ରାଉରକେଲା ଯୋଗାଣ ବିଭାଗ: ବଳକା ପିଡିଏସ୍‌ କୋଟା ଯାଉଛି କୁଆଡେ ?

ଯୋଗାଣ ବିଭାଗ ପାଖରେ ତଥ୍ୟ ନାହିଁ, ଅଗଷ୍ଟରେ ଉଠିଛି ୧୦,୭୨୧.୩୭ କ୍ବିଣ୍ଟାଲ ଚାଉଳ

ରାଉରକେଲା: ଯୋଗାଣ ବିଭାଗର ବିଚିତ୍ର ବ୍ୟବସ୍ଥା। ମାସକୁ କେତେ ଖାଉଟି ସାମଗ୍ରୀ ଉଠୁଛି ବିଭାଗ ଜାଣୁଛି। କାର୍ଡଧାରୀଙ୍କୁ ବଣ୍ଟନ ପରେ  କେତେ ବଳକା ରହୁଛି ବିଭାଗ ପାଖରେ ଖବର ନାହିଁ। ଏହି କଥା ଆମେ କହୁ ନାହୁଁ। ଯୋଗାଣ ବିଭାଗ ବଣ୍ଟନ ଦତାରଖ ଦାୟିତ୍ବରେ ଥିବା ଅଧିକାରୀ କହୁଛନ୍ତି। ଏଭଳି ସାଂଘାତିକ ସ୍ଥିତି ଉପୁଜିଛି ରାଉରକେଲା ଯୋଗାଣ ବିଭାଗରେ। ମହାମାରୀ କରୋନା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଡଧାରୀଙ୍କୁ କିଛି ମାସ ପାଇଁ ମାଗଣା ଚାଉଳ ଯୋଗାଇ ଦେବାକୁ ଘୋଷଣା ପରେ ହେରଫେର ଆହୁରି ବଢ଼ି ଯାଇଛି। ବିଭାଗୀୟ ଅଧିକାରୀ ସଫେଇ ଦେଉଛନ୍ତି, ଡିଲର (କଣ୍ଟ୍ରୋଲ ଦୋକାନୀ)ଙ୍କ ପାଖରେ ମାସ ‌ଶେଷକୁ କେତେ ବଳକା ପିଡିଏସ୍‌ ସାମଗ୍ରୀ ସେମାନେ ଜାଣିପାରୁ ନାହାନ୍ତି।

ଯେବେଠୁ ମାଗଣା ଚାଉଳ ବଣ୍ଟନ ହେଲାଣି, ସେବେଠୁ ଏଭଳି ସମସ୍ୟା ଉପୁଜିଛି। ଆସନ୍ତା ସେପ୍ଟେମ୍ବରରେ ମାଗଣା ଚାଉଳ ବଣ୍ଟନ ସରିବା ପରେ କେଉଁ ଡିଲର ପାଖେରେ କେତେ କୋଟା ବଳକା ରହୁଛି କହି ହେବ। ଏଥିରୁ ରାଉରକେଲା ଯୋଗାଣ ବଣ୍ଟନ ବ୍ୟବସ୍ଥା କେମିତି ଚାଲିଛି ଅଧିକାରୀଙ୍କ କଥାରୁ ସ୍ପଷ୍ଟ ବାରି  ହୋଇପଡୁଛି। ତେବେ ମାସକୁ ମାସ ଡିଲରମାନଙ୍କ ପାଖରେ ବଳକା ରହୁଥିବା ଖାଉଟି ସାମଗ୍ରୀ କୁଆଡେ ଯାଉଛି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଯୋଗାଣ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ମାସ (ଅଗଷ୍ଟ)ରେ ମୋଟ ୬୭ ହଜାର ୭୩୩ କାର୍ଡଧାରୀଙ୍କୁ ୧୦ ହଜାର ୭୨୧. ୩୭ କ୍ବିଣ୍ଟାଲ ଚାଉଳ, ୯୩୪ କ୍ବିଣ୍ଟାଲ ୫ କେଜି ମାଣ୍ଡିଆ ବଣ୍ଟନ କରାଯିବ। ଏଥି ମଧ୍ୟରୁ ଏନ୍‌ଏଫ୍‌ଏସ୍‌ଏ ( ଜାତୀୟ ଖାଦ୍ୟ ସୁରକ୍ଷା ଆଇନ) କାର୍ଡ ହେଉଛନ୍ତି ୬୧ ହଜାର ୬୮୧ (୨ ଲକ୍ଷ ୧୨ ହଜାର ୯୦୬ ସଦସ୍ୟ), ଏଏୱାଇ( ଅନ୍ନପୂର୍ଣ୍ଣ ଅନ୍ତୋଦୟ ଯୋଜନା) କାର୍ଡଧାରୀ ହେଉଛନ୍ତି ୨, ୮୮୪ ( ୬ ହଜାର୬୩୧ ସଦସ୍ୟ) ଓ  ଏସ୍‌ଏଫ୍‌ଏସ୍‌ଏସ୍‌ (ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା) କାର୍ଡଧାରୀ ହେଉଛନ୍ତି ୩ ହଜାର ୧୭୦ (୯, ୧୭୧ ସଦସ୍ୟ)। ରାଉରକେଲା ୧୬୦ କଣ୍ଟ୍ରୋଲ ଦୋକାନୀ ମଧ୍ୟରୁ ୩୦ରୁ ୪୦%  ଦୋକାନୀଙ୍କରେ ଦୁଇରୁ ଦିନି ମାସ ଧରି ବଳକା କୋଟା ପଡିଛି।

ବଣ୍ଟନ ‌ନହୋଇ ପଡ଼ିଥିବା କୋଟାକୁ କଣ୍ଟ୍ରୋଲ ଦୋକାନୀ କାର୍ଡଧାରୀଙ୍କୁ ଦେଉ ନାହାନ୍ତି। ଏମିତି  ଭାବେ କ୍ବିଣ୍ଟାଲ କ୍ବିଣ୍ଟାଲ ଗହମ ଅଧିକାଂଶ କଣ୍ଟ୍ରୋଲ ଦୋକାନୀଙ୍କ ଗୋଦାମର ପଡିଛି। ବିଭାଗୀୟ ଅଧିକାରୀ  ଏହି କଥାକୁ ସ୍ବୀକାର କରୁଛନ୍ତି। ୩୦ରୁ୪୦% ନୁହେଁ ଅଳ୍ପ କିଛି କଣ୍ଟ୍ରୋଲ ଦୋକାନରେ ଏମିତି ବଳକା ରହୁଛି।  ଏଠାରେ ପ୍ରଶ୍ନ ଉଠୁଛି ମାସ ମାସ ଧରି ବଳକା ରହୁଥିବା କ୍ବିଣ୍ଟାଲ କ୍ବିଣ୍ଟାଲ ଗହମ କଣ୍ଟ୍ରୋଲ ଦୋକାନୀଙ୍କ ‌ଗୋଦାମରେ ପଡି ରହୁଛି । ନା କିଛି ମାସ ପରେ ଗୋଦାମ ଉଭାନ ହୋଇଯାଉଛି, ତା’ର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ଯୋଗାଣ ବିଭାଗ ତାଲିକାରେ ଏବେ ବି କିଛି କଣ୍ଟ୍ରୋଲ ଦୋକାନୀ ରହିଛନ୍ତି, ଯାହାଙ୍କ ପାଖରେ ମାତ୍ର ଖଣ୍ଡିଏ କାର୍ଡ ରହିଛି। ଯଦି କଣ୍ଟ୍ରୋଲ ଦୋକାନୀ ନାହାନ୍ତି, ସେମାନଙ୍କ ନାଁ ବର୍ଷ ବର୍ଷ ଧରି  କାହିଁକି କଣ୍ଟ୍ରୋଲ ଦୋକାନୀଙ୍କ ତାଲିକାରେ ଗଡୁଛି, ତାହା ମଧ୍ୟ ଆଉ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏକମାତ୍ର କାର୍ଡ ଥିବା କଣ୍ଟ୍ରୋଲ ଦୋକାନୀ ହେଲେ ସାରନଗରୀର ପୂର୍ଣ୍ଣ ଚନ୍ଦ୍ର ସୁବୁଦ୍ଧି (୩୦୨୦ପି୦୧୧),  ସେକ୍ଟର -୧ର ରଞ୍ଜିତା ମହାନ୍ତି (୩୦୨୦ପି୦୨୦), ୱାର୍ଡ ନଂ ୧୦ର ତୋଫାନ ଦାସ (୩୦୨୦ପି୧୨୯), ସେକ୍ଟର-୧୫ର ସବିର ଅଲ୍ଲୀ ଖାନ୍‌ (୩୦୨୦ପି୨୨୫), ସେକ୍ଟର-୨୦ର ଶିବ ପରିବାର (୩୦୨୦ଡବ୍ଲ୍ୟୁ୨୩୯)। ସେମିତି ସମାନୁପାତିକରଣ ନିୟମକୁ ମଧ୍ୟ ବିଭାଗ ଫୁଃ କରି ଦେଇଛି। କେଉଁ କଣ୍ଟ୍ରୋଲ ‌ଦୋକାନୀ ପାଖରେ ୧୪୮, ୧୫୯ ଓ ୧୮୦ କାର୍ଡ ତ ଅନ୍ୟ କେଉଁ କଣ୍ଟ୍ରୋଲ ଦୋକାନୀ, ଏସ୍‌ଏଚ୍‌ଜି ପାଖରେ ୧୧୧୫,୧୨୮୧ ଓ ୧୩୨୩ରୁ ଅଧିକ କାର୍ଡ ରହିଛି। ଏଥି ପ୍ରତି ଯୋଗାଣ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି।

ସମ୍ବନ୍ଧିତ ଖବର