ଏ ମାସରେ ରାଉରକେଲାରୁ ଭୁବନେଶ୍ବର ଓ କୋଲକାତାକୁ ବିମାନ: ଜୁଏଲ

ରାଉରକେଲା : ଚଳିତ ମାସ, ଅର୍ଥାତ୍ ଜାନୁଆରି ‌ଶେଷ ସୁଦ୍ଧା ରାଉରକେଲାରୁ ରାଜଧାନୀ ଭୁବନେଶ୍ବର ଓ କୋଲକାତା ବିମାନ ସେବା ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ଆଜି ରାଉରକେଲାସ୍ଥ ଧାମରା ସଂଘର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ ସେ କହିଛନ୍ତି, ରାଉରକେଲାବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହୋଇଛି। ଏ ମାସ ଶେଷ ସୁଦ୍ଧା ରାଉରକେଲାରୁ କୋଲକାତା ଓ ଭୁବନେଶ୍ବରକୁ ନିୟମିତ ବିମାନ ଚଳାଚଳ କରିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ (ଏଟିସି) ରୁମ୍‌ ସହ ରନ୍‌ୱେରେ ନବୀକରଣ କାମ ଶେଷ ହୋଇଛି। ବିମାନ ଉଡାଣ ଓ ଅବତରଣ ବେଳେ ପାଣିପାଗର ସଠିକ୍‌ ସୂଚନା ପାଇଁ ଆବଶ୍ୟକ ୱେଦର୍‌ (ପାଣିପାଗ) ରାଡାର୍‌ ଯନ୍ତ୍ର ମଧ୍ୟ ସ୍ଥାପନା ସରିଛି। ଏହା ସହିତ ଶ୍ରୀ ଓରାମ ସୂଚନା ଦେଲେ ଯେ କେବଳ ରାଉରକେଲା ନୁହେଁ, ଝାରସୁଗୁଡା ଏୟାରପୋର୍ଟରୁ ମଧ୍ୟ ନିୟମିତ ଦିଲ୍ଲୀ ଓ ମୁମ୍ବାଇକୁ ବିମାନ ଉଡିବାକୁ ଯାଉଛି। ନିୟମିତ ବିମାନ ଚଳାଚଳ ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହୋଇଛି। ୩ରୁ ଅଧିକ ଘରୋଇ ବିମାନ କମ୍ପାନୀ ବିମାନ ଚଳାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ଏଠାରେ ସ୍ମରଣୀୟ ଯେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ରାଉରକେଲା ଏୟାରପୋର୍ଟରୁ ନିୟମିତ ବିମାନ ଚଳାଚଳ କରିବ ବୋଲି ଅନେକ ଥର ଦାବି କରି ଆସିଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ତାହା ମିଛ ପ୍ରମାଣିତ ହୋଇଛି। ରାଉରକେଲା ସହରବାସୀଙ୍କ ଆଶା ପୂରଣ ହୋଇନାହିଁ। ତେଣୁ ସେ ଆଜି ଦେଇଥିବା ମତ ଆସନ୍ତା ଦିନରେ କେତେଦୂର କାର୍ଯ୍ୟକାରୀ ହେଉଛି, ତା’ଉପରେ ଅନେକଙ୍କର ସନ୍ଦେହ ରହିଛି। ପୁଣି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବଡ଼ ଜାକଜମକରେ ଉଦ୍‌ଘାଟିତ ହେବାପରେ ଝାରସୁଗୁଡ଼ା ବିମାନବନ୍ଦରରୁ ଦିନ କେଇଟା ଯାତ୍ରୀବାହୀ ବିମାନ ଉଡ଼ିବା ପରେ ବନ୍ଦ ହୋଇଯିବାର ଉଦାହରଣ ମଧ୍ୟ ଲୋକଙ୍କ ମନରେ ତାଜା ରହିଛି।

ସମ୍ବନ୍ଧିତ ଖବର