ରାଉରକେଲା : ବୃନ୍ଦାବନରୁ ଫେରୁଥିବା ୫୬ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ରାଉରକେଲାର ଛେଣ୍ଡ ବାଜବୁଡି ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି l ଏଥିସହ ବସ ଡ୍ରାଇଭର ଓ ହେଲପରଙ୍କୁ ମଧ୍ୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି l ଏହି ସମସ୍ତ ତୀର୍ଥଯାତ୍ରୀ ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲାର ବୋଲି ଜଣାଯାଇଛି l ତୀର୍ଥଯାତ୍ରୀମାନେ ଉତ୍ତର ପ୍ରଦେଶରୁ ଏକ ବସ ଯୋଗେ ଝାରଖଣ୍ଡ ସୀମା ପାର୍ ହୋଇ ରାଉରକେଲା ସହର ଦେଇ ଯାଉଥିଲେ l ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ରାଉରକେଲା ସହରର ଛେଣ୍ଡ ବାଜବୁଡି ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ସେଠାରେ ଖାଇବାପିଇବାର ସୁବନ୍ଦୋବସ୍ତ କରାଯାଇଛି।
ସମସ୍ତେ ଲକଡାଉନ ଘୋଷଣା ହେବା ପୂର୍ବରୁ ତୀର୍ଥଯାତ୍ରାରେ ବାହାରିଥିଲେ। ହେଲେ, ଲକଡାଉନ ଘୋଷଣା ହେବା ପରେ ସେମାନେ ସେଠାରେ ଫସି ରହିଥିଲେ। ସେଠାକାର ପ୍ରଶାସନ ଏମାନଙ୍କୁ ଏକ ବସ ଯୋଗେ ଓଡ଼ିଶା ପଠାଇବା ବ୍ୟବସ୍ଥା କରିଥିଲା। ଏହି କ୍ରମରେ ସେମାନେ ଆଜି ସକାଳେ ଆସି ରାଉରକେଲାରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଜଣାପଡ଼ିଥିଲା ଏବଂ କରୋନା ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇନଥିଲା। ପରେ ସେମାନଙ୍କୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଛେଣ୍ଡ ଠାରେ ପ୍ରସ୍ତୁତ କରାଯାଇଥିବା ଆଇସୋଲେସନ କେନ୍ଦ୍ରରେ ରଖାଯାଇଛି। ଆଇସୋଲେସନ କେନ୍ଦ୍ରରେ ସେମାନଙ୍କ ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ଖାଦ୍ୟପେୟ ସମେତ ଅନ୍ୟ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।
ସେହିପରି ଝାରସୁଗୁଡ଼ାରୁ ଝାଡ଼ଖଣ୍ଡ ଯାଉଥିବା ୩୧ଜଣଙ୍କ ସହିତ ଗାଡି ଚାଳକଙ୍କୁ ଅଟକ ରଖାଯାଇଛି। ସେମାନେ ଝାରସୁଗୁଡାର ଏକ କମ୍ପାନୀରେ କାମ କରୁଥିଲେ। ୨ଟି ଟାଟା ଏସି ଗାଡ଼ିରେ ସେମାନେ ଲୁଚିକି ଯାଉଥିଲେ। ରାଉରକେଲା ପ୍ରଶାସନ ସମସ୍ତଙ୍କୁ ଉଦ୍ଧାର କରିଛି। ଏମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖିବାକୁ ଯୋଜନା କରାଯାଉଛି।
/sambad/media/post_attachments/wp-content/uploads/2020/03/rkl-12.jpg)
ଲକ୍ଡାଉନ୍ ପରେ ଗତକାଲି ଇସ୍ପାତ ସହରରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଝାଡ଼ଖଣ୍ଡ ଗୋଏଲକେରା ଅଞ୍ଚଳର ୧୨ ଜଣ ସଫେଇ କର୍ମଚାରୀ ଏବେ ଚାଲିଚାଲି ପ୍ରାୟ ୧୮୦/୨୦୦ କିଲୋମିଟର ଦୂର ନିଜ ଘର ଅଭିମୁଖେ ବାହାରିଛନ୍ତି। ବାଟ ଦେଖିନାହାନ୍ତି, ଏଣୁ ରେଳ ଧାରଣାରେ ସେମାନେ ଚାଲିଚାଲି ଯାଉଛନ୍ତି।
ଝାଡ଼ଖଣ୍ଡର ଗୋଏଲକେରା, ସୋନୁଆ ଅଞ୍ଚଳର ୩୭ ଜଣ ଶ୍ରମିକ ରେଳବାଇର ଜଣେ ଠିକାଦାରଙ୍କ ଅଧୀନରେ ସଫେଇ କର୍ମଚାରୀଭାବେ କାମ କରନ୍ତି। ଏମାନେ ଝାରସୁଗୁଡ଼ା-ସମ୍ବଲପୁର ତୃତୀୟ ରେଳ ଲାଇନ୍ ନିର୍ମାଣରେ ମଧ୍ୟ ନିୟୋଜିତ। ଗତ କିଛି ଦିନ ହେଲା ସେମାନେ ଶାସନ ଷ୍ଟେସନ ଅଞ୍ଚଳରେ ରହି କାମ କରୁଥିଲେ। ଲକ୍ଡାଉନ୍ ପରେ ଏମାନେ ଘରକୁ ଯିବାକୁ ପ୍ରୟାସ କରିଥିଲେ ମଧ୍ୟ ରେଳ ଚଳାଚଳ, ବସ୍ ଚଳାଚଳ ବନ୍ଦ ଥିବାରୁ ଏହା ସମ୍ଭବ ହୋଇନଥିଲା। ମାତ୍ର ଘରକୁ ଯାଇ ପ୍ରିୟଜନଙ୍କ ପାଖରେ ରହିବାକୁ ଇଚ୍ଛା ହେବାରୁ ୧୨ ଜଣ ଶ୍ରମିକ, ୧୦ ଜଣ ପୁରୁଷ ଓ ୨ ଜଣ ମହିଳା ଶ୍ରମିକ ଗତ ୨୫ ତାରିଖ ସନ୍ଧ୍ୟାରେ ଶାସନରୁ ଚାଲିଚାଲି ବାହାରିଥିଲେ। ଅଖିଆଅପିଆ ହୋଇ ରାତି ସାରା ଟ୍ରେନ୍ ଲାଇନ୍ରେ ଚାଲିଚାଲି ଘର ଅଭିମୁଖେ ବାହାରିଥିଲେ। ୨୬ ତାରିଖରେ ସେମାନେ ବାମରାରେ ଥିବା ଜଣେ ସଫେଇ କର୍ମଚାରୀଙ୍କ ଘରେ ଆଶ୍ରୟ ନେଇଥିଲେ। ସକାଳ ହେବାମାତ୍ରେ ପୁଣି ଗନ୍ତବ୍ୟ ପଥରେ ବାହାରିଥିଲେ। ତା ପରଦିନ, ଅର୍ଥାତ୍ ୨୭ ତାରିଖରେ ସେମାନେ ରାଜଗାଙ୍ଗପୁରରେ ରାତ୍ରୀଯାପନ କରିଥିଲେ। ଗତକାଲି ସକାଳ ହେବାମାତ୍ରେ ସମସ୍ତ ୧୨ ଜଣ ଶ୍ରମିକ ପୁଣି ଚାଲିଚାଲି ପୂର୍ବାହ୍ନ ପ୍ରାୟ ୧ଟାରେ ରାଉରକେଲାରେ ପହଞ୍ଚିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/rkl-11.jpg)