ରାଉରକେଲାର ମାଲଗୋଦାମ ଗୋଷ୍ଠୀ ସଂଘର୍ଷ ଘଟଣାରେ ୭ଜଣଙ୍କୁ ଅଟକ ରଖିଛି ପୁଲିସ୍

ରାଉରକେଲା: ରାଉରକେଲାର  ମାଲଗୋଦାମ ଗୋଷ୍ଠୀ ସଂଘର୍ଷ ଘଟଣାରେ ପୁଲିସ୍ ଦୁଇଟି ପରସ୍ପର ବିରୋଧୀ ଗୋଷ୍ଠୀର ୭ଜଣଙ୍କୁ ଉଦିତନଗର ପୁଲିସ୍ ଅଟକ ରଖିଥିବା ଜଣାଯାଇଛି। ଗୁଳି ଚଳାଇଥିବା ଯୁବକ ପରବେଜ୍ ଓ ବିପକ୍ଷ ଗୋଷ୍ଠୀର ୬ଜଣ ଅଟକ ଥିବାର ସୂଚନା ମିଳିଛି। ଏହି ଘଟଣାରେ ବ୍ୟବହୃତ ବନ୍ଧୁକ ଓ ଗୋଟିଏ ଭୁଜାଲି ଜବତ କରିଛି ପୁଲିସ।  ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଉଦିତନଗର ମାଲଗୋଦାମ ବସ୍ତିରେ ଏକ ଗୋଷ୍ଠୀସଂଘର୍ଷହୋଇଥିଲା ଏଥିରେ ୨ଜଣ ଆହତ ହୋଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ବସ୍ତିରେ ଗୁଳି ଫୁଟିଛି। ପରବେଜ ଗୁଳିମାଡରେ ରୋହିତ ପଟ୍ଟନାୟକ ଗୁରୁତର ଆହତ ହୋଇଥିଲେ। ତାଙ୍କ ବାମ ହାତରେ ଗୁଳି ବାଜିଥିଲା। ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ୍)ରେ ଭର୍ତ୍ତି କରାଯାଇଥିଲା। ରାଜୁ ନାମକ ଅନ୍ୟ ଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ। ଗୁଳିକାଣ୍ଡ ପରେ ପରବେଜ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଉଦିତନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଫେରାର ଅଭିଯୁକ୍ତ ପରବେଜକୁ ଗିରଫ ଦାବିରେ ମାଲଗୋଦାମ ସର୍ଦ୍ଦାର ବସ୍ତିର ଜିଦ୍ ଧରିବାରୁ ବସ୍ତିରେ ସାମାନ୍ୟ ଉତ୍ତେଜନା ଦେଖା ଦେଇଥିଲା। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ମିଳିଥିବା ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମାଲଗୋଦାମ ସର୍ଦ୍ଦାର ବସ୍ତି ଓ ମୁସଲିମ ବସ୍ତିର କିଛି ଯୁବକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ମୁସଲିମ ବସ୍ତିର ପରବେଜ ଓରଫ ସଦ୍ଦାମ ସର୍ଦ୍ଦାର ବସ୍ତିର ଏଭଳି କାମ କରୁଥିବା ସନ୍ଦେହ କରି ରୋହିତକୁ ଟାର୍ଗେଟ କରିଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୭ଟାରେ ପୂର୍ବ କଥାକୁ କେନ୍ଦ୍ରକରି ରୋହିତ ଓ ପରବେଜ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପରବେଜ ରୋହିତ ଉପରକୁ ଗୁଳି କରିଥିଲା। ପ୍ରଥମ ରାଉଣ୍ଡ ଗୁଳି ରୋହିତର ବାମ ହାତରେ ବାଜିଥିଲା। ଦ୍ବିତୀୟ ରାଉଣ୍ଡ ଗୁଳି ରୋହିତ ନିକଟରେ ଛିଡା ହୋଇଥିବା ରାଜୁ ଦେହରେ ବାଜି ବାହାରି ଯାଇଥିଲା। ଫଳରେ ରାଜୁ ମଧ୍ୟ ଆହତ ହୋଇଥିଲ‌ା। ଦୁହେଁ ପାଟି କରିବାରୁ ପରବେଜ ସେଠାରୁ ଫେରାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର