ଭାଇକୁ ରାକ୍ଷୀ ବାନ୍ଧିବାକୁ ଆସିଥିବା ବେଳେ ମହିଳାଙ୍କୁ କମେଣ୍ଟ ମରାରୁ ଉତ୍ତେଜନା: ଜାଳିଦେଲେ ମୋଟର ବାଇକ, ଦୁଇ ଅଭିଯୁକ୍ତ ଭାଇ ଫେରାର୍

ରାଉରକେଲା: ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ। ଭାଇକୁ ରାକ୍ଷୀ ବାନ୍ଧିବାକୁ ଆସିଥିବା ବେଳେ ଭଉଣୀକୁ ଆପତ୍ତିଜନକ ମନ୍ତବ୍ୟ ଦେବା ଘଟଣାକୁ ନେଇ ରାଉରକେଲାର ୧୫ ନମ୍ବର ସେକ୍ଟର ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ରାକ୍ଷୀ ବାନ୍ଧିବାକୁ ଆସିଥିବା ମହିଳାଙ୍କ ସ୍ୱାମୀଙ୍କ ବାଇକରେ ଜଣେ ଯୁବକ ନିଆଁ ଲଗାଇ ଦେଇଥିଲେ । ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ଘଟଣା ସ୍ଥଳରେ ଫାୟାର ବ୍ରିଗେଡ଼ ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ୧୫ ନମ୍ବର ସେକ୍ଟର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।


ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ରାଉରକେଲା ମାଲଗୋଦାମ ଅଞ୍ଚଳର ମହିଳା ଜଣଙ୍କ ତାଙ୍କ ଭାଇକୁ ରାକ୍ଷୀ ବାନ୍ଧିବାକୁ ଯାଇଥିବା ବେଳେ ଜଣେ ଯୁବକ କମେଣ୍ଟ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବଚସା ହୋଇ ମାରପିଟ ହୋଇଥିଲା । କମେଣ୍ଟ ମାରିଥିବା ଯୁବକର ଭାଇ ସେଠାରେ ପହଞ୍ଚି ବାଇକରେ ନିଆଁ ଲଗାଇ ଦେଇଥିଲେ । ଅଭିଯୁକ୍ତ ଦୁଇଭାଇ ଫେରାର ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର