ମାଇନସ୍‌ ୨ଂରେ ରହିଲେ ୨୦ ଛାତ୍ରଛାତ୍ରୀ, ବଙ୍କର ଭିତରେ କଟିଲା କାଳ ରାତି

ରାଉରକେଲା : ଯୁଦ୍ଧ ଭିତରେ ୟୁକ୍ରେନ୍‌ରେ ଫସିରହିଥିବା ରାଉରକେଲା ଛାତ୍ରଛାତ୍ରୀଙ୍କ ଯାତନା ବଢ଼ିବାରେ ଲାଗିଛି। ପ୍ରାୟ ୨୦ ଛାତ୍ରଛାତ୍ରୀଙ୍କୁ ମାଇନସ୍‌ ଦୁଇ ଡିଗ୍ରୀ ତାପମାତ୍ରାରେ ରହିବାକୁ ପଡ଼ୁଛି। ସେମାନଙ୍କ ପାଖରେ କମ୍ବଳ କି ଅନ୍ୟ କୌଣସି ଶୀତବସ୍ତ୍ର ନାହିଁ। ଲଗାତାର ଦୁଇ ଦିନ ହେଲା ଶୁଖିଲା ଖାଦ୍ୟରେ ଜୀବନ ଜିଉଁଥିବାବେଳେ ବଙ୍କର୍‌ ଭିତରେ ଦିନ କଟୁଛି। ଉଦ୍ଧାର କାର୍ଯ୍ୟ ଏବେ ଅସମ୍ଭବ ହୋଇପଡ଼ିଥିବାବେଳେ ଯୁଦ୍ଧ ବିରତି ପାଇଁ ପ୍ରାର୍ଥନା କରୁଥିବା ଆତଙ୍କିତ ସ୍ବରରେ ନେହୁରା ହୋଇଛନ୍ତି ଛାତ୍ରଛାତ୍ରୀ।

ସୁଦୂର ୟୁକ୍ରେନ୍‌ରୁ ‘ସମ୍ବାଦ’କୁ ପ୍ରତିକ୍ରିୟାରେ ଯାହା କହିଛନ୍ତି, ତାହା ନିଶ୍ଚିତଭାବେ ହୃଦୟ ବିଦାରକ। ଗତକାଲି ଭୋର୍‌ ୪ଟାରୁ ବୋମାମାଡ଼ ଆରମ୍ଭ ହୋଇଥିବାବେଳେ ଅପରାହ୍ନରେ ଏହା ସୀମା ଟପିଥିଲା। ଏଣୁ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସେମାନଙ୍କୁ ସ୍ଥାନୀୟ ମେଟ୍ରୋ ଷ୍ଟେସନ ବେସ୍‌ମେଣ୍ଟ୍‌ରେ ରଖାଯାଇଥିଲା। ତେବେ ସମସ୍ତ ରାଉରକେଲାର ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ଗୋଟିଏ ଗ୍ରୁପ୍‌ରେ ନୁହେଁ, ବରଂ ପୃଥକ୍‌ ପୃଥକ୍‌ ଦଳରେ ରହିଥିଲେ। ଗତ ଦୁଇଦିନ ହେଲା ‌ଏମାନେ ମଧ୍ୟାହ୍ନ ଭୋଜନ, ରାତ୍ରୀଭୋଜନ ଗ୍ରହଣ କରିନାହାନ୍ତି। ଖାଦ୍ୟ କହିଲେ ବିସ୍କୁଟ, ବ୍ରେଡ୍‌ ଓ ଫଳମୂଳ। ଗତକାଲି ଖାର୍‌କିଭ୍‌ରେ ସର୍ବନିମ୍ନ ତାମପାତ୍ରା ମାଇନସ୍‌ ୨ ଡିଗ୍ରିଥିବାବେଳେ ‌ବିନା କମ୍ବଳ, ଶୀତବସ୍ତ୍ରରେ ରାତି କାଟିଥିଲେ ଛାତ୍ରଛାତ୍ରୀ। ମେଟ୍ରୋ ଷ୍ଟେସନରେ କ୍ଷମତାଠାରୁ ଅଧିକ ଲୋକ ମୁଣ୍ଡ ଗୁଞ୍ଜିଥିବାବେଳେ ବସିବାକୁ ବି ପର୍ଯ୍ୟାପ୍ତ ସ୍ଥାନ ମିଳିଥିଲା। ତଥାପି ଜୀବନ ବଞ୍ଚାଇବାକୁ ଠେଲାପେଲା ଭିତରେ ବିନା ଶୌଚରେ କାଟିଥିଲେ କାଳ ରାତି। ଆଜି ସକାଳ ପ୍ରାୟ ୬ଟାରେ ବୋମାମାଡ଼ ସାମାନ୍ୟ ଥମିବାରୁ ସେମାନେ ନିକଟରେ ଥିବା ନିଜ ନିଜ ହଷ୍ଟେଲକୁ ଫେରିଆସି ନିତ୍ୟକର୍ମ କରିଥିଲେ। ଦିନ ପ୍ରାୟ ୧୨ଟାରେ ପୁଣି ବୋମାମାଡ଼ ହେବାରୁ ଜୀବନ ବିକଳରେ ବଙ୍କର୍‌କୁ ଦୌଡ଼ିଥିଲେ। ହାତରେ ଥିଲା କେବଳ ଶୁଖିଲା ଖାଦ୍ୟ।

ଯେକୌଣସି ସମୟରେ ବୋମାମାଡ଼ ହେବାର ଆଶଙ୍କା ଥିବାରୁ ମେସ୍‌ରେ ରୋଷେଇ କରି ଖାଦ୍ୟ ତିଆରିବା ବି ସମ୍ଭବ ହେଉନଥିବା କହିଛନ୍ତି ଛାତ୍ରଛାତ୍ରୀ। ପାଖରେ ମ୍ୟାଗି ଅଛି, କିନ୍ତୁ ରୋଷେଇ କରି ଖାଇବା କଷ୍ଟକର ହୋଇପଡ଼ିଛି। ଦିନସାରା ଆତଙ୍କ ଭିତରେ ରହିଥିବା ଛାତ୍ରଛାତ୍ରୀଙ୍କୁ ଯେ କୌଣସି ମୂହୁର୍ତ୍ତରେ ପୁନର୍ବାର ବଙ୍କର୍‌କୁ ନେବାକୁ ‌ୟୁକ୍ରେନ ସରକାର ଘୋଷଣା କରିଛନ୍ତି। ସାଇରନ୍‌ ବାଜିବା ମାତ୍ରେ ବଙ୍କର୍‌ ଭିତରକୁ ଯିବାକୁ ସଜାଗ ଥିବା ଛାତ୍ରଛାତ୍ରୀ ମୋବାଇଲ୍‌ର ରିଂ ଟୋନ୍‌ରେ ମଧ୍ୟ ଭୟଭୀତ ହୋଇପଡ଼ୁଛନ୍ତି; ଯାହାକି ତାଙ୍କର ସାଂପ୍ରତିକ ମାନସିକ ସ୍ଥିତି କ’ଣ ଅଛି, ତାହା ସ୍ପଷ୍ଟ ଅନୁମେୟ।

ସମ୍ବନ୍ଧିତ ଖବର