ରାଉରକେଲା-ଟାଟା ରାସ୍ତାକୁ ଜାତୀୟ ରାଜପଥର ମୋହର

ନୂଆ ଏନ୍‌ଏଚ୍‌ ୩୨୦-ଡି ର ଦୂରତା ୧୩୩.୮ କି.ମି., ଝାଡ଼ଖଣ୍ଡରେ ୯୯.୭୪, ଓଡ଼ିଶାରେ ୩୪.୧୦ କି.ମି.

ରାଉରକେଲା: ଝାଡ଼ଖଣ୍ଡର ଷ୍ଟିଲସିଟି ଜାମସେଦପୁର ଓ ଓଡ଼ିଶାର ଷ୍ଟିଲସିଟି ରାଉରକେଲାକୁ ସଂଯ‌ୋଗ କରୁଥିବା ଟାଟା-ରାଉରକେଲା ରାସ୍ତାକୁ ଜାତୀୟ ରାଜପଥର ମୋହର ବାଜିଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ଉକ୍ତ ରାସ୍ତାକୁ ୩୨୦-ଡି ନାମରେ ନାମିତ କରିଛି। ସମ୍ପୃକ୍ତ ମନ୍ତ୍ରଣାଳୟ ପକ୍ଷରୁ ଏହା  ବିଧିବଦ୍ଧ ଘୋଷଣା କରାଯାଇଛି। ଏହି ରାସ୍ତାର ଦୂରତା ପ୍ରାୟ ୧୩୩.୮ କିମି। ଏହା ଝାଡ଼ଖଣ୍ଡର ଚକ୍ରଧରପୁର ଆରମ୍ଭ ହୋଇ ରାଉରକେଲାର ଶେଷ ହେବ। ଜାତୀୟ ରାଜପଥ  ୩୨୦ -ଡି  ଝାଡ଼ଖଣ୍ଡର ଚକ୍ରଧରପୁରର ଜାତୀୟ ରାଜପଥ ନଂ ୨୦ରୁ ବାହାରି ସୋନୁଆ, ଗୋଏଲକେରା, ମନୋହରପୁର ଓ ଜରେଇକେଲା ହୋଇ ରାଉରକେଲା ଭିତରେ ଯାଇଥିବା ୧୪୩ ନଂ ଜାତୀୟ ରାଜପଥକୁ ପାନପୋଷ ହକି ଛକରେ ସଂଯୋଗ କରିବ। ଝାଡ଼ଖଣ୍ଡରେ ଏହା ୯୯.୭୪ କି.ମି ରହୁଥିବାବେଳେ ଓଡ଼ିଶାରେ ରହିବ ୩୪.୧୦ କି.ମି.। ଏହି ରାସ୍ତାର ପ୍ରଶସ୍ତିକରଣ ସହ ଅନ୍ୟାନ୍ୟ ବିକାଶମୂଳକ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ। ଉଭୟ ଝାଡ଼ଖଣ୍ଡ ଓ ରାଉରକେଲା ପଟୁ ପ୍ରଶସ୍ତିକରଣ କାମ ଆରମ୍ଭ ହେବାକୁ ଯାଉଛି ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ ସୂଚନା ମିଳିଛି। ଏହି ଜାତୀୟ ରାଜପଥ ଦ୍ବାରା ବିଶେ‌ଷ କରି ରାଉରକେଲା-ଟାଟା ମଧ୍ୟରେ ସଡ଼କ ପଥରେ ଯାତାୟାତ ସୁଗମ ହେବ। ଟ୍ରେନ୍‌ ଅପେକ୍ଷା ଉଭୟ ରାଜ୍ୟର ଯାତ୍ରୀମାନେ ରାଉରକେଲା-ଟାଟା ଜାତୀୟ ରାଜପଥକୁ ବେଶି ଗୁରୁତ୍ବ ଦେବେ। ଖୁବ୍‌ କମ୍‌ ସମୟରେ ରାଉରକେଲାବାସୀ ଟାଟାରେ ପହଞ୍ଚିପାରିବେ। ସେହିପରି ଟାଟା, ମନୋହପୁର, ସୋନୁଆ ଓ‌ ଗୋଏଲକେରା ଆଦି ପ୍ରମୁଖ ସହରର ଯାତ୍ରୀମାନେ ସ୍ମାର୍ଟସିଟି ରାଉରକେଲାରେ ପହଞ୍ଚି ପାରିବେ। କେବଳ ଯାତାୟାତ ନୁହେଁ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏହି ଜାତୀୟ ରାଜପଥ ବେଶ୍‌ ସହାୟକ ହେବ। ମୋଟାମୋଟି ଭାବେ ଏହା ଉଭୟ ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟର ଏହି ଘୋଷଣା ପରେ ରାଉରକେଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ଘୋଷଣା ପରେ ଜିଲ୍ଲା ବିଜେପି ପକ୍ଷରୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଓ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଘୋଷିତ ୧୬ ନୂଆ ଜାତୀୟ ରାଜପଥ ଭିତରୁ ଓଡ଼ିଶା‌ ଭାଗରେ କେବଳ ଏହି ରାସ୍ତାଟି ରହିଛି।

ସମ୍ବନ୍ଧିତ ଖବର