ଜିଏସ୍ଟି ଠକଙ୍କ ପେଣ୍ଠସ୍ଥଳ ରାଉରକେଲା: ୫୦୦ କୋଟିର ଠକେଇ, ୧୫ ଗିରଫ
ରିକ୍ସା ଓ ଠେଲାବାଲାଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ
ରାଉରକେଲା: ଜିଏସ୍ଟି ଠକେଇରେ ଓଡ଼ିଶାର ପେଣ୍ଠସ୍ଥଳ ପାଲଟିଛି ସ୍ମାର୍ଟସିଟି ରାଉରକେଲା। ରାଜ୍ୟରେ ଯେତିକି ଜିଏସ୍ଟି ଠକେଇ ହେଉଛି, ତା’ର କେବଳ ୫୦% ଠକେଇ କେବଳ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ। ରାଜ୍ୟରେ ୯, ୭୪୨ଟି ନକଲି ବିଲ୍ରେ ୧୭୯୨ କୋଟି ଟଙ୍କାର ଠକେଇ ହୋଇଛି। ଏଥିରୁ ରାଉରକେଲାରେ କେବଳ ୫୦୦ କୋଟିରୁ ଅଧିକ। ୨୫୦୦ କୋଟି ନକଲି ବିଲ୍ ଜରିଆରେ ଠକମାନେ ୫୦୦ କୋଟିରୁ ଅଧିକ ଟଙ୍କାର ଜିଏସ୍ଟି ଫାଙ୍କିଥିଲେ। ସେମିତି ଜିଏସ୍ଟି ୱିଙ୍ଗ୍ ରାଜ୍ୟର ୨୮ ଜଣ ଜିଏସ୍ଟି ଠକକୁ ଗିରଫ କରି ଜେଲ୍ ପଠାଇଛି। ସେମାନଙ୍କ୍ ମଧ୍ୟରେ ୧୫ ଜଣ ହେଉଛିନ୍ତ ରାଉରକେଲାର ଶିଳ୍ପପତି ଓ ବ୍ୟବସାୟୀ। କେବଳ ଏତିକି ନୁହେଁ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ ରାଜ୍ୟରେ ୩୦ ହଜାର ନକଲି ଜିଏସ୍ଟି ପଞ୍ଜିକରଣକୁ ବାତିଲ କରି ସାରିଛି।
ଏଥି ମଧ୍ୟରେ ପ୍ରାୟ ୩୦% ନକଲି ଜିଏସ୍ଟି ପଞ୍ଜିକରଣ କେବଳ ସୁନ୍ଦରଗଡ଼ ଜିଲ୍ଳାରେ ହୋଇଥିବା ଜଣାପଡ଼ିଛି। ରାତାରାତି କୋଟିପତି ହେବା ନିଶାରେ କିଛି ଶିଳ୍ପପତି ଓ ବ୍ୟବସାୟୀ ଅତି ଚତୁରତା ସହ ନକଲି ବିଲ୍ ଜରିଆରେ କୋଟି କୋଟି ଟଙ୍କା ଜିଏସ୍ଟି ଠକେଇ କରୁଛନ୍ତି। ଧରା ନ ପଡ଼ିବାକୁ ନିରୀହ ଗରିବ, ବିଶେଷ କରି ରିକ୍ସାବାଲା, ପରିବାବାଲା, ଠେଲାବାଲାଙ୍କୁ ଟାର୍ଗେଟ କରୁଛନ୍ତି। ମାସିକ ମୋଟା ଅଙ୍କର ରୋଜଗାର ଲୋଭ ଦେଖାଉଛନ୍ତି। ପରେ ସେମାନଙ୍କ ପ୍ୟାନ୍, ଆଧାରକାର୍ଡ ହାତେଇ ଘରୋଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଛନ୍ତି। ଏସବୁ ବ୍ୟାଙ୍କ ଖାତା ଜରିଆରେ ଜିଏସ୍ଟି ଟଙ୍କାକୁ ହଡ଼ପ କରି ଚାଲିଛନ୍ତି। କିଛି ଠକକୁ ଜିଏସ୍ଟି ବିଭାଗ ଗିରଫ କରି ଜେଲ୍ ପଠାଇସାରିଛି। ଏବେ ବି ଆହୁରି କିଛି ଠକ ଫେରାର ଅଛନ୍ତି। ରାଜ୍ୟ ଜିଏସ୍ଟି କାର୍ଯ୍ୟାଳୟର ଡେପୁଟି କମିସନର ଏଭଳି କିଛି ସାଂଘାତିକ ତଥ୍ୟ ରଖିଛନ୍ତି। ସଚେତନତା ଅଭାବରୁ ଦିନକୁ ଦିନ ଅଧିକରୁ ଜିଏସ୍ଟି ଠକେଇ ହେଉଛି। ଠକମାନଙ୍କ ପଞ୍ଝାରେ ପଡୁଛନ୍ତି ସୁନ୍ଦରଗଡ ଜିଲ୍ଲାର ନିରୀହ ଲୋକ।
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଓ ଏହାର ଆଖପାଖ ଏମିତି ଠକକୁ ଚିହ୍ନଟ କରି ବାନ୍ଧିବାକୁ ଜିଏସ୍ଟି ୱିଙ୍ଗ ଟିମ୍ ଗଠିତ ହୋଇଛି। ସ୍ବତନ୍ତ ରଣନୀତି ପ୍ରସ୍ତୁତି ହୋଇଛି। ଗତ ୧୬ ମେ ଚାଲିଥିବା ଏହି ଅଭିଯାନ ଆସନ୍ତା ୧୫ ଜୁଲାଇ ପର୍ଯ୍ୟନ୍ତ ଚାଲିବ ବୋଲି ଜିଏସ୍ଟି ଡେପୁଟି କମିସନର କହିଛନ୍ତି। ରାଉରକେଲା ବଣିକ ସଂଘ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାଡାର୍ଡ ଆକାଉଣ୍ଟ ଇଣ୍ଡିଆ (ରାଉରକେଲା ଚାପ୍ଟର) ଓ ରାଉରକେଲା ଟ୍ୟାକ୍ସ ବ୍ୟାର ସଂଘର ସହଯୋଗ ଲୋଡିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ବର୍ଷକ ତଳେ ଅର୍ଥାତ୍ ୨୦୨୨ ମେରେ ରାଉରକେଲାରେ ବଡଧରଣର ଜିଏସ୍ଟି ଠକେଇ ହୋଇଥିଲା। ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ୍ ସହରର ୫ ଶିଳ୍ପପତି ଓ ଜଣାଶୁଣା ବ୍ୟବସାୟୀକୁ ବାନ୍ଧିଥିଲା। ସେମାନଙ୍କ ମଧ୍ୟରେ ଥିଲେ ଧନବାନ ସା, ରାମ ଭରୋସେ ସା, ମନୋଜ ପାଣ୍ଡେ, ନିକୁ ସିଂହ ଓ ସୁବାସ କାଣ୍ଡୁଲାନା। ଏମାନେ ୧୭୨୭ କୋଟି ନକଲି ବିଲ୍ ଜରିାରେ ୩୧୧ କୋଟି ଟଙ୍କାର ଜିଏସ୍ଟି ଠକେଇ କରିଥିଲେ। ଗୋଟିଏ କି ଦୁଇଟି ନୁହେଁ ୨୩ଟି ନକଲି ଫାର୍ମ ଖୋଲିଥିଲେ। କେବଳ ୫ ଠକ୍ ନୁହେଁ ପୂର୍ବରୁ ଆହୁରି ୧୦ ଶିଳ୍ପପତି ଓ ବ୍ୟବସାୟୀ ବନ୍ଧା ହୋଇ ଜେଲ୍ ଯାଇଛନ୍ତି। କିଛି ବେଲ୍ରେ ଆସିଛନ୍ତି। ଆଉ କିଛି ଏବେ ବି ଜେଲ୍ ଅଛନ୍ତି।