ରାଉରକେଲା :‘ଡାକ୍ତର ହେବା ପାଇଁ ଉଚ୍ଚ ଶିକ୍ଷା ନେବାକୁ ସୁଦୂର ୟୁକ୍ରେନ ଆସିଥିଲୁ। ରୁଷର ଘନଘନ ଆକ୍ରମଣ ପରେ ଏଠାରେ ସାଂଘାତିକ ପରିସ୍ଥିତି। ଜୀବନ ପ୍ରତି ବିପଦ ରହିଛି। ଯେ କୌଣସି ମୂହୁର୍ତ୍ତରେ ସ୍ଥିତି ଆହୁରି ସଙ୍ଗୀନ ହେବାର ସର୍ବାଧିକ ଆଶଙ୍କା ରହିଛି। ଏଣୁ ଯଥାଶୀଘ୍ର ଆମକୁ ଏଠାରୁ ସୁରକ୍ଷିତଭାବେ ସ୍ବଦେଶକୁ ଫେରାଇ ନିଅନ୍ତୁ।’ କୋହଭରା କଣ୍ଠରେ ଏଭଳି ନିବେଦନ କରିଛନ୍ତି ୟୁକ୍ରେନ୍‌ର ବିଭିନ୍ନ ସହରରେ ଫସିଥିବା ରାଉରକେଲାର ପ୍ରାୟ ୨୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ। ତେବେ ସମସ୍ତ ଛାତ୍ରଛାତ୍ରୀ ଏବେ ଖାର୍‌କିଭ୍‌ ମେଟ୍ରୋ ଷ୍ଟେସନ୍‌ ଓ ବଙ୍କର୍‌ରେ ଆଶ୍ରୟ ନେଇଛନ୍ତି। ଆଜି ରାତିସାରା ଛାତ୍ରଛାତ୍ରୀ ସେଠାରେ ରହିବାପରେ ଆସନ୍ତାକାଲି ସ୍ଥିତିରେ ସୁଧାର ଆସିଲେ ହଷ୍ଟେଲକୁ ବାହୁଡ଼ିବେବୋଲି ସୂଚନା ଦେଇଛନ୍ତି।

Advertisment

କେବଳ ଇସ୍ପାତ ସହରର ପ୍ରାୟ ୨୫ରୁ ଅଧିକ ଛାତ୍ରଛାତ୍ରୀ ୟୁକ୍ରେନ୍‌ରେ ରହି ଡାକ୍ତରୀ ପାଠ ପଢ଼ୁଛନ୍ତି। ତେବେ ପାଖାପାଖି ୫ ଜଣ ଛାତ୍ରଛାତ୍ରୀ ସଂପ୍ରତି ଘରେ ରହି ଅଫ୍‌ଲାଇନ୍‌ରେ ପାଠ ପଢ଼ୁଥିବାବେଳେ ଏବେ ବି ସେଠାରେ ପ୍ରାୟ ୨୦ ଜଣ ଫସିରହିଛନ୍ତି। ବିଶେଷକରି ଖାର୍‌କିଭ୍‌ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟି, ଭି.ଏନ. କାରାଜିନ ମେଡିକାଲ ୟୁନିଭର୍ସିଟି, କିଭ୍‌ ମେଡିକାଲ ୟୁନିଭର୍ସିଟି ଆଦି ବିଭିନ୍ନ ବିଶ୍ବବିଦ୍ୟାଳୟରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଫସିରହିଥିବା ବାସନ୍ତୀ କଲୋନି, ଛେଣ୍ଡ୍‌, ଜଗଦା, ଫର୍ଟିଲାଇଜର, କୋଏଲନଗର, ସେକ୍ଟର-୪, ସେକ୍ଟର-୧୮, ସେକ୍ଟର-୧୪, ସେକ୍ଟର-୨, ସେକ୍ଟର-୧, ସେକ୍ଟର-୧୯, ସେକ୍ଟର-୨୦ ଆଦି ଅଞ୍ଚଳର। ଫସିରହିଥିବା ଛାତ୍ରଛାତ୍ରୀମାନେ ହେଉଛନ୍ତି ଖାର୍‌କିଭ୍‌ ନ୍ୟାସନାଲ ମେଡିକାଲ ୟୁନିଭର୍ସିଟିରେ ପଢ଼ୁଥିବା ସଲୋନୀ ଜେନା(୫ମ ବର୍ଷ), ଆଶିଷ ପାଢ଼ୀ(ଦ୍ବିତୀୟ ବର୍ଷ), ପ୍ରୀତମ ମହାନ୍ତ(ପ୍ରଥମ ବର୍ଷ), ସୂରଜ ମିଶ୍ର(୫ମ ବର୍ଷ), ଶାଶ୍ବତି ସ୍ବାଇଁ(ପ୍ରଥମ ବର୍ଷ), ଶୁଭଶ୍ରୀ ସାହୁ(ପ୍ରଥମ ବର୍ଷ), ପ୍ରିୟଙ୍କା ପଣ୍ଡା(ପ୍ରଥମ ବର୍ଷ), ପ୍ରତୀକ୍ଷା ସାମଲ(ପ୍ରଥମ ବର୍ଷ), ଅର୍ପିତା ରାଉତ, ଭି.ଏନ. କାରାଜିନ୍‌ ମେଡିକାଲ ୟୁନିଭର୍ସିଟିରେ ସ୍ମୃତିଶ୍ରୀ ପତି(ଷଷ୍ଠ ବର୍ଷ), ଅର୍ଚ୍ଚନା ଲେଙ୍କା(୫ମ ବର୍ଷ)ଙ୍କ ସମେତ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀ ଅଛନ୍ତି।

ଗୁରୁବାର ସକାଳ ପ୍ରାୟ ୫ଟା ୧୦ ମିନିଟ୍‌ରେ ଖାର୍‌କିଭ୍‌ରେ ପ୍ରଥମ ମିଶାଇଲ୍‌ ମାଡ଼ ହୋଇଥିଲା। ଏମିତିକି ଏହି ଛାତ୍ରଛାତ୍ରୀ ରହୁଥିବା ହଷ୍ଟେଲ୍‌ର ଝରକା କାଚ ଭାଙ୍ଗିଯାଇଥିଲା। ସେବେଠାରୁ ସମସ୍ତ ଛାତ୍ରଛାତ୍ରୀ ଆତଙ୍କିତ ହୋଇପଡ଼ିଥିବା ସୂଚନା ଦେଇଛନ୍ତି। ପ୍ରଥମ ମିଶାଇଲ୍‌ ମାଡ଼ ହେବାପରେ ୟୁକ୍ରେନ ସରକାର ଦ୍ବାରା ସମସ୍ତଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ସମସ୍ତ କାଗଜପତ୍ର, ଯଥା-ପାସ୍‌ପୋର୍ଟ, କ୍ରେଡିଟ୍‌ କାର୍ଡ, ସହ କିଛି ନଗଦ ଟଙ୍କା, ଖାଦ୍ୟ ସାମଗ୍ରୀ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅପରାହ୍ନ ପ୍ରାୟ ୫ଟାରେ ସମସ୍ତଙ୍କୁ ଖାର୍‌କିଭ୍‌ ମେଟ୍ରୋ ଷ୍ଟେସନ୍‌ ଓ ବଙ୍କର୍‌କୁ ନିଆଯାଇଛି।