ରତିପୋଷଣ କରୁଥିବା ପ୍ରାୟ ୩୦୦ ବାହାଦୁର ଏହା ଭିତରେ ରାଉରକେଲା ଛାଡି ନି‌ଜ ଦେଶକୁ ଚାଲି ଯାଇଛନ୍ତି।