ଦୁର୍ନୀତିରେ ବୁଡ଼ିଛି ରାଉରକେଲା ଯୋଗାଣ ବିଭାଗ; ହିତାଧିକାରୀ ଦହଗଞ୍ଜ, ଅଧିକାରୀ ନିରବ

ରାଉରକେଲା : ବିଭିନ୍ନ ଦୁର୍ନୀତିକୁ ନେଇ ସର୍ବଦା ଚର୍ଚ୍ଚାର ରହୁଛି ସୁନ୍ଦରଗଡ଼ ଯୋଗାଣ ବିଭାଗ। ଚାଉଳ ଓ ଗହମ ହରିଲୁଟ୍‌ ହେଉ ଅବା କିରାସିନ ବାଟମାରଣା, ସବୁଥିରେ ବ୍ୟାପକ ହେରଫେର ହେଉଛି। ସବୁକିଛି ବିଭାଗୀୟ ଅଧିକାରୀ ଜାଣୁଛନ୍ତି। କେବଳ ଜାଣୁ ନାହାନ୍ତି, ସେଥିରୁ ଭାଗ ମଧ୍ୟ ପାଉଛନ୍ତି ବୋଲି ଅଭିଯୋଗ ରହିଛି। କାଁ ଭାଁ କାର୍ଯ୍ୟାନୁଷ୍ଠାନ ହେଉଛି, କିନ୍ତୁ ସ୍ଥିତି ବଦଳୁ ନାହିଁ। ରାଉରକେଲା‌ରେ ତ ପରିସ୍ଥିତି ଅତି ସାଂଘାତିକ ହୋଇ ପଡ଼ିଛି। ଅସଂଖ୍ୟ ଅଭିଯୋଗ ଥିଲେ ହେଁ ଗୋଦାମ ସମେତ ଯୋଗାଣ ବିଭାଗର ଅଧିକାଂଶ ଅଧିକାରୀ ଗୋଟିଏ ସ୍ଥାନରେ ବର୍ଷ ବର୍ଷ ରହି ଦୁର୍ନୀତିର ଚେର ମେଲାଇଛନ୍ତି। ସେମାନଙ୍କ ବିରୋଧରେ ପ୍ରମାଣ ଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତାଙ୍କୁ ଅନ୍ୟତ୍ର ବଦଳି କରିବାକୁ ବିଭାଗୀୟ ଉଚ୍ଚ ଅଧିକାରୀ କାହିଁକି ପଛଘୁଞ୍ଚା ଦେଉଛନ୍ତି ବୁଝାପଡୁନି।

ଉଲ୍ଲେଖଯୋଗ୍ୟ, ବର୍ଷ ବର୍ଷ ଧରି ୧୯୩୨ ଭୂତ କାର୍ଡରେ ଉଠୁଥିଲା ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ। ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ଯୋଗାଣ ବିଭାଗରେ ଚାଲିଥିବା ଦୁର୍ନୀତି ପଦାକୁ ଆସିଥିଲା। ୧୯୩୨ ଭୂତ କାର୍ଡକୁ ଶେଷରେ ବାତିଲ୍‌ କରାଯାଉଛି। ଅର୍ଥାତ୍‌ କାର୍ଡ ପିଛା ୪ ଜଣ ସଦସ୍ୟ ଥିଲେ ୭ ହଜାର ୭୨୭ ଜଣଙ୍କ ନାଁରେ ଉଠାଯାଉଥିବା ଚାଉଳ ଓ ଗହମକୁ ମିଳିମିଶି ଚଳୁ କରୁଥିଲେ। ସାମିଲ ଥିଲେ ଯୋଗାଣ ବିଭାଗର କରିତକର୍ମା ଅଧିକାରୀ, କର୍ମଚାରୀ ଓ କିଛି କଣ୍ଟ୍ରୋଲ ଦୋକାନୀ ସହ ଏସ୍‌ଏଚ୍‌ଜି ଗ୍ରୁପ୍‌। କାର୍ଡ ସିନା ବାତିଲ ହେଲା, ଯୋଗାଣ ବିଭାଗର ଅଧିକାରୀ କେବଳ ତଦନ୍ତ କରି କାମ ସାରିଦେଲେ। କିନ୍ତୁ ଏଯାଏ ଜଣେ ହେଲେ ଯୋଗାଣ ଅଧିକାରୀ, କର୍ମଚାରୀ, କଣ୍ଟ୍ରୋଲ ଦୋକାନୀ ଓ ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ।

Naidunia

ସେମିତି ଏବେ କିରାସିନରେ ଚାଲିଛି ବ୍ୟାପକ ହରିଲୁଟ୍‌। ସମସ୍ତଙ୍କ ଘରେ ବିଜୁଳି ଆଲୋକ ଅଛି। ସମସ୍ତ ବସ୍ତିବାସିନ୍ଦାଙ୍କୁ ଉଜ୍ବଳା ଯୋଜନାରେ ରନ୍ଧନ ଗ୍ୟାସ ମିଳିଛି। ପୂର୍ବପରି କିରାସିନର ଆବଶ୍ୟକତା ନଥିବାରୁ କାର୍ଡଧାରୀ କଣ୍ଟ୍ରୋଲ ଦୋକାନକୁ ଯାଉନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲା ସହରରେ ପାଖାପାଖି ୪୫% କାର୍ଡଧାରୀ କଣ୍ଟ୍ରୋଲ ଦୋକାନରୁ କିରାସିନ ନେଉନାହାନ୍ତି। ରାଉରକେଲା ସହରରେ ମୋଟ ୬୭ ହଜାର ୯୭୧ କାର୍ଡ ମିଳିଛି। କାର୍ଡ ପିଛା ମାସକୁ ୧.୫ ଲିଟର କରି ପାଖାପାଖି ୧ ଲକ୍ଷ ୧୯ ହଜାର ଲିଟରରୁ ଅଧିକ କିରାସିନ ଉଠୁଛି। ଲିଟର ପିଛା ୫୨ ଟଙ୍କା କରି ପାଖାପାଖି ୫୩ ଲକ୍ଷର କିରାସିନ ଉଠାଯାଉଛି। ୪୫% ଅର୍ଥାତ୍‌ ପାଖାପାଖି ୧୧ ଲକ୍ଷ ଟଙ୍କାର କିରାସିନ କଣ୍ଟ୍ରୋଲ ଦୋକାନରେ ବିକ୍ରି ହେଉନାହିଁ। କଳାବଜାରରେ ଏସବୁ କିରାସିନ ୮ରୁ ଅଧିକ ଟଙ୍କା ଅର୍ଥାତ୍‌ ୬୦ ଟଙ୍କାରେ ବିକ୍ରି କରାଯାଉଛି। ଏପରି ଭାବେ ମାସକୁ ୪ ଲକ୍ଷରୁ ଅଧିକ ଟଙ୍କାକୁ ମିଳି ମିଶି ଚଳୁ କରୁଥିବା ଅଭିଯୋଗ ହେଉଥିଲେ ହେଁ କାର୍ଯ୍ୟାନୁଷ୍ଠାନ ଶୂନ୍‌।

The Indian Express

କେବଳ ସେତିକି ନୁହେଁ, ରାଉରକେଲା ସହର ସମେତ କିଛି ବ୍ଲକକୁ ପିଡିଏସ୍‌ ସାମଗ୍ରୀ ଯୋଗାଣ ଠିକ୍‌ ଭାବେ ହେଉ ନଥିବାର ଅଭିଯୋଗ ଆସିଛି। ଫଳରେ ଲୋକେ ନାହିଁ ନଥିବା ସମସ୍ୟାରେ ପଡୁଛନ୍ତି। ଏସବୁ ଜାଣୁଥିଲେ ହେଁ ରାଉରକେଲା ଯୋଗାଣ ବିଭାଗର ଅଧିକାରୀମାନେ ଚୁପ୍‌ ବସିଛନ୍ତି। ସରକାରୀ ନିୟମ ଅନୁଯାୟୀ, ମାସର ୧ରୁ ୧୦ ତାରିଖ ମଧ୍ୟରେ ପ୍ରଥମ ଓ ୧୧ରୁ ୧୬ ତାରିଖ ମଧ୍ୟରେ ଦ୍ବିତୀୟ କୋଟା ଡିଲର ପଏଣ୍ଟରେ ପହଞ୍ଚିବା କଥା। କିନ୍ତୁ ଏହି ସମୟରେ ଡିଲର ପଏଣ୍ଟରେ ପିଡିଏସ୍‌ ସାମଗ୍ରୀ ପହଞ୍ଚିପାରୁନି। ଠିକ୍‌ ସମୟରେ ସାମଗ୍ରୀ ପହଞ୍ଚୁ ନଥିବାରୁ ହିତାଧିକାରୀମାନେ ନାହିଁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବାରମ୍ବାର କଣ୍ଟ୍ରୋଲ ଦୋକାନକୁ ଆସୁଥିଲେ ମଧ୍ୟ ଚାଉଳ ଓ ଗହମ ପାଇପାରୁ ନାହାନ୍ତି। ଜଣେ କି ଦୁଇ ଜଣ ନୁହେଁ, ଏମିତି ଶହ ଶହ ହିତାଧିକାରୀ ଡିଲରକୁ ପିଡିଏସ୍‌ ସାମଗ୍ରୀ ନେବାକୁ ବାରମ୍ବାର ଦୌଡୁଛନ୍ତି। ଅଭିଯୋଗ ହେଲେ ମଧ୍ୟ ଅଧିକାରୀମାନେ ନିଜ ପକେଟ ଗରମ ହେଉଥିବାରୁ ନିରବ ରହୁଛନ୍ତି।

ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ବାରମ୍ବାର ଖବର ପ୍ରକାଶିତ ହେଉଥିଲେ ହେଁ ଜିଲ୍ଲା ଯୋଗାଣ ବିଭାଗ ସୁଧୁରୁ ନାହିଁ। ତେଣୁ ଏହି ଦୁର୍ନୀତିର ଚେର ଉପରକୁ ମାଡ଼ିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏସବୁଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇ ଯାଇଛି ‌ଯେ ଜିଲ୍ଲା ଯୋଗାଣ ବିଭାଗ ନିଜ ସ୍ବାର୍ଥରେ ହିଁ ନିଜକୁ ବଦଳାଇବାକୁ ଚାହୁନାହିଁ। ତେଣୁ ଭୂତ କାର୍ଡ଼ ପ୍ରସଙ୍ଗ ଭଳି ଏଥିରେ ମଧ୍ୟ ସ୍ବୟଂ ଜିଲ୍ଲାପାଳଙ୍କର ହସ୍ତକ୍ଷେପ ଲୋଡ଼ା ହେଉଛି ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର