ରାଉରକେଲାରେ ପରିବା ଦର ଆକାଶ ଛୁଆଁ, ସୀମାରେ ଅଟକିଛି ଅତ୍ୟାବଶ୍ୟକ ସାମଗ୍ରୀ ଲୋଡିଂ ଟ୍ରକ୍

ଭିଡ଼ ଏଡ଼ାଇବାକୁ ଦୁଇଟି ପର୍ଯ୍ୟାୟରେ ହୋଲସେଲ ମାର୍କେଟ ଖୋଲିବାକୁ ନିର୍ଦେଶ

ରାଉରକେଲା: ଲକ ଡାଉନର ତୃତୀୟ ଦିନରେ ସହରର ଖାଁ ଖାଁ ରହିଛି l ଗତକାଲି ପୁଲିସର ତାଗିଦ ପରେ ଭୟ ଲୋକେ ଘରୁ ବାହାରୁ ନାହାନ୍ତି l କିନ୍ତୁ ପରିବା ହାଟ, ରାସନ ଦୋକାନରେ ଅନ୍ୟ ଦିନ ଅପେକ୍ଷା ଲୋକଙ୍କ ବେଶ ଭିଡ଼ ଜମୁଛି l ଲୋକଙ୍କ ଭିଡକୁ ଦେଖି ବେପାରୀମାନେ କଳାବଜାରୀ ଆରମ୍ଭ କରି ଦେଇଛନ୍ତି l

ପରିବା ଦର ଆକାଶ ଛୁଆଁ ରହିଛିl ସଜନା ଛୁଇଁ କିଲୋ ପ୍ରତି ୧୦୦ ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି l କଲରା କିଲୋ ୬୦ ରୁ ୮୦ଟଙ୍କା, ବାଇଗଣ ୩୦ ଟଙ୍କା, ଭେଣ୍ଡି ୮୦ ଟଙ୍କା, ପୋଟଳ ୧୦୦ଟଙ୍କା, କୁନ୍ଦୁରି ୫୦ ଟଙ୍କା, କାକୁଡି ୩୦ ଟଙ୍କା,ଵିନ୍ ୪୦ଟଙ୍କାରେ ବିକ୍ରି ହେଉଛି l ସେହିପରି ଆଳୁ କିଲୋ ୨୪ରୁ ୨୬ ଟଙ୍କା, ପିଆଜ ୨୫ରୁ ୩୦ ଟଙ୍କା, ହରଡ଼ ଡାଲି କିଲୋ ୧୧୦ ଟଙ୍କା ବିକ୍ରି ହେଉଛି l ଅଟା ୫କିଲୋ ପ୍ୟାକେଟରେ ଅଧିକ ୧୦ ଟଙ୍କା, ଚାଉଳ ପ୍ୟାକେଟରେ ଅଧିକ ୫୦ ଟଙ୍କା ଗ୍ରାହକଙ୍କଠାରୁ ନିଆ ଯାଉଛି l

ସେପଟେ ହୋଲସେଲ ଦୋକାନ ଗୁଡ଼ିକରେ ସାମାଜିକ ଦୂରତ୍ୱ ରଖିବାକୁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ କଡ଼ା ପଦକ୍ଷେପ ନେଇଛି l ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା, ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ସହରର ୨୦ଜଣ ଆଳୁ, ପିଆଜ , ଡାଲି , ଅଟା, ତେଲ ହୋଲସେଲର ବ୍ୟବସାୟୀଙ୍କୁ ନେଇ ବୈଠକ କରିଛନ୍ତି l ପ୍ଲାଣ୍ଟସାଇଟ,ଡେଲି ମାର୍କେଟ, ଓ଼ଲ୍ଡ ଷ୍ଟେସନ,ଡିଙ୍ଗୋଡେନା ହୋଲସେଲ ମାର୍କେଟ ଦୁଇଟି ପର୍ଯ୍ୟାୟ ଖୋଲିବାକୁ ସମସ୍ତ ହୋଲସେଲ ବ୍ୟବସାୟୀଙ୍କୁ ନିର୍ଦେଶ ଦେଇଛନ୍ତି l ପ୍ରଥମ ପର୍ଯ୍ୟାୟ ସକାଳ ୮ଟା ରୁ ସାଢେ ୧୨ଟା, ଦ୍ୱିତୀୟ ପର୍ଯ୍ୟାୟ ସାଢେ ୧୨ଟା ରୁ ସନ୍ଧ୍ୟା ୫ଟା ସମୟ ଧାର୍ଯ୍ୟ କରାଯାଇଛି l

ଅନ୍ୟ ପଟେ ସହରକୁ ଆସୁଥିବା ସମସ୍ତ ଆଳୁ,ପିଆଜ, ଚାଉଳ, ଡାଲି ଟ୍ରକ୍ ଓଡିଶା ସୀମା ଝାରଖଣ୍ଡ, ଛତିଶଗଡ, ପଚିମବଙ୍ଗରେ ଅଟକି ରହିଥିବାରୁ ଯୋଗାଣ ବିଭାଗର ଚିନ୍ତା ବଢ଼ି ଯାଇଛି l ଜିଲ୍ଲାପାଳ ଉଚ୍ଚସ୍ତରୀୟ ବୈଠକ ଡାକି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l ଏହି ବିବାଦର ସମାଧାନ ହୋଇଯିବ ବୋଲି ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଟୁଡୁ କହିଛନ୍ତି l ସହରବାସୀଙ୍କ ପାଇଁ ଆବଶ୍ୟକ ଅତ୍ୟାବଶକ ସାମଗ୍ରୀ ମହଜୁଦ ଅଛି l ଏଥି ପାଇଁ ସହରବାସୀ ଭୟ ନ କରିବାକୁ ସେ ଅନୁରୋଧ କରିଛନ୍ତି l

ସମ୍ବନ୍ଧିତ ଖବର